କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ବାତ୍ୟା ପ୍ରଭାବରେ ବର୍ଷା ଆରମ୍ଭ ହୋଇଯାଇଛି । ରାୟଗଡ଼ା କାଶୀନଗରରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଧସି ଯାଇଛି । ଫଳରେ ଗରବା ଓ ଲିଙ୍ଗା ମଝି ରାସ୍ତାରେ ହୋଇଛି ଭୂସ୍ଖଳନ । ଗୁମ୍ମା-କାଶୀନଗରକୁ ସଂଯୋଗ କରୁଥିଲା ଏହି ରାସ୍ତା । ପାହାଡ଼ ଧସିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । 

Advertisment

ଏବେ ଭୀଷଣ ବାତ୍ୟା ରୂପ ନେଇ ସାରିଛି ବାତ୍ୟା ମୋନ୍ଥା । ଆଜି ରାତି ସୁଦ୍ଧା ଆନ୍ଧ୍ରର କାକିନାଡ଼ା ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି । ୧୧୦ କିମି ବେଗରେ ଝଟକା ପବନ ବହିପାରେ । ରାଜ୍ୟରେ ଏବେ ସୁଦ୍ଧା ପାତ୍ରପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ । ପ୍ରତି ବ୍ଲକରେ ହେଲ୍ପ ଡେସ୍କ ଖୋଲିଛି । ଏହା ସହିତ ପ୍ରଶାସନ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି । ଏହି କ୍ରମରେ କୋରାପୁଟରେ ସକ୍ରିୟ ରହିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଟୋଲ୍‌ ଫ୍ରି' ନମ୍ବରରେ କଲ୍‌ ସ୍ଥାନାନ୍ତର କିମ୍ବା ଅନ୍ୟାନ୍ୟ ସହାୟତା ନେଇ ପାରିବେ ଲୋକେ ।  ୧୦୭୭-୦୬୮୫୨-୨୫୧୧୦୧ କଲ୍‌ କରି ସହାୟତା ପାଇ ପାରିବେ ଲୋକେ । ଗତକାଲିଠାରୁ ମାଲକାନଗିରିରେ ବି ହେଲ୍ପଡେସ୍କ ସକ୍ରିୟ ରହିଛି । 

ଅଧିକ ପଢ଼ନ୍ତୁ--କେମିତି ହୁଏ ଲ୍ୟାଣ୍ଡଫଲ୍‌ପ୍ରକ୍ରିୟା ? ଏହାର ଅର୍ଥ କଣ ?

ସେପଟେ, ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପୂରା ପ୍ରସ୍ତୁତ ଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳ ବୁଲି ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ତଦାରଖ କରୁଛନ୍ତି ସ୍ଥାନୀୟ ପ୍ରଶାସନ । ଖଲ୍ଲିକୋଟ ବ୍ଲକରେ  ଚିଲିକା ଉପକୂଳ ରେ ଥିବା ୬ ଖଣ୍ଡ ପଞ୍ଚାୟତ ର ୧୨ ରୁ ୧୩ ଖଣ୍ଡ ଗ୍ରାମକୁ ବୁଲି ସ୍ଥିତି ପରିଖିଛନ୍ତି ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ତହସିଲଦାର ଡି ମାଲେଶ୍ୱର ପାତ୍ର , ବିଡ଼ିଓ ଦେବାଶିଷ ସାମଲ ଓ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ ପ୍ରଧାନ । ବାତ୍ୟାକୁ ମୁକାବିଲା କରିବା ପାଇଁ ଖଲ୍ଲିକୋଟ ବ୍ଲକରେ ଥିବା ୧୬ ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଓ ୧୫ ଅସ୍ଥାୟୀ ସ୍ଥଳ ସମ୍ପୂର୍ଣ ଭାବେ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଖଲ୍ଲିକୋଟ ବିଡ଼ିଓ । ଏହା ସହ ଆଉ କିଛି ସମୟ ପରେ ଗର୍ଭବତୀ ମହିଳା ମାନଙ୍କୁ ସ୍ଥାନାନ୍ତର କରାଯିବ ନେଇ ସୂଚନା ଦେଇଛନ୍ତି । ସେପଟେ ସରକାର କହିଥିବା ଜିରୋ କଜୁଆଲଟିକୁ ଧ୍ୟାନରେ ରଖି ସମ୍ପୁର୍ଣ୍ଣ ପ୍ରସ୍ତୁତ କରାଯାଇଥିବା ତହସିଲଦାର କହିଛନ୍ତି ।