କନକ ବ୍ୟୁରୋ: ମହାନଦୀ ଜଳ ବିବାଦର ସମାଧାନ ବର୍ଷ ବର୍ଷ ଧରି ହୋଇପାରୁନାହିଁ । ଟ୍ରିବ୍ୟୁନାଲରେ ଝୁଲିରହିଛି ମହାନଦୀର ଭାଗ୍ୟ । ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ ଆପୋସ ଆଲୋଚନା ମାଧ୍ୟମରେ ଟ୍ରିପଲ ଇଞ୍ଜିନ ସରକାର ମହାନଦୀ ଜଳ ବିବାଦର ସମାଧାନ କରିବେ ବୋଲି ବାରମ୍ବାର ଭରସା ଦେଉଛନ୍ତି । ମାସ ପରେ ମାସ ଗଡୁଛି ସିନା, କିନ୍ତୁ ସମାଧାନ ହୋଇପାରୁନି । ଏହାରି ଭିତରେ ଆଜି ଓଡ଼ିଶାରେ ରାଜ୍ୟ ଅତିଥି ହୋଇ ପହଞ୍ଚିଛନ୍ତି ମହାନଦୀ ଟ୍ରିବ୍ୟୁନାଲ । ୧୦ ଜଣିଆ ସଦସ୍ୟଙ୍କ ଏହି ଗସ୍ତକୁ ପିକ୍ନିକ୍ ବୋଲି କହି ବିକ୍ଷୋଭ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।
ଏହା ବି ପଢ଼ନ୍ତୁ: ଯାତନା ସହୁଛି ଜୀବନଧାରା ! ପାଣି ବ୍ୟବହାର କଲେ ହେଉଛି ନାନା ରୋଗ
ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ଅତିଥି ହୋଇ ନିଜ ପରିବାର ସହ ଓଡ଼ିଶାରେ ପହଞ୍ଚିଛନ୍ତି ଟ୍ରିବ୍ୟୁନାଲ । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ବରେ ୯ ଜଣିଆ ଟିମ୍ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି । ଏହି ଟିମ୍ ୫ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯିବେ । ହୀରାକୁଦ ଡ୍ୟାମ୍, ବୁର୍ଲା ପାୱାର ହାଉସ୍ ସମେତ ପୁରୀ, କୋଣାର୍କ, ସାତପଡ଼ା ଓ ଡେବ୍ରିଗଡ଼ ଅଭୟାରଣ୍ୟ ଇତ୍ୟାଦି ବୁଲିବାକୁ ଯିବେ । ଟ୍ରିବ୍ୟୁନାଲଙ୍କ ଏହି ଗସ୍ତସୂଚୀକୁ ଦେଖି ପ୍ରଶ୍ନ ଉଠାଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ବିଡ଼ମ୍ବନାର ବିଷୟ, ମରିଯାଉଥିବା ମହାନଦୀର ବିଭିନ୍ନ ସ୍ଥାନ ନବୁଲି ପର୍ଯ୍ୟଟନସ୍ଥଳୀ ଗସ୍ତରେ ଅଧିକ ସମୟ ବିତାଇବେ ଟ୍ରିବ୍ୟୁନାଲ ଟିମ୍ । ଏହି ଗସ୍ତକୁ ପିକ୍ନିକ୍ ବୋଲି ଅଭିଯୋଗ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ଭୁବନେଶ୍ବରରେ ମହାନଦୀ ବଞ୍ଚାଅ ଆନ୍ଦୋଳନର କର୍ମକର୍ତ୍ତା ବିକ୍ଷୋଭ କରିଛନ୍ତି ।
ଦିନ ପରେ ଦିନ ଗଡୁଛି, କିନ୍ତୁ ହୋଇପାରୁନି ମହାନଦୀ ଜଳ ବିବାଦର ସମାଧାନ । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏହି ବିବାଦ ବର୍ଷ ବର୍ଷ ଧରି ଚାଲିଛି । ଗତ ୭ ବର୍ଷ ଧରି ଗଠନ ହୋଇଛି ଟ୍ରିବ୍ୟୁନାଲ। ହେଲେ ସମାଧାନ ହେବ କ’ଣ ବରଂ କ୍ଷତି ସହୁଛି ଓଡ଼ିଶା । ଦୁଇ ରାଜ୍ୟ ମଧ୍ୟରେ ଜଳ ବିବାଦର ସମାଧାନ ଆପୋସ ଆଲୋଚନାରେ ହେବ ବୋଲି କହୁଛନ୍ତି ସରକାର । ହେଲେ ତୁଟୁନି ବିବାଦ। ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ପୂର୍ବରୁ ୨୦୨୩ ମସିହାରେ ଟ୍ରିବ୍ୟୁନାଲର ଟିମ୍ ୯ ଦିନ ଓଡ଼ିଶାରେ ରହି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ଥାନ ବୁଲିଥିଲେ । କିନ୍ତୁ ଆଜିଯାଏଁ କୌଣସି ସମାଧାନ ହୋଇପାରିନାହିଁ । ତେଣୁ ଚଳିତ ଗସ୍ତ ମହାନଦୀ ଜଳ ବିବାଦର ସମାଧାନ କରିପାରିବ ତ ?
Follow Us