କନକ ବ୍ୟୁରୋ : ପ୍ରସିଦ୍ଧ ଲୋକ ଗାୟିକା ମୈଥିଳୀ ଠାକୁର କମ୍ ବୟସରେ ସଙ୍ଗୀତ ଜଗତରେ ଏକ ଅଲିଭା ଛାପ ଛାଡିଛନ୍ତି । ତାଙ୍କ ଗୀତର ଚର୍ଚ୍ଚା ଦେଶ ବିଦେଶରେ ହୋଇଥାଏ । ମାତ୍ର ୪ ବର୍ଷ ବୟସରୁ ନିଜ ସ୍ୱରର ଯାଦୁ ଦେଖାଇଥିବା ମୈଥିଳୀ ଏବେ ରାଜନୀତିରେ ମଧ୍ୟ ସକ୍ରିୟ ହୋଇଛନ୍ତି । ସେ ସବୁଠାରୁ କମ୍ ବୟସରେ ବିଧାୟିକା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ମାତ୍ର ୨୫  ବର୍ଷ ବୟସରେ ଏବେ ସେ ସକ୍ରିୟ ରାଜନୀତିରେ ସାମିଲ ହୋଇଛନ୍ତି । ରାଜନୀତିରେ ପାଦ ଦେବା ପୂର୍ବରୁ ମୈଥିଳୀ ଠାକୁର ସଙ୍ଗୀତ ଜଗତରେ ନିଜର ଛାପ ଛାଡିଥିଲେ । ୨୫ ଜୁଲାଇ ୨୦୦୦ ରେ ବିହାରରେ ଜନ୍ମଗ୍ରହଣ କରିଥିବା ଏହି ଗାୟିକାଙ୍କୁ ମାତ୍ର ୪ ବର୍ଷ ହୋଇଥିଲା, ଯେତେବେଳେ ତାଙ୍କ ପରିବାର ଦିଲ୍ଲୀ ଆସିଥିଲା ଏବଂ ସେଠାରେ ସେ ନିଜ ଜେଜେଙ୍କଠାରୁ ଗାୟନ କଳା ଶିଖିଥିଲେ । ପ୍ରାରମ୍ଭରେ ସେ ଜାଗରଣ ଏବଂ ସଙ୍ଗୀତ କାର୍ଯ୍ୟକ୍ରମରେ ଗୀତ ଗାଉଥିଲେ ।

Advertisment

ମୈଥିଳୀ ଠାକୁର ସଙ୍ଗୀତ ଜଗତରେ ପରିଚୟ ହାସଲ କରିବା ପାଇଁ ଅନେକ ରିଆଲିଟି ଶୋ'ରେ ମଧ୍ୟ ଭାଗ ନେଇଥିଲେ । ମାତ୍ର ୧୧ ବର୍ଷ ବୟସରେ ସେ ଜି ଟିଭିରେ ପ୍ରସାରିତ ହେଉଥିବା ସିଙ୍ଗିଂ ରିଆଲିଟି ଶୋ' ଲିଟିଲ ଚାମ୍ପ୍ସରେ ଆସିଥିଲେ । ଏହା ପରେ ସେ ଇଣ୍ଡିଆନ୍ ଆଇଡଲ୍ ଜୁନିଅରରେ ଲୋକପ୍ରିୟତା ହାସଲ କରିଥିଲେ । ନିଜର ଯାଦୁକରୀ ସ୍ୱର ସହିତ ମୈଥିଳୀ ଠାକୁର ୨୦୧୬ରେ ଆସିଥିବା ଜିନିୟସ୍ ୟଙ୍ଗ ସିଙ୍ଗିଂ ପ୍ରତିଯୋଗିତା ଜିତିଥିଲେ ଏବଂ ତାଙ୍କର ପ୍ରଥମ ମ୍ୟୁଜିକ୍ ଆଲବମ୍ ୟା ରବା ଲଞ୍ଚ କରିଥିଲେ । ଏହାର ଠିକ୍ ଏକ ବର୍ଷ ପରେ ସେ ରାଇଜିଂ ଷ୍ଟାର ଶୋ'କୁ ଯାଇଥିଲେ । ରିପୋର୍ଟ ଅନୁଯାୟୀ, ରାଇଜିଂ ଷ୍ଟାରର ପ୍ରଥମ ସିଜିନରେ ମୈଥିଳୀ ମାତ୍ର ୨ ଭୋଟରେ ହାରିଥିଲେ । ସେ ସିଜିନର ପ୍ରଥମ ରନର୍ସ-ଅପ୍ ରହିଥିଲେ ।

ଅଧିକ ପଢ଼ନ୍ତୁ--ବିଲରେ ଶୋଇଛି ବିରାଟ ବଉଳା କୁମ୍ଭୀର : ଛାନିଆରେ ପୂରା ଗାଁ

ଯଦିଓ ମୈଥିଳୀ ଠାକୁର ରାଇଜିଂ ଷ୍ଟାର୍ ଟ୍ରଫି ହାରି ଯାଇଥିଲେ, ତଥାପି ସେ ରାତାରାତି ଷ୍ଟାର୍ ପାଲଟି ଯାଇଥିଲେ । ଏହା ପରେ ସେ କେବେ ପଛକୁ ଚାହି ନାହାନ୍ତି । ସେ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ପରଫରମାନ୍ସ ଦେଇଛନ୍ତି । ୨୦୨୧ରେ ତାଙ୍କୁ ଲୋକମତ ସୁର ଜ୍ୟୋତ୍ସ୍ନା ନ୍ୟାସନାଲ ମ୍ୟୁଜିକ୍ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଆଜି ସେ ବିହାରରେ ନିଜର ଲୋକଗୀତ ପାଇଁ ସବୁଠାରୁ ଅଧିକ ପ୍ରସିଦ୍ଧ । ଏପରିକି ବିହାର ବିଧାନସଭା ନିର୍ବାଚନରେ ଭାରି ଭୋଟରେ ଜିତି ସେ ସବୁଠାରୁ କମ୍ ବୟସର ବିଧାୟିକା ପାଲଟିଛନ୍ତି ।

ମୈଥିଳୀ ଠାକୁର ତାଙ୍କ ନାମାଙ୍କନ ସମୟରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ଏକ ସରକାରୀ ଶପଥପତ୍ରରେ ତାଙ୍କର ସମ୍ପତ୍ତି ବିଷୟରେ ପ୍ରକାଶ କରିଥିଲେ । ଏହି ସତ୍ୟପାଠ ଅନୁଯାୟୀ, ମୈଥିଳୀଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ୪ କୋଟି ମୂଲ୍ୟର ଥିଲା । ୨୦୧୯-୨୦ରେ ତାଙ୍କର ବାର୍ଷିକ ଆୟ ୧୨.୦୨ ଲକ୍ଷ ଥିଲା, ଯାହା ୨୦୧୯-୨୦ରେ ୨୮.୬୭ ଲକ୍ଷ ହୋଇଛି । ଏହାର ଅର୍ଥ ହେଉଛି ପାଞ୍ଚ ବର୍ଷ ମଧ୍ୟରେ ତାଙ୍କର ଆୟ ପ୍ରାୟ ଦ୍ୱିଗୁଣିତ ହୋଇଛି । ମୈଥିଳୀଙ୍କ ଆୟର ମୁଖ୍ୟ ଉତ୍ସ ହେଉଛି ଗୀତ ଗାଇବା, ସୋସିଆଲ ମିଡିଆ ଏବଂ ବ୍ରାଣ୍ଡ ପ୍ରମୋସନ୍ ।