khallikota Photograph: (kanak news)
କନକ ବ୍ୟୁରୋ : ୧୫୦ ବର୍ଷ ଧରି ଗୋଟିଏ ଜାଗାରେ ବସବାସ କରୁଥିଲେ ମଧ୍ୟ ଆଜି ଯାଏ ପଟ୍ଟା ମିଳିପାରିନାହିଁ। ବାରମ୍ୱାର ଗୁହାରି କରିଛନ୍ତି ପରେ କିନ୍ତୁ ନା ପ୍ରଶାସନ ଦୁଃଖ ବୁଝୁଛି ନା ନେତାଙ୍କ ଆଖିରେ ପଡ଼ୁଛି। ବର୍ଷ ବର୍ଷ ହେଲାଣି ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି ୨୦ ପରିବାର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ୧ନଂ ୱାର୍ଡର ଚିକିଲି ବାଉରୀ ସାହି। ୧୫୦ ବର୍ଷ ତଳେ ସାହି ବାସିନ୍ଦାଙ୍କୁ ଖଲ୍ଲିକୋଟର ତତ୍କାଳୀନ ରାଜା ରହିବା ପାଇଁ ଜାଗା ଦେଇଥିଲେ। ସେବେଠୁ ଏହିଠାରେ ଘର କରି ରହି ଆସୁଛନ୍ତି ୨୦ ପରିବାର। କିନ୍ତୁ ଆଜି ପର୍ଯ୍ୟନ୍ତ ଜାଗାର ପଟ୍ଟା ମିଳିପାରୁନି। ତହସିଲଦାର, ଜିଲ୍ଲାପାଳ, ପୂର୍ବତନ ଓ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିଯୋଗ ହୋଇଛି। କିନ୍ତୁ ସ୍ଥିତି ବଦଳିନି। ସରକାର ସହରାଞ୍ଚଳ ଭୂମିହୀନଙ୍କ ପାଇଁ କରିଥିବା ଜାଗା ମିସନ ବି ଏଠାରେ ଦିଗହରା ! ସେଥିରେ ବି ସାମିଲ ହୋଇପାରିନାହାଁନ୍ତି ସାହି ବାସିନ୍ଦା ।
ପଟ୍ଟା ନହେବା କାରଣରୁ ଛାତ୍ରଛାତ୍ରୀଙ୍କର ଜାତିଗତ ଓ ବାସସ୍ଥାନ ପ୍ରମାଣପତ୍ର ହୋଇପାରୁନି। ଏଠାରେ ବସବାସ କରୁଥିବା ଲୋକେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ୨୦୨୦ରେ ରାଜ୍ୟ ସରକାର ୨୦ ପରିବାରଙ୍କୁ ପଟ୍ଟା ପାଇବା ପାଇଁ ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ସେମାନେ ରହୁଥିବା ଜାଗାର ପଟ୍ଟା ନହେଲେ ଅନ୍ୟତ୍ର ଜାଗା ଦେବା ନେଇ ପ୍ରମାଣ ପତ୍ରରେ ଉଲ୍ଲେଖ ଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ନା ପଟ୍ଟା ମିଳିଛି ନା ଅନ୍ୟ କେଉଁଠି ଜାଗା। ଅନ୍ୟପଟେ ବିଧାୟକ କହୁଛନ୍ତି, ‘ଗୃହ ଉନ୍ନୟନ ବିଭାଗ ସହ ଆଲୋଚନା ସରିଛି, ଖୁବ୍ଶୀଘ୍ର ପଟ୍ଟା ପ୍ରଦାନ କରାଯିବ। ଆଉ କେହି ରହିବେନି ଭୂମିହୀନ। ସମସ୍ତଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବ। ଏସବୁ କେବଳ ବଡ଼ ବଡ଼ ଭାଷଣ। ବାବଙ୍କ ମୁହଁ ଫୁଟାଣିର ବାସ୍ତବିକତା ଆପଣ ନିଜ ଆଖିରେ ଦେଖିଲେ। ଏବେ ୨୦ ପରିବାରକୁ କେବେ ପଟ୍ଟା ମିଳିବ ତାକୁ ହିଁ ଅପେକ୍ଷା ।
ଅଧିକ ପଢ଼ନ୍ତୁ---ଧର୍ମଗଡ଼ରେ ମଣ୍ଡି ଅଚଳାବସ୍ଥା ; ଖୋଲା ଆକାଶ ତଳେ ପଡ଼ିଛି କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ଧାନ
Follow Us