କନକ ବ୍ୟୁରୋ: ସାମୁଦ୍ରିକ ଝଡ଼ ବା ବାତ୍ୟା ସ୍ଥଳ ଭାଗ ନିକଟତର ହୋଇ ଆରମ୍ଭ ହୋଇଥାଏ ଲ୍ୟାଣ୍ଡଫଲ୍ । ବାତ୍ୟା ଆସିଲେ ବାତ୍ୟା ଆଖି ଭଳି ଲ୍ୟାଣ୍ଡଫଲ୍ର ବି ଜୋରଦାର ଚର୍ଚ୍ଚା ହୋଇଥାଏ । ତେବେ କେବେ ମନକୁ ପ୍ରଶ୍ନ ଆସିଛି କି ଲ୍ୟାଣ୍ଡଫଲ ମାନେ କଣ? ବାତ୍ୟା ଆସିବା ପରେ କେମିତି ହୋଇଥାଏ ଲ୍ୟାଣ୍ଡଫଲ ପ୍ରକ୍ରିୟା ? ଆଉ ଲ୍ୟାଣ୍ଡଫଲ ପକ୍ରିୟା କେତେ ସମୟ ଧରି ଚାଲିଥାଏ ? ଅସଲରେ ଏହା କେତେ ଭୟଙ୍କର ହୋଇପାରେ ?
ବାତ୍ୟା ସୃଷ୍ଟି ହେବାପରେ ଧୀରେଧୀରେ ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ଗତି କରେ । ବାତ୍ୟାର ଆଖି ସ୍ଥଳଭାଗ ଛୁଇଁବା ପ୍ରକ୍ରିୟାକୁ ହିଁ କୁହାଯାଏ ‘ଲ୍ୟାଣ୍ଡଫଲ୍’ । ପ୍ରାୟତଃ ସମୁଦ୍ର ଭିତରେ ବାତ୍ୟା ସୃଷ୍ଟି ହେବାର ଚତୁର୍ଥ ଦିନରେ ହିଁ ଏହାର ଲ୍ୟାଣ୍ଡଫଲ୍ ହୋଇଯାଇଥାଏ । ତେବେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପାଣିପାଗର ମିଜାଜ ଉପରେ ବି ନିର୍ଭର କରେ । ପାଣିପାଗ ବିଜ୍ଞାନୀଙ୍କ ମତରେ ଏକ ଭୀଷଣ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୬ରୁ ୨୪ ଘଣ୍ଟା ଧରି ଚାଲିପାରେ । ଲ୍ୟାଣ୍ଡଫଲ୍ ପରେ ବାତ୍ୟା କେତେ କ୍ଷତି ଘଟାଇବ ତାହା ପବନର ବେଗ ନିର୍ଭର କରେ ।
ଲ୍ୟାଣ୍ଡଫଲ୍ ପରେ ବାତ୍ୟାରେ ସମୁଦ୍ରର ଉତ୍ତପ୍ତ ବାୟୁ ଏବଂ ଆର୍ଦ୍ରତା କମିଯାଏ । ଯାହାଫଳରେ ଏହାର ଗତି ବି ହ୍ରାସ ପାଏ । ଭୌଗୋଳିକ ଅବସ୍ଥିତି ଯୋଗୁଁ ପୂରା ଓଡ଼ିଶା କିନ୍ତୁ ବାତ୍ୟା ଜୋନ୍ରେ ଆସୁଛି । ଏବେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ଭୀଷଣ ବାତ୍ୟା ମୋନ୍ଥା । ତିନି ଦିନ ପାଇଁ ଦକ୍ଷିଣ ଓଡ଼ିଶାକୁ ଜାରି କରାଯାଇଛି ରେଡ୍ ୱାର୍ଣ୍ଣିଂ । ବାତ୍ୟା ମୁକାବିଲା ପାଇଁ ଆଲର୍ଟରେ ରହିଛନ୍ତି ସରକାର ଓ ପ୍ରଶାସନ ।
ବାତ୍ୟା ସ୍ଥଳଭାଗକୁ ପାଖେଇ ଆସିଲେ ବାତ୍ୟା ଆଖି ବିଷୟରେ ବି ଚର୍ଚ୍ଚା ହୁଏ । ପ୍ରକୃତରେ କହିବାକୁ ଗଲେ ବାତ୍ୟା କେନ୍ଦ୍ରୀଭୂତ ହୋଇଥିବା ସ୍ଥାନ ବା ଏହାର ମଧ୍ୟସ୍ଥଳକୁ ‘ଆଖି’ ବୋଲି କୁହାଯାଏ । ଏହି ସ୍ଥାନଟି କିନ୍ତୁ ବାତ୍ୟାର ବାହ୍ୟଭାଗ ତୁଳନାରେ ଆଶ୍ଚର୍ଯ୍ୟଜନକ ଭାବେ ଖୁବ୍ ଶାନ୍ତ । ସାଧାରଣତଃ ଏହି ‘ଆଖି’ର ପରିଧି ବା ଆକାର ୩୦ରୁ ୬୫ କିଲୋମିଟର ବ୍ୟାସାର୍ଦ୍ଧର ହୋଇଥାଏ । ଏହାର ଚାରିପଟେ ରହିଥାଏ ଏକ ବଳୟ । ଏହି ବଳୟ ହିଁ ଭୟଙ୍କର ଝଡ଼ ବାତ୍ୟାକୁ ଧରି ରଖିଥାଏ ।
ଯେତେବେଳେ ସମୁଦ୍ରର ପାଣି ଗରମ ହୁଏ ଏବଂ ଗରମ ପବନ ଉପରକୁ ଉଠିବା ଆରମ୍ଭ କରେ ସେତେବେଳେ ହିଁ ଏହା ବାତ୍ୟାର କାରଣ ସାଜେ । ସମୁଦ୍ରରେ ପବନ ଗରମ ହେବାପରେ ଏକ ନିମ୍ନ ଚାପ ସୃଷ୍ଟି କରେ । ଏହାପରେ ଗରମ ପବନ ଉପରକୁ ଉଠିବା ଆରମ୍ଭ କରେ, ଯାହା ଫଳରେ ସେଠାରେ ବାଦଲ ସୃଷ୍ଟି ହୁଏ ଏବଂ ଗରମ ପବନର ସ୍ଥାନ ପୂରଣ କରିବାକୁ ଥଣ୍ଡା ପବନ ତଳକୁ ଆସେ । ଯେତେବେଳେ ଏହି ଚକ୍ର ଦ୍ରୁତ ଗତିରେ ଚାଲେ, ବିଜୁଳି ଚମକେ ଏବଂ ପ୍ରବଳ ପବନ ସହିତ ଆରମ୍ଭ ହୋଇଯାଏ ବର୍ଷା । ଏବେ ବାତ୍ୟା ମୋନ୍ଥା ସୃଷ୍ଟି ହେବାପରେ ସ୍ଥଳଭାଗ ମୁହାଁ ହୋଇଛି । କେତେକ ସ୍ଥାନରେ ଏହାର ପ୍ରଭାବ ବି ଦେଖିବାକୁ ମିଳିଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/28/landfall-process-pkg-t-2025-10-28-11-21-34.jpg)