କନକ ବ୍ୟୁରୋ : ଗୋଡ଼ରେ ଶିକୁଳି ବନ୍ଧା ହୋଇଥିବା ମାନସିକ ବିକାରଗ୍ରସ୍ତ ଝିଅଟିଏ ହେଉଛି ପାୟଲ । ଜନ୍ମର ୨ ମାସ ପରେ ଅନାଥ କରି ଆରପାରିକୁ ଚାଲିଗଲା ମାଆ । ପରେ ପରେ ଦ୍ଵିତୀୟ ବିବାହ କରି ବାପା ମଧ୍ୟ ଛାଡ଼ିଗଲା । ଏହାପରେ ଅଜା ଆଈଙ୍କ ପାଖରେ ରହି ଆସୁଥିଲେ ପାୟଲ । ହେଲେ ବିଧାତା ସେତକ ବି ସହିଲାନି । ୨ ମାସ ତଳେ ନାତୁଣୀକୁ ଛାଡ଼ି ପରପାରିକୁ ଚାଲିଗଲେ ଆଈ । ଆଉ ଏବେ ଅଜା ଗୟାଧର ମେହେର ୧୮ ବର୍ଷୀୟା ନାତୁଣୀ ପାୟଲର ଲାଳନ ପାଳନ କରିଆସୁଛନ୍ତି ।  

Advertisment

୧୮ ବର୍ଷୀୟା ପାୟଲଙ୍କ ଗୋଡ଼ରେ ଶିକୁଳି ପଡିଛି । ମାନସିକ ବିକୃତି ଥିବାରୁ କାଳେ କୁଆଡେ ବାହାରକୁ ଚାଲିଯିବ ସେହି ଭୟରେ ଗୋଡରେ ଶିକୁଳି ବାନ୍ଧି ରଖିଛନ୍ତି ଅଜା । ଏବେ ବଢିଲା ଝିଅର ସୁରକ୍ଷା ପାଇଁ ଆକୁଳ ନିବେଦନ କରିଛନ୍ତି । ନାତୁଣୀ ପାୟଲକୁ ଗତ ବର୍ଷେ ହେଲା ୧୨ ଶହ ଟଙ୍କା ଭତ୍ତା ମିଳୁଛି । ନିଜ ଅର୍ଜିତ ଚାଷ ଜମିରୁ କିଛି ଉପାର୍ଜନ କରି କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରୁଛନ୍ତି । ତେଣୁ ନାତୁଣୀର ଚିକିତ୍ସା କରି ତାକୁ ଥଇଥାନ କରିବା ପାଇଁ ସେ ପ୍ରଶାସନ ନିକଟରେ ନେହୁରା ହେଉଛନ୍ତି । ଅସହାୟ ପାୟଲ ପାଇଁ ଏବେ ଅଜା ହିଁ ଏକମାତ୍ର ସାହା। କିନ୍ତୁ ପରିଣତ ବୟସରେ କେତେବେଳେ ଯେ ତାଙ୍କର ମୃତ୍ୟୁ ହୋଇଯିବ, କହିହେବନି । ତେଣୁ ତାକୁ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଆଗେଇ ଆସିବା ଦରକାର । 

ଅଧିକ ପଢ଼ନ୍ତୁ--ଦୁଇ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ;ବଳି ପଡ଼ୁଛନ୍ତି ମତ୍ସ୍ୟଜୀବୀ ଓ ବ୍ୟବସାୟୀ ପରିବାର