ପବିତ୍ର ଭୂମି ପ୍ରୟାଗରାଜରେ ଚାଲିଛି ଆଧ୍ୟାତ୍ମିକତା , ଭକ୍ତିର ପର୍ବ ମହାକୁମ୍ଭ । ଏହାରି ଭିତରେ କେତେ ଯେ କାହାଣୀର ପାଣ୍ଠୁଲିପି ଲେଖିଲାଣି ତ୍ରିବେଣୀସଙ୍ଗମର ଘାଟ । କେତେବେଳେ କେଉଁ ସାଧୁସନ୍ଥ ତ ଆଉ କେତେବେଳେ ଭକ୍ତଙ୍କୁ ନେଇ ଚର୍ଚ୍ଚିତ ମହାକୁମ୍ଭମେଳା ବର୍ତ୍ତମାନ ଦଳାଚକଟାର ଦୁଃଖକୁ ନେଇ ମ୍ରିୟମାଣ । ମୌନୀ ଅମାବାସ୍ୟା ଅବସରରେ ଭକ୍ତ ଅମୃତ ସ୍ନାନ କରୁଥିଲେ ଏହାରି ଭିତରେ ଆରମ୍ଭ ହୋଇଗଲା ଦଳାଚକଟା । ଲୋକଙ୍କ ଦଳାଚକଟା ଭିତରେ ୧୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ଆସିଲା ଅନେକ ଲୋକ ଆହତ ହେଲେ । ଗହଳି ଶାନ୍ତ ହେବା ପରର କିଛି ଘଣ୍ଟା ପରେ ଆହତଙ୍କୁ ନିଆଗଲା ହସ୍ପିଟାଲ୍ । ହସ୍ପିଟାଲରେ ପହଂଚି ଏବେ କିଏ ନିଜ ପୁଅକୁ ଖୋଜୁଛି ତ କିଏ ମା’କୁ । ଆଉ ସଂପର୍କୀୟଙ୍କୁ ଖୋଜିବା ଭିତରେ ସାମ୍ନାକୁ ଆସୁଛି ଆଖି ଛଳଛଳ କରିଦେଲା ଭଳି କାହାଣୀ । 

Advertisment
kumbha
kumbha Photograph: (google)

ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରୁ ମହାକୁମ୍ଭ ଆସିଥିବା ଜଣେ ପୁଅ ଜୟପ୍ରକାଶ ନିଜ ମା’କୁ ମହାକୁମ୍ଭର ଅସ୍ଥାୟୀ ହସ୍ପିଟାଲରେ ପାଗଳ ପରି ଖୋଜୁଛନ୍ତି । କାନ୍ଦି କାନ୍ଦି ପୁଅ ଜଣକ କହୁଛନ୍ତି , ‘ରାତି ଗୋଟାଏ ବେଳେ ଭିଡ଼ ବଢିଯିବାରୁ ଲୋକ ଧାଁଦଉଡ଼ କଲେ । ଦଳାଚକଟା ଭିତରେ ଜଣଙ୍କ ଉପରେ ଜଣେ ପଡ଼ିଲେ । ସେ ଭିତରେ ମୋ ମା’ ବି ଥିଲେ । ମୁଁ ବଡ଼ କଷ୍ଟରେ ମୋ ସଂପର୍କୀୟଙ୍କୁ ବାହାର କରିଦେଲି କିନ୍ତୁ ମା’ଙ୍କୁ ବାହାର କରିପାରିଲି ନାହିଁ । ଶେଷରେ ମା’ଙ୍କୁ ବାହାର କଲାବେଳକୁ ତାଙ୍କ ନିଶ୍ବାସ ଅଟକିଯାଇଥିଲା । ଆମ୍ବୁଲାନ୍ସରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍ ଅଣାଗଲା । ହେଲେ ଏବେ ମୁଁ ମୋ ମା’ଙ୍କୁ ପାଉନି । ମୋ ମା’ କୁଆଡ଼େ ଗଲେ କେହି ଟିକେ କହିଦେଲେ ତାଙ୍କ ପାଖକୁ ମୁଁ ଯାଇପାରନ୍ତି ।’ ମହାକୁମ୍ଭର ଆଧ୍ୟାତ୍ମିକ ପରିବେଶରେ ଆତ୍ମା କାନ୍ଦିଲା ପରି ଏଭଳି ଦୃଶ୍ୟ ଦେଖଣାହାରୀଙ୍କୁ ଆହୁରି ମ୍ରିୟମାଣ କରୁଛି । 

kumbhaa
kumbhaa Photograph: (google)

