କନକ ବ୍ୟୁରୋ: ଶୀତଦିନେ ପ୍ରାୟତଃ ଲୋକଙ୍କୁ ବହୁତ କମ୍ ଶୋଷ ଲାଗେ, ଯେଉଁଥିପାଇଁ ସେମାନେ ଦିନସାରା ମାତ୍ର ଏକ କିମ୍ବା ଦୁଇ ଗ୍ଲାସ ପାଣି ପିଇ ରହିଯାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି କମ୍ ପାଣି ପିଇବା ଆପଣଙ୍କ ଶରୀରର ଅଙ୍ଗ, ବିଶେଷ କରି କିଡନି ଏବଂ ଲିଭର ପାଇଁ କେତେ ବିପଜ୍ଜନକ ହୋଇପାରେ । ଆପଣଙ୍କୁ ଶୋଷ ନଲାଗିଲେ ମଧ୍ୟ ଶରୀରର ଆଭ୍ୟନ୍ତରୀଣ ସଫେଇ ପାଇଁ ଶୀତଦିନେ ମଧ୍ୟ ପାଣିର ବହୁତ ଆବଶ୍ୟକତା ଥାଏ । ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦିନକୁ ଅତି କମରେ ୨.୫ ରୁ ୩ ଲିଟର ପାଣି ପିଇବା ଉଚିତ । ଯଦି ଆପଣଙ୍କୁ ଶୀତରେ ସାଧା ପାଣି ପିଇବାରେ ଅସୁବିଧା ହେଉଛି, ତେବେ ଆପଣ ଏହାକୁ ଉଷୁମ କରି ପିଇପାରିବେ । ଏହା ବ୍ୟତୀତ ଆପଣ ନଡ଼ିଆ ପାଣି, ସତେଜ ଫଳ ରସ, ପନିପରିବା ଜୁସ୍ ଏବଂ ଘରେ ତିଆରି ସୁପ୍ ମାଧ୍ୟମରେ ମଧ୍ୟ ପାଣିର ପରିମାଣ ବଢ଼ାଇ ପାରିବେ ।

Advertisment

ବିଗିଡ଼ିପାରେ କିଡନିର ସ୍ୱାସ୍ଥ୍ୟ 
କିଡନି ଆମ ଶରୀରକୁ ସଫା କରୁଥିବା ଏକ ମେସିନ୍ ପରି । ଏହା ରକ୍ତକୁ ସଫା କରି ମଇଳାକୁ ପରିସ୍ରା ବାଟେ ବାହାରକୁ ବାହାର କରିଥାଏ । ଯେତେବେଳେ ଆପଣ କମ୍ ପାଣି ପିଅନ୍ତି, କିଡନି ମଇଳାକୁ ବାହାର କରିପାରେ ନାହିଁ । ଏହାଦ୍ୱାରା କିଡନିରେ ଷ୍ଟୋନ ହେବାର ଆଶଙ୍କା ବଢ଼ିଯାଏ । ଏଥିସହ ପରିସ୍ରାରେ ସଂକ୍ରମଣ, ପୋଡ଼ାଜଳା ସମସ୍ୟା ହୋଇପାରେ ଏବଂ ଦୀର୍ଘ ସମୟ ଧରି ଏପରି ହେବା ଦ୍ୱାରା ଆପଣଙ୍କ କିଡନି ଦୁର୍ବଳ ହେବାକୁ ଲାଗେ ।

ଅଧିକ ପଢନ୍ତୁ ; ଡାଳିମ୍ବ ଜୁସ୍‌ର ଚମତ୍କାରୀ ଫାଇଦା; ପିଇଲେ ପାଖ ମାଡ଼ିବନି କୌଣସି ରୋଗ !

ଲିଭର ପାଇଁ ବଢ଼ିଯାଏ ଅସୁବିଧା
କମ୍ ପାଣି ପିଇବା ଦ୍ୱାରା ଲିଭର ଉପରେ ଖରାପ ପ୍ରଭାବ ପଡ଼ିଥାଏ, କାରଣ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ ଲିଭରକୁ ପାଣିର ଆବଶ୍ୟକତା ଥାଏ । ପାଣିର ଅଭାବ ଯୋଗୁଁ ବିଷାକ୍ତ ପଦାର୍ଥ ଲିଭରରେ ଜମା ହେବାକୁ ଲାଗେ, ଯାହାଫଳରେ ଲିଭର ଉପରେ ଚାପ ପଡ଼େ ଏବଂ ଏହାର କାର୍ଯ୍ୟ ମନ୍ଥର ହୋଇଯାଏ ।
ଲିଭରର କାମ ହେଉଛି ଖାଦ୍ୟ ହଜମ କରିବା ଏବଂ ଶରୀରରୁ ବିଷାକ୍ତ ତତ୍ତ୍ୱ ଦୂର କରିବା । ପାଣିର ଅଭାବ ହେଲେ ରକ୍ତ ମୋଟା ହେବାକୁ ଲାଗେ, ଯେଉଁଥିପାଇଁ ଲିଭରକୁ ନିଜ କାମ କରିବା ପାଇଁ ବହୁତ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ଏହାଦ୍ୱାରା ଲିଭରରେ ପ୍ରଦାହ ହୋଇପାରେ ଏବଂ ଶରୀରର ଶକ୍ତି କମିବାକୁ ଲାଗେ ।

ପେଟ ସମସ୍ୟା ଏବଂ କୋଷ୍ଠକାଠିନ୍ୟ
ଶୀତଦିନେ ଆମେ ପ୍ରାୟତଃ ତେଲଛଣା କିମ୍ବା ଗରିଷ୍ଠ ଖାଦ୍ୟ ଖାଇଥାଉ । ଏହାକୁ ହଜମ କରିବା ପାଇଁ ପାଣି ଅତ୍ୟନ୍ତ ଜରୁରୀ । ଯଦି ଆପଣ କମ୍ ପାଣି ପିଇବେ, ତେବେ ପେଟ ଠିକ୍ ଭାବେ ସଫା ହେବ ନାହିଁ ଏବଂ କୋଷ୍ଠକାଠିନ୍ୟର ଅଭିଯୋଗ ରହିବ । ଏଥିସହ ପେଟରେ ଗ୍ୟାସ୍ ଏବଂ ଭାରିପଣ ମଧ୍ୟ ଅନୁଭବ ହେବ । ତେଣୁ ଶୀତଦିନେ କମ ଶୋଷ ଲାଗିଲେ ବି ଆବଶ୍ୟକ ଅନୁସାରେ ପାଣି ପିଇବା ଆବଶ୍ୟକ । ନଚେତ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଆଉ ଆପଣ ଛୋଟ ରୋଗରୁ ବଡ଼ ସମସ୍ୟାରେ ପଡ଼ିପାରନ୍ତି ।