କନକ ବ୍ୟୁରୋ : କୋଲକାତାରେ ମମତା ବାନାର୍ଜୀଙ୍କ ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପାକ୍ ଅଫିସରେ ଇଡି ଚଢ଼ାଉକୁ ବିରୋଧ କରିଛି ତୃଣମୂଳ କଂଗ୍ରେସ । ନୂଆଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଟିଏମସି ସାଂସଦଙ୍କ ସମେତ ବହୁ ନେତାଙ୍କୁ ପୁଲିସ ଉଠାଇ ନେଇଥିଲା। କୋଲକାତାରେ ମଧ୍ୟ ଜୋରଦାର ପ୍ରତିବାଦ କରାଯାଇଛି। ଏପଟେ ଇଡି ଓ ଟିଏମସି ରୁଜୁ କରିଥିବା ମାମଲାର ଶୁଣାଣିକୁ ହାଇକୋର୍ଟ ଜାନୁଆରି ୧୪କୁ ସ୍ଥଗିତ ରଖିଛନ୍ତି ।ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଫିସ ସାମ୍ନାରେ ତୃଣମୂଳ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଡେରେକ୍ ଓବ୍ରିଏନଙ୍କ ନେତୃତ୍ବରେ ମହୁଆ ମୈତ୍ର, ଶତାବ୍ଦୀ ରାୟ, କୀର୍ତ୍ତି ଆଜାଦ ପ୍ରମୁଖ ଏହି ପ୍ରତିବାଦରେ ସାମିଲ ହୋଇଥିଲେ। ଟିଏମସି ସାଂସଦଙ୍କୁ ଅଟକ ରଖିଥିଲା ପୁଲିସ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର କେନ୍ଦ୍ରୀୟ ସ୍ଥଂସ୍ଥାକୁ ବ୍ୟବହାର କରୁଥିବା ଟିଏମସି ଅଭିଯୋଗ କରିଛି।
ଅଧିକ ପଢ଼ନ୍ତୁ : ପଶ୍ଚିମବଙ୍ଗରେ SIR ଝଡ ; ମମତା ବାନାର୍ଜୀଙ୍କ ଆସନରୁ କଟିଲା ଏତିକି ଭୋଟରଙ୍କ ନାମ
ସେପଟେ ଇଡି ଚଢ଼ାଉର ପ୍ରତିବାଦରେ କୋଲକାତାରେ ବିକ୍ଷୋଭ ପ୍ରଦର୍ଶନର ନେତୃତ୍ବ ନେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ। କେନ୍ଦ୍ର ସରକାରଙ୍କ ବିରୋଧରେ ମମତା, ଦଳର ନେତା ଓ କର୍ମୀମାନେ ସମାନ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧୀ ସ୍ଲୋଗାନରେ କମ୍ପିଥିଲା ପରିବେଶ। ଆଇନଶୃଙ୍ଖଳା ରକ୍ଷା ପାଇଁ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଗୁରୁବାର କୋଲକାତାରେ ଆଇପ୍ୟାକ୍ ଅଫିସରେ ଇଡିର ଖାନତଲାସି ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚି କିଛି କାଗଜପତ୍ର ନେଇଯାଇଥିବା ଇଡି ଅଭିଯୋଗ କରିଛି। ମମତା ବାନାର୍ଜୀଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରି ଓ ଏତଲା ଦେବା ପାଇଁ ଇଡି କଲିକତା ହାଇକୋର୍ଟକୁ ଯାଇଥିବା ବେଳେ ଟିଏମସି ମଧ୍ୟ ଇଡି ବିରୋଧରେ ହାଇକୋର୍ଟକୁ ଯାଇଛି। ଆଜି ଶୁଣାଣି ହେବାର ଥିଲା। କିନ୍ତୁ କୋର୍ଟ ରୁମରେ ଅଧିକ ଭିଡ଼ ଓ ବିଶୃଙ୍ଖଳା ଯୋଗୁ ଜଷ୍ଟିସ ଶୁଭ୍ରା ଘୋଷ ଜାନୁଆରି ୧୪କୁ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। ସେପଟେ ଇଡି ବିରୋଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି।
Follow Us