ମୌନୀ ଅମାବାସ୍ୟା ଅବସରରେ ମହାକୁମ୍ଭ ମାଟିରେ ନିରୀହ ଲୋକଙ୍କ ଯେଉଁ ଚିତ୍କାର ଶବ୍ଦ ଶୁଭିଥିଲା ଏହାର ଗୁଞ୍ଜରଣ ସାରା ଭାରତ ଶୁଣିଲା । ଯେଉଁ ମୃତକଙ୍କ ପରିଚୟ ମିଳିଲା ତାହା ପ୍ରଶାସନର ଫାଇଲରେ ଲିପିବଦ୍ଧ ହୋଇ ରହିଲା କିନ୍ତୁ ମୃତକଙ୍କ ଭିଡ଼ରେ ଯାହାର ପରିଚୟ ଉପରକୁ ଉଠିପାରିଲା ନାହିଁ ସେ ଶବରେ ଗଣାହେଲା । ପ୍ରୟାଗରାଜର ପବିତ୍ର ଭୂମିରେ ପଡ଼ିଥିବା ଆଧାରକାର୍ଡ ହିଁ ବର୍ଣ୍ଣନା କରୁଛି ସେ ଦିନର ଲୋମଟାଙ୍କୁରା ଦୃଶ୍ୟ । 

Advertisment
cryy
cryy Photograph: (google)

ଲୋକ ସଙ୍ଗମନଗରୀକୁ ପୂଣ୍ୟ ଅର୍ଜନ ପାଇଁ ବିପୁଳ ସଂଖ୍ୟାରେ ଗମନ କରୁଛନ୍ତି । କିଏ ଟ୍ରେନରେ ଧକ୍କା ଖାଇ ତ କିଏ ବସରେ ଅଣ୍ଟା ବିନ୍ଧାଇ ସଙ୍ଗମରେ ବୁଡ଼ ପକାଇବାକୁ ଯାଉଛନ୍ତି । କିନ୍ତୁ ସୁବିଧା କଥା ପଚାରିଲେ ଉତ୍ତର ନିରବ ହିଁ ଆସୁଛି । ପ୍ରୟାଗରାଜର ପ୍ରଶସ୍ତ ଭୂମିରେ ପଡ଼ିଛି ମହାକୁମ୍ଭମେଳା । ଭିଡ଼ ଯୋଗୁଁ ଗାଡ଼ିମଟରର ସୁବିଧାକୁ ଠପ୍ କରିଛି ପ୍ରଶାସନ । ଖାଦ୍ୟ ପାଇଁ କେବଳ ଭଣ୍ଡାରା ଭରସା କିନ୍ତୁ ଯେଉଁ ଭଣ୍ଡାରାକୁ ବି ଯିବେ ଅସଂଖ୍ୟ ଭିଡ଼ । ସଙ୍ଗମତଟରେ ଚାଲିବା ପାଇଁ ଗୋଡରେ ବଳ ଥିବା ଦରକାର । କହିବାକୁ ଗଲେ , ଦିନକୁ ୪୦ ରୁ ୫୦ କି.ମି ଚାଲିବାକୁ ବି ପଡ଼ିପାରେ । 

khana
khana Photograph: (google)

ଏଭଳି ସ୍ଥିତିରେ ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ସଙ୍ଗମରେ ବୁଡ଼ ପକାଇବା କାଠିକର ପାଠ । ଶ୍ରଦ୍ଧାଳୁ ପୂଣ୍ୟ ଅର୍ଜନ , ମୋକ୍ଷ ପ୍ରାପ୍ତି ଆଶା ନେଇ ମହାକୁମ୍ଭକୁ ଗଲେ ମଧ୍ୟ ଏତେ ସବୁ କଷ୍ଟ ଭିତରେ ତାଙ୍କ ମୁହଁରୁ ବାହାରି ଆସୁଛି , ‘କାହିଁକି ଆସୁଥିଲି’ । ଏଭଳି ସ୍ଥିତିରେ ଭିଡ଼ ନିୟନ୍ତ୍ରଣ ଭିତରେ ଫସିଛି ପ୍ରଶାସନ । ଆଉ ଶ୍ରଦ୍ଧାଳୁଙ୍କ ପାଇଁ ଉଚିତ୍ ସୁବିଧା ପ୍ରଦାନ କରିବାକୁ ପ୍ରଶାସନ ଟେକିଦେଇଛି ହାତ । କିନ୍ତୁ ଏହି ସମୟରେ ଅସହାୟ ଶ୍ରଦ୍ଧାଳୁଙ୍କ ପାଇଁ ଦେବଦୂତ ହୋଇ ଆସିଛନ୍ତି ପ୍ରୟାଗରାଜବାସୀ । 

dsd
dsd Photograph: (google)

ପ୍ରୟାଗରାଜର ବ୍ୟବସାୟୀ , ଛାତ୍ର , ମହିଳା ସବୁ ଏବେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଖୋଲିଦେଇଛନ୍ତି ସହାୟତାର ଦୁଆର । ସଙ୍ଗମରେ ବୁଡ଼ ପକାଇବାକୁ ଆସି ହଇରାଣ ହେଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଭୋଜନ , ଆଶ୍ରୟ ଏବଂ ପରିବହନର ସୁବିଧା ଯୋଗାଇ ଦେଉଛନ୍ତି ପ୍ରୟାଗରାଜବାସୀ । ପ୍ରୟାଗରାଜ ରେଲୱେ ଷ୍ଟେସନ୍ ପାଖ କଲୋନୀରେ କଲୋନୀବାସୀ ଏକଜୁଟ୍ ହୋଇ ଶ୍ରଦ୍ଧାଳୁଙ୍କ ପାଇଁ ଭୋଜନ ପ୍ରସ୍ତୁତ କରି ବାଣ୍ଟୁଛନ୍ତି । ଚା’,ଜଳଖିଆ,ଭାତ-ଡାଲି ରୋଷେଇ କରି ଥକି ଯାଇଥିବା ତୀର୍ଥଯାତ୍ରୀଙ୍କୁ ଖାଇବାକୁ ଦେଉଛନ୍ତି । ସ୍ଥାନୀୟ ଲୋକ ଘର ବାହାରେ ଥିବା ପାର୍କିଂସ୍ଥଳକୁ ଖାଲି କରି ଆଗନ୍ତୁକଙ୍କ ପାଇଁ ବିଶ୍ରାମ କରିବାର ବ୍ୟବସ୍ଥା କରୁଛନ୍ତି । 

sleep
sleep Photograph: (google)

