କନକ ବ୍ୟୁରୋ: ଲୋକସଭାରେ ଆଜି ବଢୁଥିବା ବାୟୁ ପ୍ରଦୂଷଣ ସମସ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଦେଶର ବିଭିନ୍ନ ପ୍ରାନ୍ତରେ, ବିଶେଷକରି ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସ୍ଥିତି ସଙ୍ଗିନ ହେଉଥିବାରୁ ବିରୋଧୀ ଦଳ ପକ୍ଷରୁ ଏହି ପ୍ରସଙ୍ଗ ଉଠାଯାଇଥିଲା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ସମସ୍ୟାର ସମାଧାନ ପାଇଁ ଏକ ବ୍ୟବସ୍ଥିତ ଯୋଜନା ପ୍ରସ୍ତୁତ କରିବାକୁ ସଂସଦରେ ଦାବି କରିଥିଲେ। ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୫ଟା ସମୟରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବିତର୍କର ଉତ୍ତର ରଖିବେ। ସେ ବାୟୁ ପ୍ରଦୂଷଣ ରୋକିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ସଂସଦକୁ ଅବଗତ କରାଇବେ।

Advertisment

ମନ୍ତ୍ରୀ ପୂର୍ବରୁ କହିଛନ୍ତି, ସରକାର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମ ଅଧୀନରେ ୧୩୦ଟି ସହରରେ କାମ କରୁଛନ୍ତି। ବିତର୍କ ସମୟରେ ବିରୋଧୀ ସଦସ୍ୟମାନେ ବାୟୁର ମାନ  ହ୍ରାସ ପାଉଥିବା ଏବଂ ଏହାର ଜନସ୍ୱାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ଅଛନ୍ତି। ବିଶେଷକରି ଶୀତ ଦିନେ ଦିଲ୍ଲୀରେ ଦେଖାଦେଉଥିବା ଗ୍ୟାସ୍ ଚାମ୍ବର ସ୍ଥିତି ଏହି ଆଲୋଚନାର ମୁଖ୍ୟ ବିଷୟ ରହିବ।

ଆହୁରି ପଢ଼ନ୍ତୁ : ନୂତନ ବର୍ଷରେ ଘରକୁ ଖରାପ ନଜରରୁ ରକ୍ଷା କରିବା ପାଇଁ ଏହି ବିଶେଷ ଉପାୟଗୁଡ଼ିକ ପାଳନ କରନ୍ତୁ, ବାସ୍ତୁ ଦୋଷ ମଧ୍ୟ ଦୂର ହେବ !

ସେପଟେ ଦିଲ୍ଲୀରେ ଆଜିଠୁ ପ୍ରଦୂଷଣ  ନିୟନ୍ତ୍ରଣ ସାର୍ଟିଫିକେଟ୍ ନାହିଁ ତ ତେଲ ନାହିଁ । ପ୍ରଦୂଷଣ  ନିୟନ୍ତ୍ରଣ ସାର୍ଟିଫିକେଟ ବା ପିୟୁସି ନଥିଲେ ଦିଲ୍ଲୀରେ ପଟ୍ରୋଲ ଓ ଡିଜେଲ ମିଳୁନାହିଁ। ଦିଲ୍ଲୀ ସରକାର ରାଜଧାନୀରେ ବାୟୁ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ ଏଭଳି କଡ଼ା ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିର୍ସା କହିଛନ୍ତି, ପିୟୁସି ନଥିବା ଯାନବାହନଗୁଡ଼ିକୁ ଆଜିଠାରୁ ପେଟ୍ରୋଲ ପମ୍ପରେ ଇନ୍ଧନ ଦିଆଯିବ ନାହିଁ। ନିର୍ମାଣ ସାମଗ୍ରୀ ଆଣୁଥିବା ଟ୍ରକଗୁଡ଼ିକୁ ଦିଲ୍ଲୀ ଭିତରକୁ ଆସିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଏହାସହିତ, ଆଜିଠାରୁ ଦିଲ୍ଲୀ ବାହାରୁ ଆସୁଥିବା ବ୍ୟକ୍ତିଗତ ଯାନବାହନଗୁଡ଼ିକ ଯଦି ବିଏସ୍‌-୬ ବର୍ଗରୁ କମ୍ ହୋଇଥାଏ, ତେବେ ସେଗୁଡ଼ିକୁ ରାଜଧାନୀ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।