କନକ ବ୍ୟୁରୋ : ସେମାନେ ବି ଆମ ଭଳି ମଣିଷ...ସେମାନଙ୍କୁ ବି ଖରା କାଟେ, ବର୍ଷା ଭିଯାଏ, ଶୀତ ଥରାଏ । ହେଲେ ହାଡ଼ଭଙ୍ଗା ଜାଡ଼ରେ ସେମାନଙ୍କ ରାତି ବିତୁଛି ଖୋଲା ଆକାଶ ତଳେ, ରାସ୍ତା କଡ଼ରେ ଆଉ ବସଷ୍ଟାଣ୍ଡରେ । ରାତ୍ରି ଆଶ୍ରୟସ୍ଥଳୀ ସତେ ଯେମିତି ପାଲଟିଛି ସାତ ସପନ । ରାତିର ଅନ୍ଧକାରଠୁ ବଳିଯାଉଛି ଥଣ୍ଡା । କିଏ ଚାଦର କମ୍ବଳ ଖଣ୍ଡେ ଘୋଡେଇ ହୋଇ ଜାକିଜୁକି ହୋଇ ଫୁଟ୍‌ପାଥ୍‌ରେ ଶୋଇଛି, ତ କିଏ ନିଜ ରିକ୍‌ସାକୁ କରିଛି ବିଛଣା । ଯେଉଁଠି ମଣିଷ, ସେଇଠି କୁକୁର । ଖୋଲା ଆକାଶ ତଳେ ପଡ଼ିଛନ୍ତି, ଆଶ୍ରା ସାଜିଛି ଚାଦର ଏବଂ ଖଣ୍ଡେଖଣ୍ଡେ କମ୍ବଳ । ଶୀତ ଦାଉରୁ ରକ୍ଷା ପାଇବାକୁ ରାଜଧାନୀରେ ଏମିତି ସଂଘର୍ଷ କରୁଛନ୍ତି ବାସହରା । କିଏ ରାସ୍ତା କଡ଼ରେ ତ କିଏ ବସଷ୍ଟାଣ୍ଡରେ ବିତାଉଛନ୍ତି ରାତି । 

Advertisment

ଅଧିକ ପଢ଼ନ୍ତୁ---ଫେଲ୍‌ ମାରିଛି ସିଏମ୍‌ସିର ମଶାମରା ଯୋଜନା; ଦୁର୍ନୀତି ଅଭିଯୋଗ ଆଣିଲେ କର୍ପୋରେଟର

ଅସହାୟ ବ୍ୟକ୍ତିଙ୍କ ପାଇଁ ରାଜଧାନୀରେ ରାତ୍ରି ଆଶ୍ରୟସ୍ଥଳ ବି ରହିଛି । ମାତ୍ର ନାନା ଅବ୍ୟବସ୍ଥା ଯୋଗୁଁ ଆଶ୍ରୟସ୍ଥଳକୁ ଯିବାକୁ ନାରାଜ ଲୋକେ। ସକାଳେ ଆଶ୍ରୟସ୍ଥଳୀ ଫାଟକ ଡେରିରେ ଖୋଲୁଥିବାରୁ କାମକୁ ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦିନ ମଜୁରିଆ । ଫଳରେ ଆଶ୍ରୟସ୍ଥଳୀ ଅପେକ୍ଷା ସେମାନେ ରାସ୍ତାକଡ଼କୁ ବାଛୁଥିବା କହିଛନ୍ତି । ଅନ୍ୟପଟେ ଆଶ୍ରୟସ୍ଥଳୀରେ ସମସ୍ତେ ରହୁଛନ୍ତି, ଯେଉଁମାନେ ବାହାରେ ଶୋଉଛନ୍ତି ସେମାନେ ବାହାର ରାଜ୍ୟର ବୋଲି ମେୟର କହିଛନ୍ତି । କିନ୍ତୁ ନିରାଶ୍ରୟଙ୍କ ବେଦନା କେବେ ଶୁଣିବ ପ୍ରଶାସନ ? କେବେ ସବୁକିଛି ବ୍ୟବସ୍ଥିତ କରିବ ବିଏମ୍‌ସି ?