କନକ ବ୍ୟୁରୋ : ପଶ୍ଚିମବଙ୍ଗରେ SIR ବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ରାଜନୀତି ଜୋର ଧରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନ ମଣ୍ଡଳୀ ଭବାନୀପୁର ସେହି କ୍ଷେତ୍ରଗୁଡିକ ମଧ୍ୟରେ ଅନ୍ୟତମ, ଯେଉଁଠାରୁ ସର୍ବାଧିକ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି । ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀ ତୁଳନାରେ ଭବାନୀପୁରରୁ ପ୍ରାୟ ଚାରି ଗୁଣ ଅଧିକ ନାମ ହଟାଯାଇଛି । ଶୁକ୍ରବାର ନିର୍ବାଚନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ତଥ୍ୟରୁ ଏହି ସୂଚନା ସାମ୍ନାକୁ ଆସିଛି । ଜନଗଣନା ଫର୍ମ ଦାଖଲ କରିବାର ସମୟସୀମା ଶେଷ ହେବାର ଗୋଟିଏ ଦିନ ପରେ ଆୟୋଗ ଏହି ଆଙ୍କଡା ଜାରି କରିଛନ୍ତି, ଯେଉଁଥିରେ ରାଜ୍ୟବ୍ୟାପୀ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅଧିକାରୀମାନେ କହିଛନ୍ତି ଯେ ସମଗ୍ର ରାଜ୍ୟରେ ସମାନ ନିୟମ ଅନୁସାରେ ଏହି ପ୍ରକ୍ରିୟା କରାଯାଇଛି ।

Advertisment

ତଥ୍ୟରୁ ଜଣାପଡିଛି ଯେ ଦକ୍ଷିଣ କୋଲକାତାର ଭବାନୀପୁର ନିର୍ବାଚନ ମଣ୍ଡଳୀରେ ୨,୦୬,୨୯୫ ଭୋଟରଙ୍କ ମଧ୍ୟରୁ ୪୪,୭୮୭ ନାମ ହଟାଯାଇଛି । ନନ୍ଦିଗ୍ରାମରେ ୨,୭୮,୨୧୨ ଭୋଟରଙ୍କ ମଧ୍ୟରୁ ୧୦,୫୯୯ ନାମ କଟାଯାଇଛି । ଆୟୋଗ କହିଛନ୍ତି ଯେ ମୃତ୍ୟୁ, ସ୍ଥାନାନ୍ତର, ଠିକଣା ମିଳୁନଥିବା ଏବଂ ଦୋହରା ନାମ ଭଳି ମାନକ ବର୍ଗ ଅଧୀନରେ ଏହି ନାମଗୁଡିକ ହଟାଯାଇଛି । ରାଜ୍ୟର ୨୯୪ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ଉତ୍ତର କୋଲକାତାର ଚୌରଙ୍ଗୀରେ ସର୍ବାଧିକ ନାମ ବାଦ୍ ଦିଆଯାଇଛି । ଏହା ପରେ କୋଲକାତା ପୋର୍ଟ ଏବଂ ଟାଲିଗଞ୍ଜର ସ୍ଥାନ ରହିଛି ।

ଅଧିକ ପଢ଼ନ୍ତୁ--SIRକୁ ନେଇ ପଶ୍ଚିମବଙ୍ଗ ପଲିଟିକ୍ସ ସରଗରମ: ମମତା କହିଲେ, ‘ମୁଁ SIR କରିବିନି’

ଭାରତୀୟ ଜନତା ପାର୍ଟିର ବିଧାୟକ ଥିବା ନିର୍ବାଚନ ମଣ୍ଡଳୀ ଯେପରିକି ଆସନସୋଲ ଦକ୍ଷିଣ ଏବଂ ଶିଲିଗୁଡିରେ ମଧ୍ୟ ନନ୍ଦିଗ୍ରାମ ଅପେକ୍ଷା ଅଧିକ ନାମ କଟାଯାଇଛି । ଜିଲ୍ଲାସ୍ତରୀୟ ତଥ୍ୟ ଅନୁସାରେ, ଦକ୍ଷିଣ ୨୪ ପ୍ରଗଣାରେ ସର୍ବାଧିକ ୮,୧୬,୦୪୭ ନାମ ହଟାଯାଇଛି । ସାମଗ୍ରିକ ଭାବେ SIR ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ୫୮ ଲକ୍ଷରୁ ଅଧିକ ନାମ ବାଦ୍ ଦିଆଯାଇଛି । ଆସନ୍ତା ମଙ୍ଗଳବାର ନିର୍ବାଚନ ଆୟୋଗ ଚିଠା ଭୋଟର ତାଲିକା ପ୍ରକାଶ କରିବେ ।

ତୃଣମୂଳ କଂଗ୍ରେସ ମୁଖପାତ୍ର କୃଶାନୁ ମିତ୍ର କହିଛନ୍ତି ଯେ ଦଳ ତଥ୍ୟ ଯାଞ୍ଚ କରିବ ଏବଂ କୌଣସି ପ୍ରକୃତ ଭୋଟରଙ୍କ ନାମକୁ ଉଦ୍ଦେଶ୍ୟମୂଳକ ଭାବେ ହଟାଯାଇଥିଲେ ଗଣତାନ୍ତ୍ରିକ ଉପାୟରେ ଏହାର ଜବାବ ଦିଆଯିବ । ଅନ୍ୟପକ୍ଷରେ ବିଜେପିର ମୁଖ୍ୟ ସଚେତକ ଶଙ୍କର ଘୋଷ କହିଛନ୍ତି ଯେ, ଏହି କାଟ୍‌ଛାଟ୍‌ ପ୍ରମାଣ କରୁଛି ଯେ ବଙ୍ଗଳାରେ SIRର ଆବଶ୍ୟକତା କାହିଁକି ଥିଲା । କାରଣ ଏହା ନକଲି ଭୋଟରଙ୍କ ସଂଖ୍ୟାକୁ ପଦାରେ ପକାଇଛି, ଯାହା ଟିଏମସିର ଅସଲ ଶକ୍ତି ଥିଲା ।