Jagannath-Temple Photograph: (KanakNews)
କନକ ବ୍ୟୁରୋ : ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାରେ ତ୍ରୁଟି । ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ହିଁ ତ୍ରୁଟି ଧରାପଡିଛି । ଯାହାର ସମାଧାନ ଖୁବଶୀଘ୍ର କରାଯିବ । ସମ୍ପୂର୍ଣ୍ଣ ବ୍ୟବସ୍ଥିତ ହେବା ପରେ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ । ଜ୍ଞାନକୌଶଳ ବ୍ୟବହାର କରି ତ୍ରୁଟିର ସମାଧାନ ପାଇଁ ଦାୟିତ୍ବରେ ଥିବା ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ହେଲେ ହିଁ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏହାଦ୍ବାରା ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥାକୁ ଆହୁରି ସହଜ ଓ ସୁଗମ କରାଯାଇପାରିବ । ପୁରୀବାସୀଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ନେଇ ଯେଉଁ ଦାବି ଥିଲା ତାହାକୁ ତର୍ଜମା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଧାଡି ଦର୍ଶନ ବ୍ୟବସ୍ଥା କରିଛନ୍ତି ସରକାର ।
ଶ୍ରୀକ୍ଷେତ୍ରରେ ଆଜି ଠାରୁ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥ ବିଶ୍ୱ ଆଧ୍ୟାତ୍ମିକ ସମାବେଶ ୨୦୨୬ । ଏଥିରେ ଦେଶ ବିଦେଶର ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ସମାବେଶକୁ ଉଦଘାଟନ କରିଛନ୍ତି ପୁରୀ ପୀଠ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ । ତିନି ଦିନ ଧରି ଚାଲିବାକୁ ଥିବା ବିଶ୍ୱ ଆଧ୍ୟାତ୍ମିକ ସମାବେଶରେ ମୋଟ ୬ଟି ଅଧିବେଶନରେ ମହାପ୍ରଭୁ ଜଗନ୍ନାଥଙ୍କ ସଂପର୍କରେ ଆଲୋଚନା ହେବ । ବିଶେଷ କରି ବିଦେଶରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ । ଏହାକୁ କେମିତି ବନ୍ଦ କରାଯିବ ସେ ଉପରେ ବିଚାରବିମର୍ଶ କରାଯିବ । ଏଥିସହ ବିଶ୍ଵରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଚେତନାର ଜାଗରଣ, ଶ୍ରୀଜଗନ୍ନାଥ ଧାମ ନାମକରଣ ପ୍ରସଙ୍ଗ, ସବୁଠି ଶ୍ରୀଜଗନ୍ନାଥଙ୍କ ସେବାପୂଜାରେ ଐକ୍ୟତା ପ୍ରସଙ୍ଗରେ ଆଲୋଚନା ପାଇଁ ସୂଚୀବଦ୍ଧ କରାଯାଇଛି । ସମାବେଶରେ ଆମେରିକା, କେନିଆ, ତାଞ୍ଜାନିଆ, ନାଇଜେରିଆ, ଇଥିଓପିଆ, ଭିଏତନାମ, ଆୟାଲ୍ୟାଣ୍ଡ, ଦୁବାଇ, ଅଷ୍ଟ୍ରେଲିଆ, ୟୁନାଇଟେଡ୍ ଏମିରେଟ୍ସ, ନାସଭିଲେ, ମିଆଁମାର ଆଦି ବିଭିନ୍ନ ଦେଶରୁ ଆଧ୍ୟାତ୍ମିକ ଜିଜ୍ଞାସୁଙ୍କ ସମେତ ସାଧୁସନ୍ଥ ଓ ଭକ୍ତମାନେ ଯୋଗଦେଇଛନ୍ତି ।
ଅଧିକ ପଢ଼ନ୍ତୁ---ଲୋକସେବା ଭବନରେ ରିଲ୍ସ କରିବା ମନା: କଡ଼ା ଚେତାବନୀ ଦେଲେ ଆଇନ ମନ୍ତ୍ରୀ
Follow Us