 

କହିବାକୁ ଗଲେ , ପ୍ରୟାଗରାଜବାସୀ ମାନବ ସେବା ହିଁ ମାଧବ ସେବାର ନିଚ୍ଛକ ଉଦାହରଣ ଦେଉଛନ୍ତି । ଏମିତିକି ହୋଟେଲ୍ ବିଠଲ୍ ଚଲାଉଥିବା ବ୍ୟବସାୟୀ ନିଜର ୧୦୦ ବିଛଣାର ଛାତ୍ରାବାସକୁ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ମାଗଣା କରିଦେଇଛନ୍ତି । ଯେଉଁଠି ବ୍ୟବସାୟର ଲାଭ ଉଠାଇବା ପାଇଁ ବ୍ୟବସାୟୀ ଗୋଟିଏ ରାତିକୁ ୨୫ ରୁ ୩୦ ହଜାର ଟଙ୍କା ଚାର୍ଜ କରୁଛନ୍ତି ସେଠାରେ ପ୍ରୟାଗରାଜର ହୋଟେଲ୍ ମାଲିକଙ୍କ ଯେତେ ପ୍ରଶଂସା କଲେ ବି ଶବ୍ଦ କମ୍ ପଡ଼ିବ । ଏମିତି ହିଁ ପ୍ରୟାଗରାଜରେ ଜଣେ ଦେବଦୂତ ବାଇକ୍ ଧରି ବୁଲୁଛନ୍ତି , ନାଁ ତାଙ୍କର ଅର୍ପିତ୍ ସିଂ । ଅର୍ପିତ୍ ଯେଉଁଠି ବି ବୟସ୍କ ବ୍ୟକ୍ତି ଚାଲିବାକୁ ଅସମର୍ଥ ଥିବା ଦେଖୁଛନ୍ତି ତାଙ୍କୁ ନିଃଶୁଳ୍କରେ ନିଜ ବାଇକରେ ବସାଇ ଗନ୍ତବ୍ୟ ସ୍ଥଳରେ ଛାଡ଼ି ଆସୁଛନ୍ତି । 

bike
bike Photograph: (google)

ଏମିତିକି ଆଲ୍ହାବାଦ ବିଶ୍ବବିଦ୍ୟାଳୟର ଛାତ୍ରାବାସ ମଧ୍ୟ ତୀର୍ଥଯାତ୍ରୀଙ୍କ ପାଇଁ ସବୁ ସୁବିଧା ପ୍ରଦାନ କରୁଛି । ରହିବା , ଖାଇବା ଏମିତିକି ଶ୍ରଦ୍ଧାଳୁଙ୍କ ପାଇଁ ଜରୁରୀ ସାମଗ୍ରୀ ଆଣିବାକୁ ପଡ଼ିଲେ ହଷ୍ଟେଲର ଛାତ୍ର ସାହାଯ୍ୟ କରୁଛନ୍ତି । ଅନ୍ତିମବର୍ଷର ଛାତ୍ରମାନେ ନିଜ ପକେଟ୍ ମନିରୁ ଶ୍ରଦ୍ଧାଳୁଙ୍କ ପାଇଁ ଚା’ , ବିସ୍କୁଟ୍ ଏବଂ ଜଳଖିଆର ବ୍ୟବସ୍ଥା କରୁଛନ୍ତି । କେବଳ ଏତିକି ନୁହଁ ନିଃଶୁଳ୍କ ଚିକିତ୍ସା ଶିବିର ଏବଂ ଯାନର ସୁବିଧା ମଧ୍ୟ ଛାତ୍ରମାନେ କରୁଛନ୍ତି । 

ହିନ୍ଦୁଧର୍ମର ଆଧାର କୁମ୍ଭମେଳାରେ ହଇରାଣ ହେଉଥିବା ଭକ୍ତଙ୍କ ପାଇଁ ମୁସଲିମ୍ ଭାଇମାନେ ମଧ୍ୟ ଆଗେଇ ଆସିଛନ୍ତି । କେଉଁଠି କିଏ ଖାଦ୍ୟ ବାଣ୍ଟୁଛନ୍ତି ତ ଆଉ କିଏ ଷ୍ଟେସନ୍ ଯିବା ପାଇଁ ଶ୍ରଦ୍ଧାଳୁଙ୍କୁ ଯାନର ସୁବିଧା ଦେଉଛନ୍ତି । ଆଉ କିଏ ଥକିଯାଇଥିବା ତୀର୍ଥଯାତ୍ରୀଙ୍କ ପାଇଁ ଆଶ୍ରୟ କେନ୍ଦ୍ର ଖୋଲିଦେଇଛନ୍ତି । ଏଥିରୁ ଜଣାପଡୁଛି ଭାରତକୁ କାହିଁକି ‘ବସୁଧୈବ କୁଟୁମ୍ବକମ୍’ ବୋଲି କୁହାଯାଏ ।