ଏ ତ ଗଲା ଜଣେ ମା’ଙ୍କୁ ହଜାଇ କାନ୍ଦୁଥିବା ଜଣେ ପୁଅର କଥା । କିନ୍ତୁ ସେହି ମହାକୁମ୍ଭରେ ଏହି କିଛି ଦିନ ତଳେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଥିଲା । ଯେଉଁଥିରେ ପ୍ରବଳ ଥଣ୍ଡାରେ ପାଳଗଦା ଉପରେ ଦୁଇଜଣ ବୃଦ୍ଧ ଦମ୍ପତି ବସି ଶୀତରେ ଥୁରୁଥୁରୁ ହେଉଥିବାର ନଜର ଆସିଥିଲେ । ଜଣେ ହୃଦୟବାନ ବ୍ୟକ୍ତି ବୃଦ୍ଧ ଦମ୍ପତିଙ୍କ ଏଭଳି ଅବସ୍ଥା ଦେଖି ପାଖକୁ ଯାଇଥିଲେ ଆଉ ଅସୁବିଧା ପଚାରି ଟଙ୍କା ଦେଇଥିଲେ । ଦମ୍ପତି ଯାହା କହିଥିଲେ , ନ କାନ୍ଦିଲା ଲୋକ ଆଖିରୁ ବି ଲୁହ ବୋହିପଡ଼ିବ ଆଜ୍ଞା ।

old couple
old couple Photograph: (google)

ତିନି ତିନୋଟି ପୁଅବୋହୂର ସଂସାର ଭିତରେ ଶାଶୂଶ୍ବଶୁରଙ୍କୁ ନାହିନଥିବା ନିର୍ଯାତନା , ପେଟପୁରା ଖାଇବାକୁ ନ ଦେବାରୁ ଅତିଷ୍ଠ ହୋଇ ଏହି ଦମ୍ପତି କୁମ୍ଭମେଳାକୁ ଚାଲିଆସିଥିଲେ। ପୁଅବୋହୂ ବାହାରର ରାସ୍ତା ନ ଦେଖାଇଥିଲେ ହେଁ ବ୍ୟବହାର ଯଦି ଏତେ ଅତିଷ୍ଠ ହେବ କେଉଁ ବାପା , ମା’ ପାଖରେ ରହିବେ? ପାଖରେ ଟଙ୍କାଟିଏ ନାହିଁ କିଛି କିଣି ଖାଇବାକୁ , କମ୍ବଳଟିଏ ନାହିଁ ଘୋଡେଇ ହେବାକୁ .. ଏ କି ପ୍ରକାର ସମାଜରେ ଆମେ ବସବାସ କରୁଛେ । ଯେଉଁଠି ପିଲାବେଳେ ବାପା,ମା କେଉଁଠି ହଜିଯିବ ଭାବି ପିନ୍ଧାଲୁଗାରେ ହାତ ବାନ୍ଧି ପିଲାଙ୍କୁ ନେଉଥିଲେ । ଆଜି ସେହି ବୁଢା ବାପା,ମା’ଙ୍କୁ ମହାକୁମ୍ଭର ଗହଳିରେ ଜାଣିଶୁଣି ହାତଛଡ଼ା କରିଦେଉଛନ୍ତି ପିଲା । 

ମହାକୁମ୍ଭର ମହାଯାତ୍ରାରେ ଗୋଟିଏ ପଟେ ହଜିଥିବା ଆହତ ମା’କୁ ବିକଳ ହୋଇ ପୁଅ ଖୋଜୁଥିବା ବେଳେ ଅନ୍ୟପଟେ କୁଳାଙ୍ଗାର ପୁଅବୋହୂଙ୍କ କସାଘାତରେ ଅତିଷ୍ଠ ହୋଇ କାନ୍ଦୁଛନ୍ତି ବୁଢା ବାପା ,ମା’ । କହିବାକୁ ଗଲେ ଗୋଟିଏ ଜାଗାରେ ଶ୍ରବଣ କୁମାର ଆଉ ନିଷ୍ଠୁର ପୁଅର ଉଦାହରଣ ଦେଖୁଛି ମହାକୁମ୍ଭ ।