Kidney Disease Photograph: (Kanak News)
କନକ ବ୍ୟୁରୋ : କିଡ୍ନି ରୋଗ କବଳରେ ପୁରା ଗାଁ । ଜଣେ କି ଦୁଇ ଜଣ ନୁହେଁ, ୭୦ ପ୍ରତିଶତ ଲୋକ ରୋଗରେ ଯୁଝୁଛନ୍ତି । ରୋଗ ବ୍ୟାପିବାର କାରଣ କ’ଣ ଜଣାପଡ଼ୁନି । ବର୍ଷ ବର୍ଷ ଧରି ଲୋକ ଭୟଭୀତ ଅବସ୍ଥାରେ ଥିଲା ବେଳେ ଆଜି ଯାଏଁ କେହି ବି ଡାକ୍ତରୀ ଟିମ୍ ପହଞ୍ଚିନଥିବା ଅଭିଯୋଗ ହୋଇଛି । ନିଜ ପ୍ରଚେଷ୍ଟାରେ ଚିକିତ୍ସିତ ହେଉଛନ୍ତି ଲୋକେ ।
ଶରୀର ଦୁର୍ବଳ, ଆଖିରେ ଅସହାୟତା । ଖଟିଆ ଉପରେ ପଡ଼ିରହି ଜୀବନ ସହ ସଂଘର୍ଷ । ପ୍ରତ୍ୟେକଟି ମଣିଷ ଜୀବନରେ କଳା ବାଦଲ ସାଜିଛି କିଡ୍ନୀ ରୋଗ । ଖୁଣ୍ଟା ବ୍ଲକ ଭୋଳାଗଡିଆ ପଞ୍ଚାୟତର ମୋଚି ସାହି ଗାଁରେ ୨୦ରୁ ଅଧିକ ପରିବାର ବସବାସ କରନ୍ତି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ଗାଁର ୭୦ ପ୍ରତିଶତ ଲୋକ କିଡ୍ନି ରୋଗରେ ଆକ୍ରାନ୍ତ । କିଏ ୪ ମାସ ତ’ ଆଉ କିଏ ବର୍ଷ ବର୍ଷ ଧରି ଶଯ୍ୟାଶାୟୀ । ସବୁକିଛି ଠିକଠାକ ଥିବା ବେଳେ ହଠାତ ଶରୀର ଅସୁସ୍ଥ ହୋଇପଡ଼ୁଛି, ଆଉ ପରୀକ୍ଷା କରିବା ପରେ ସାମ୍ନାକୁ ଆସୁଛି କିଡ୍ନି ରୋଗ ।
ଅଧିକ ପଢ଼ନ୍ତୁ : ଆଇଏଏସ୍ ଅଧିକାରୀଙ୍କୁ ବି ଛାଡ଼ିଲେନି ସାଇବର ଠକ, ଅରିନ୍ଦମ ଡାକୁଆଙ୍କ ନାଁରେ ଟଙ୍କା ମାଗୁଛନ୍ତି ଲୁଟେରା
ଗାଁରେ ଦିନକୁ ଦିନ କିଡ୍ନି ରୋଗ କାୟା ମେଲାଇବାରେ ଲାଗିଛି । ରୋଗର କାରଣ କ’ଣ ଆଜି ପର୍ଯ୍ୟନ୍ତ ଜଣାପଡ଼ିନି । ଲୌହଜନିତ ପାଣି ପାଇଁ ରୋଗ ବ୍ୟାପୁଥିବା ଗାଁ ଲୋକ ଅନୁମାନ କରୁଛନ୍ତି । ଆଜି ଯାଏଁ ଗାଁକୁ କୌଣସି ଡାକ୍ତରୀ ଟିମ୍ ଯାଇନାହାନ୍ତି ! ଆକ୍ରାନ୍ତ ମାନେ ବାହାରୁ ଔଷଧ କିଣି ଖାଉଛନ୍ତି । କିଛି ଜଣଙ୍କ କ୍ଷେତ୍ରରେ ଏହା ସମ୍ଭବ ହେଉନଥିବାରୁ ଔଷଧ ଖାଇବା ବନ୍ଦ କରିଦେଇଛନ୍ତି ।
କେବେ ସ୍ୱାସ୍ଥ୍ୟ ବିଭାଗର ଗାଁ ଉପରେ ନଜର ପଡ଼ିବ, କେବେ ଲୋକେ ସ୍ୱାଭାବିକ ଜୀବନ ଜିଉଁଛନ୍ତି ତାକୁ ଅପେକ୍ଷା ।
Follow Us