koraput Photograph: (kanak news)
କନକ ବ୍ୟୁରୋ : ବଞ୍ଚିବା ପାଇଁ ଦିବ୍ୟାଙ୍ଗ ବାପା- ପୁଅଙ୍କ ସଂଘର୍ଷ । ଦିବ୍ୟାଙ୍ଗ ହେଲେ ଜୀବନ ଯୁଦ୍ଧରେ ହାର୍ ମାନିନାହାନ୍ତି । ସାଇକେଲ ମରାମତି କରି ମାସକୁ ୫ରୁ ୬ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । କୋରାପୁଟ ବୈପାରୀଗୁଡ଼ାରୁ ଦେଖିବା ଦିବ୍ୟାଙ୍ଗ ବାପା- ପୁଅଙ୍କ ସଂଘର୍ଷର କାହାଣୀ । ଦିବ୍ୟାଙ୍ଗ, ହେଲେ ଏହାକୁ ନିଜ ଦୁର୍ବଳତା ନୁହେଁ, ସାହାସରେ ପରିଣତ କରିଛନ୍ତି । ଜୀବନ ଯୁଦ୍ଧରେ ହାର ମାନିନାହାନ୍ତି । କାହା ଦୟାର ପାତ୍ର ନୁହେଁ, ବରଂ ସ୍ବାଭିମାନରେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ବୈପାରୀଗୁଡ଼ା ବ୍ଲକ ଦଶମନ୍ତପୁର ପଞ୍ଚାୟତ ଗିର୍ଲିପୁଟ ଗାଁର ବାପା- ପୁଅ । ବାପା ୫୫ ବର୍ଷୀୟ ବନସିଂ ଜନ୍ମରୁ ଦିବ୍ୟାଙ୍ଗ। । ପୁଅଟିଏ ହେଲା ତାର ବି ବାପାଙ୍କ ପରି ୨ଟି ଗୋଡ଼ ଅକାମୀ। ହେଲେ ଜିଇଁବା ଛାଡ଼ିନାହାନ୍ତି । ସାଇକେଲ ମରାମତି କରି ମାସକୁ ୫ରୁ ୬ ହଜାର ଟଙ୍କା ରୋଜଗାର କରୁଛନ୍ତି ।
ନିଜ ପୁଅକୁ ଭଲ ପାଠ ପଢ଼ାଇ ମଣିଷଟିଏ କରିବା ପାଇଁ ସ୍ବପ୍ନ ଦେଖିଥିଲେ ବନସିଂ । ହେଲେ ଅଭାବ ଅନାଟନ ପାଇଁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ଡମୁ । ଆଉ ବାପାଙ୍କୁ ସାଇକେଲ୍ ମରାମତିରେ ସାହାଯ୍ୟ କରିବାରେ ଲାଗିଗଲେ । ଧୀରେଧୀରେ ଆଖପାଖ ଗାଁର ଲୋକ ବନସିଂ ଓ ଡମୁଙ୍କ ଦୋକାନକୁ ସାଇକେଲ ମରାମତି ପାଇଁ ଆସିଲେ । ଆଉ ଏବେ ବାପା ପୁଅ ଦୁହେଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଯଦି ସରକାର କିଛି ଆର୍ଥିକ ସହାୟତା ଯୋଗାଇ ଦିଅନ୍ତେ ତେବେ ସେମାନେ ଏକ ସାଇକେଲ ଯନ୍ତ୍ରପାତି ଦୋକାନ ସହ ମରାମତି କାମ କରିପାରନ୍ତେ । ଏବଂ ଦିବ୍ୟାଙ୍ଗ ବାପା-ପୁଅ ସରଳ ଜୀବନଯାପନ କରିପାରନ୍ତେ ।
ଅଧିକ ପଢ଼ନ୍ତୁ---ଓଠରେ ହସ ଫୁଟାଇଲା କନକ ନ୍ୟୁଜ ; ନଭେମ୍ବରରେ ବାଜିଲା ଖବର, ଡିସେମ୍ବରରେ ଘର ଦେଲା ପ୍ରଶାସନ
Follow Us