କନକ ବ୍ୟୁରୋ : ଜନ୍ମରୁ ଦୁଇଟି ଗୋଡ଼ ଅଚଳ । ତଥାପି କାହାରି ପାଖରେ ହାତ ପତେଇ ନାହାନ୍ତି । ବଞ୍ଚିବା ପାଇଁ ଅନ୍ୟ ଉପରେ ନିର୍ଭର କରି ନାହାନ୍ତି । ଜୀବନ ଯୁଦ୍ଧରେ ନହାରି ନିଜ ପେଟକୁ ଦାନା ଯୋଗାଇବା ସହ ସ୍ୱାଭିମାନର ସହ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଆମେ କହୁଛୁ ସ୍ୱାଭିମାନରେ ବଞ୍ଚୁଥିବା କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଡୁମୁରିଗୁଡା ଗ୍ରାମର ୫୮ ବର୍ଷୀୟ ଦୁକୁ ମାଝୀଙ୍କ କଥା ।
ଦୁଇଟି ଗୋଡ଼ କାମ କରୁନଥିଲେ ହେଁ ସକାଳ ହେବା ମାତ୍ରେ ଟ୍ରାଇ ସାଇକେଲରେ ମୁଢ଼ି ବସ୍ତା ଝୁଲାଇ ଦୁକୁ ବାହାରି ପଡ଼ନ୍ତି । ଗାଁ ଗାଁ ବୁଲି ବିକ୍ରି କରନ୍ତି ମୁଢ଼ି । ଯାହା ରୋଜଗାର ହୁଏ ସେତିକିରେ ଚଳନ୍ତି । ପ୍ରଶାସନ ପକ୍ଷରୁ ମିଳିଥିବା ଟ୍ରାଇ ସାଇକେଲରେ ମୁଢ଼ି ବସ୍ତା ଝୁଲାଇ ବିଭିନ୍ନ ଗ୍ରାମରେ ବିକ୍ରି କରନ୍ତି । ଦୀର୍ଘ ୩୭ ବର୍ଷ ହେଲା ଦୁକୁ ମୁଢ଼ି ବିକ୍ରି କରି ଚଳୁଛନ୍ତି ।
ଅଧିକ ପଢ଼ନ୍ତୁ : ଶିବଲିଙ୍ଗ ପଛରେ ମଣିଷ ଆକୃତିର ଛାଇ ! ବଡ଼ ଅଦ୍ଭୁତ ଭାରତର ରହସ୍ୟମୟ ମନ୍ଦିର
ଦୁକୁଙ୍କ କହିବା ଅନୁଯାୟୀ, ପ୍ରତିଦିନ ୧୫ ରୁ ୨୦ କିଲୋମିଟର ଟ୍ରାଇ ସାଇକେଲରେ ଯାତ୍ରା କରି ମୁଢ଼ି ବିକ୍ରି କରନ୍ତି । ପାରମ୍ପରିକ ରୀତିରେ ସେ ଏହି ବ୍ୟବସାୟ କରିଥାନ୍ତି । ଗୋଟିଏ ମାଣ ଧାନ ବଦଳରେ ଦୁଇ ମାଣ ମୁଢ଼ି ଦେଇଥାନ୍ତି । ଯେଉଁମାନେ ଧାନ ବଦଳରେ ପଇସା ଦେଇ ମୁଢ଼ି କିଣିବାକୁ ଚାହାନ୍ତି, ସେମାନେ ଗୋଟିଏ ମାଣ ମୁଢ଼ିକୁ ୧୦ ଟଙ୍କା ହିସାବରେ କିଣିଥାନ୍ତି । ଯଦି ମୁଢ଼ି ବିକ୍ରି ସମୟରେ ସନ୍ଧ୍ୟା ହୋଇଯାଏ ତେବେ ବିଭିନ୍ନ ସମୟରେ ଅନ୍ୟ ଗାଁରେ କାହାର ବାରଣ୍ଡାରେ ଶୋଇ ପଡ଼ିଥାନ୍ତି । ଘର ମାଲିକ ଯାହା ଖାଇବାକୁ ଦିଅନ୍ତି, ସେତିକି ଖାଇ ରାତି କଟେଇ ଦେଉଥିବା ଦୁକୁ କହିଛନ୍ତି । ପରଦିନ ପୁଣି ଜୀବନଜୀବିକା ପାଇଁ ଟ୍ରାଇ ସାଇକେଲ ଗଡ଼ାଇଥାନ୍ତି । ଭିନ୍ନକ୍ଷମ ହେଲେ ବି ଅନ୍ୟର ଦୟାର ପାତ୍ର ନହୋଇ ନିଜେ ପରିଶ୍ରମ କରି ପେଟ ପାଇଁ ଦାନା ଯୋଗାଡ଼ କରିବାରେ ସେ ଆଦୌ ଦୁଃଖିତ ନୁହନ୍ତି ବୋଲି ପ୍ରକାଶ କରିଛନ୍ତି ।
ଦୁକୁଙ୍କର ନିଜର ଦୁଇ ଭାଇ ଥିଲେ ମଧ୍ୟ କାହାରି ଉପରେ ବୋଝ ନହୋଇ ନିଜକୁ ମିଳିଥିବା ଇନ୍ଦିରା ଆବାସ ଘରେ ଏକାକୀ ରୁହନ୍ତି ଦୁକୁ । ପିଲାଟି ଦିନରୁ ବାପା ଓ ଭାଇଙ୍କ ସହିତ ରହି ଆସୁଥିଲେ । ହେଲେ ଜନ୍ମରୁ ଦୁଇଟି ଗୋଡ଼ ଅଚଳ ଥିବାରୁ ସେ କୌଣସି କାମ କରିପାରୁନଥିଲେ । ବାପାଙ୍କ ରୋଜଗାରରେ ଚଳୁଥିଲେ । କିଛି ବର୍ଷ ପରେ ଦୁକୁଙ୍କ ଦୁଇଭାଇ ବିବାହ କରିବା ପରେ ପରିବାର ସହ ଅଲଗା ହୋଇଗଲେ ।
ଅନ୍ୟପଟେ ବାପା ବି ପକ୍ଷାଘାତରେ ଆକ୍ରାନ୍ତ । ସବୁ ଆଡ଼ୁ ସାହାଯ୍ୟର ହାତ ଉଠିଯିବା ପରେ ନିଜେ ରୋଜଗାର କରି ଚଳିବା ପାଇଁ ନିଷ୍ପତ୍ତି ନେଇଥିଲେ ଦୁକୁ । ଆଉ ସେବେଠୁ ମୁଢ଼ି ବିକି ନିଜକୁ ସ୍ୱୟଂ ସମ୍ପୂର୍ଣ୍ଣ କରିଛନ୍ତି । ସ୍ୱାଭିମାନ ହିଁ ଦୁକୁଙ୍କୁ ଶକ୍ତି ଏବଂ ସାମର୍ଥ୍ୟ ଦେଇ ପାରିଛି । ଦୁକୁ ଭିନ୍ନକ୍ଷମ ଭତ୍ତା ପାଉଥିଲେ ମଧ୍ୟ ବଞ୍ଚିବା ପାଇଁ ଏକାକୀ ସଂଘର୍ଷ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/30/duku-majhi-2025-12-30-17-29-18.jpg)