କନକ ବ୍ୟୁରୋ : ବିଳମ୍ବରେ ଆସିବା ମହଙ୍ଗା ପଡିଲା । ଅଧିକାରୀଙ୍କ ପ୍ରବେଶକୁ ବାରଣ କଲେ ଜିଲ୍ଲାପାଳ । ରାୟଗଡ଼ାରେ ଚାଲିଥିଲା ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି । ହେଲେ ଅଭିଯୋଗ ପ୍ରକୋଷ୍ଠକୁ ଅଧିକାରୀ ନିର୍ଦ୍ଧାରିତ ସମୟରୁ ବିଳମ୍ବରେ ଆସିବାରୁ ଭିତରକୁ ପ୍ରବେଶ କରିବା ପାଇଁ ଜିଲ୍ଲାପାଳ ବାରଣ କରିଛନ୍ତି । ଆଜି ଚଳିତ ବର୍ଷର ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଦରମହକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚାଲିଥିଲା  I ନିର୍ଦ୍ଧାରିତ ସମୟ ଦିନ ୧୦ଟାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଠିକ ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପହଞ୍ଚି ସାରିଥିଲେ ମଧ୍ୟ ଅଧିକାଂଶ ଜିଲ୍ଲାସ୍ତରୀୟ ଅଧିକାରୀ ଶୁଣାଣିରେ ପହଞ୍ଚି ନଥିଲେ । ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ତୁରନ୍ତ ସୁରକ୍ଷା କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କୁ ବିଳମ୍ବରେ ଆସିଥିବା ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠ ଭିତରକୁ ନ ଛାଡିବା ପାଇଁ ନିର୍ଦେଶ ଦେଇଥିଲେ । ଏପରିକି ରାୟଗଡା ଉପଜିଲ୍ଲାପାଳଙ୍କୁ ମଧ୍ୟ ବିଳମ୍ବରେ ଆସିବାରୁ ଭିତରକୁ ଛଡା ଯାଇନଥିଲା । 

Advertisment

ଜିଲ୍ଲା ଅବକାରୀ ଅଧିକ୍ଷକ, ଉପନିବନ୍ଧକ ଡିଆରସିଏସ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଛଡ଼ାଯାଇନଥିଲା । ଏପରିକି ରାୟଗଡା ବିଡିଓ, ଜଙ୍ଗଲ ବିଭାଗର ଏସିଏଫ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀ ଓ  ଅନ୍ୟ କିଛି ଅଧିକାରୀଙ୍କୁ ଶୁଣାଣି ପ୍ରକୋଷ୍ଠକୁ ଛଡ଼ାଯାଇନାହିଁ । ଅପ୍ରିତିକର ପରିସ୍ଥିତିରେ ପଡିଯାଇଥିବା ଯୋଗୁଁ ଅଧିକାରୀ ବାଧ୍ୟ ହୋଇ ଶୁଣାଣି ପ୍ରକୋଷ୍ଠ ପାର୍ଶ୍ୱରେ ଥିବା ଇନୋଭେସନ ସେଲରେ ବସି ରହିଥିଲେ ।

ଅଧିକ ପଢ଼ନ୍ତୁ---ବିଡିଓଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ଉଦ୍ୟମ ଘଟଣା ; ବ୍ଲକରେ ତାଲା ପକାଇଲେ ଅଧିକାରୀ