Liquor Tragedy Photograph: (Kanak News)
କନକ ବ୍ୟୁରୋ : ଖବର ବାଜିଲା, ପ୍ରଶାସନ ଚେତିଲା । ବିଧବା ଗାଁରେ ପହଞ୍ଚି ସିନ୍ଦୂରର ସୁରକ୍ଷା ପାଇଁ ଭରସା ଦେଲେ ସରକାରୀ ଅଧିକାରୀ । ଆମେ କହୁଛୁ ମଦ ଯୋଗୁଁ ଶହ ଶହ ମହିଳା ବିଧବା ପାଲଟିଥିବା ଗାଁ କଥା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ, କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ସାନକାଉଡ଼ି ଗାଁରେ ବ୍ଲକ୍ ପ୍ରଶାସନ ଓ ଅବକାରୀ ଅଧିକାରୀ ପହଞ୍ଚି ଲୋକଙ୍କ ସମସ୍ୟା ଶୁଣିଛନ୍ତି । ଆଉ ଦେଇଛନ୍ତି ସମାଧାନର ପ୍ରତିଶ୍ରୁତି ।
ସିନ୍ଦୂର ପୋଛୁଥିଲା, ସଂସାର ଉଜାଡ଼ୁଥିଲା ମଦ ରାକ୍ଷସ । ପୁରୁଷଶୂନ୍ୟ ହେଉଥିଲା ଗାଁ, ଘରେ ଘରେ ବିଧବା ମହିଳା । ସଧବାଙ୍କୁ ବି ଘାରିଥିଲା ଅକାଳ ବୈଧବ୍ୟର ଭୟ । ଛାତି ତଳେ କୁହୁଳୁଥିବା ନିଆଁ ଧିରେ ଧିରେ ବିଦ୍ରୋହର ରୂପ ନେଉଥିବା ବେଳେ, ସିନ୍ଦୂର ପାଇଁ ମହିଳାଙ୍କ ସଂଘର୍ଷରେ ସାଥି ହୋଇଛି କନକ ନ୍ୟୁଜ୍ । ପ୍ରାୟ ୪ଶହ ବିଧବା ମହିଳାଙ୍କ ଗାଁକୁ ନେଇ ଆମେ ପ୍ରସାରଣ କରିଥିଲୁ ଏକ୍ସକ୍ଲୁସିଭ୍ ଖବର । ଯେଉଁଠି ପ୍ରଶାସନର ପାଦ ପଡ଼ୁନଥିଲା, ନିଶା ବିରୋଧୀ ସଚେତନତାର ନାଁ ଗନ୍ଧ ନଥିଲା, ସେହି ସାନକାଉଡ଼ି ଗାଁ ଉପରେ ପଡ଼ିଛି ବ୍ୟବସ୍ଥାର ନଜର ।
ଅଧିକ ପଢ଼ନ୍ତୁ : ସଡ଼କ ପରେ ବିଧାନସଭାରେ ମଣ୍ଡିକୁ ନେଇ ଝଡ଼; ଧାନ ରଖି ପ୍ରତିବାଦ କଲେ ବିରୋଧୀ
କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜୟପୁର ବ୍ଲକ୍ ସାନକାଉଡ଼ି ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍, ବ୍ଳକ ପ୍ରଶାସନ ଓ ସାମାଜିକ ସଂଗଠନ । ମଦ ବିକ୍ରି ଉପରେ ରୋକ୍ ଲଗାଇବା ଓ ମଦ ମାଫିଆଙ୍କୁ ଧରିବା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି । ଏଥିସହ ବିଧବା ମହିଳାଙ୍କ ତାଲିକା ପ୍ରସ୍ତୁତ କରି ସମସ୍ତଙ୍କୁ ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଦିନ ଦ୍ୱିପହର ହେଉ କି ରାତି ଅଧ । ସାନକାଉଡ଼ି ଗାଁରେ ବେଧଡ଼କ ଚାଲୁଛି ମଦ ବିକ୍ରି । ମଦୁଆ ପାଲଟୁଛନ୍ତି ଯୁବଠୁ ବୟସ୍କ । ଖାଲି ଘରର ଆର୍ଥିକ ଅବସ୍ଥା ବିଗୁଡ଼ୁନି, ସ୍ୱାସ୍ଥ୍ୟହାନୀ ହୋଇ ମୃତ୍ୟୁ ବି ଘଟୁଛି । ୪ଶହରୁ ଊର୍ଦ୍ଧ୍ୱ ମହିଳା ଏହି ଗାଁରେ ବିଧବା ପାଲଟିଛନ୍ତି । ପ୍ରତି ମାସରେ ଜଣେ ୨ ଜଣ ମଦ ପିଇ ମୃତ୍ୟୁମୁଖରେ ପଡ଼ୁଥିବା କୁହାଯାଉଛି । ବାରମ୍ୱାର ମହିଳାଙ୍କ ଅଭିଯୋଗ ପରେ ବି ପ୍ରଶାସନ ଚେତୁନଥିବା ବେଳେ ଖବର ବାଜିବା ପରେ ଚେତିଛନ୍ତି ସରକାରୀ ବାବୁ । ଯାହାକି ମହିଳାଙ୍କ ମନରେ ଆଶା ସଞ୍ଚାର କରିଛି ।
ହଟଚମଟ ନୁହେଁ, ହତାଶ ନିରାଶ ମଣିଷଙ୍କ ବେଦନା ହିଁ ଆମ ପାଇଁ ବଡ଼ ଖବର । ଅପହଞ୍ଚ ଗାଁର ଅଶୁଣା ସମସ୍ୟା ହିଁ ଆମ ପ୍ରାଇମଟାଇମର ପ୍ରାଥମିକତା ।
Follow Us