Mahanadi tribunal team Photograph: (KanakNews)
କନକ ବ୍ୟୁରୋ : ୫ ଦିନିଆ ଓଡିଶା ଗସ୍ତରେ ଆସି ପହଞ୍ଚିଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ବରେ ୧୦ ଜଣିଆ ଟିମ୍ ଗତକାଲି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି । ଏହି ଟିମ୍ ୫ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯିବେ । ଆଜି ହୀରାକୁଦ ଡ୍ୟାମ୍, ବୁର୍ଲା ପାୱାର ହାଉସ୍ ଓ ଚିପିଲିମା ପାୱାର ହାଉସ୍ ଯିବେ । ଏହାପରେ ୩ ଦିନ ଧରି ପୁରୀ, କୋଣାର୍କ, ସାତପଡ଼ା, ଚିଲିକା, ଲିଙ୍ଗରାଜ ମନ୍ଦିର ଭଳି ବିଭିନ୍ନ ଦର୍ଶନୀୟ ସ୍ଥାନ ଓ ପର୍ଯ୍ୟଟନସ୍ଥଳୀ ବୁଲିବା କାର୍ଯ୍ୟକ୍ରମ ରହିଛି ।
ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ଅନେକ ବର୍ଷ ହେଲା ରହିଛି । ଟ୍ରିବ୍ୟୁନାଲରେ ଝୁଲିରହିଛି ମହାନଦୀର ଭାଗ୍ୟ । ଗତ ୮ ବର୍ଷ ହେଲାଣି ମହାନଦୀ ଟ୍ରିବ୍ୟୁନାଲ ଗଠନ ହେଲାଣି । ଆଜି ପର୍ଯ୍ୟନ୍ତ ପ୍ରାୟ ୩୫ ଥରରୁ ଅଧିକ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ସତ୍ତ୍ବେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ ।
ଅଧିକ ପଢନ୍ତୁ : ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଲେ ନରେନ୍ଦ୍ର ମୋଦୀ , ବିଶ୍ୱର ପ୍ରଥମ ରାଜନେତା ଭାବେ ଇନଷ୍ଟାଗ୍ରାମରେ ଶତକ ପୂରଣ
ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ ଆପୋସ ଆଲୋଚନା ମାଧ୍ୟମରେ ଟ୍ରିପଲ ଇଞ୍ଜିନ ସରକାର ମହାନଦୀ ଜଳ ବିବାଦର ସମାଧାନ କରିବେ ବୋଲି ବାରମ୍ବାର ଭରସା ଦେଉଛନ୍ତି । କିନ୍ତୁ ଆଜିଯାଏଁ ସମାଧାନ ହୋଇପାରୁନି । ଖରାଦିନ ନଆସୁଣୁ ମହାନଦୀ ଶୁଖିଲା ପଡିଛି । ବର୍ଷ ତମାମ ଅଣ ମୌସୁମୀରେ ମହାନଦୀ ଶୁଖିଲା ପଡିବା ଏକ ଚିନ୍ତାର କାରଣ । ଏଭଳି ସ୍ଥିତିରେ ମହାନଦୀ ଟ୍ରିବ୍ୟୁନାଲଙ୍କ ୧୦ ଜଣିଆ ଟିମ୍ର ଓଡିଶା ଗସ୍ତ ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।
Follow Us