କନକ ବ୍ୟୁରୋ : ଆଇଏଏସ ଅଧିକାରୀଙ୍କୁ ବି ଡରୁନାହାନ୍ତି ସାଇବର ଲୁଟେରା । ବରିଷ୍ଠ ଆଇଏଏସ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ନାଁରେ ସାଇବର ଲୁଟ । ସାଇବର ଥାନାରେ ଅଭିଯୋଗ କଲେ ଅଧିକାରୀ । ଅରିନ୍ଦମ ଡାକୁଆଙ୍କ ନାଁ ନେଇ ଲୋକଙ୍କ ଟଙ୍କା ମାଗୁଛନ୍ତି ସାଇବର ଲୁଟେରା । ଏକାଧିକ ଲୋକଙ୍କଠାରୁ ଏଭଳି ଠକେଇ କରିଛନ୍ତି ସାଇବର ଲୁଟେରା । ଏନେଇ ସୂଚନା ପାଇଁ ପରେ ଅରିନ୍ଦମ ଡାକୁଆ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ନାମ ଓ ବ୍ୟକ୍ତିଗତ ତଥ୍ୟକୁ ଅଜଣା ବ୍ୟକ୍ତିମାନେ ଜାଲ୍ ଭାବେ ବ୍ୟବହାର କରୁଥିବାରୁ ସାଇବର୍ ପୁଲିସରେ ଅଭିଯୋଗ ଦାଖଲ କରିଛନ୍ତି ।

Advertisment

ସାଇବର ଲୁଟେରା ବ୍ୟବହାର କରୁଥିବା ମୋବାଇଲ ନମ୍ବର ତାଙ୍କ ନାମରେ ନଥିବା ନେଇ ସଂଚାସାଥୀ ଆପରୁ ସ୍ପଷ୍ଟ ହୋଇଥିବା ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଭଳି ସାଇବର ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି । ଶ୍ରୀ ଡାକୁଆ ,୨୦୧୧ ବ୍ୟାଚ୍ ଓଡ଼ିଶା କ୍ୟାଡ୍ର ଆଇଏଏସ୍, ବର୍ତ୍ତମାନ  ନିର୍ଦ୍ଦେଶକ, ପୌର ପ୍ରଶାସନ ତଥା ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ଅଜଣା ବ୍ୟକ୍ତିମାନେ ତାଙ୍କ ନାମରେ ଏକ ମୋବାଇଲ୍ ନମ୍ବର ଓ ଇମେଲ୍ ଆଇଡି ବ୍ୟବହାର କରୁଥିବା ଜଣାପଡ଼ିଛି, ଯାହା ଏୟାରଟେଲ୍ କମ୍ପାନୀଦ୍ୱାରା "ଶ୍ରୀ ଡାକୁଆ" ନାମରେ ଜାରି କରାଯାଇଛି ।

ଅଧିକ ପଢନ୍ତୁ :  ପୁଲିସ ପୋଷାକରେ ଭିଡିଓ କଲ୍‌ କରୁଛନ୍ତି ସାଇବର ଲୁଟେରା; ⁠ବରିଷ୍ଠ ନାଗରିକଙ୍କୁ କରୁଛନ୍ତି ଟାର୍ଗେଟ୍‌

ଏହି ଘଟଣା ଜାଲ୍ ପରିଚୟ ଚୋରିର ଏକ ଗମ୍ଭୀର ଉଦାହରଣ ବୋଲି ବିବେଚନା କରାଯାଉଛି । ଏପରି ଜାଲ୍ ନମ୍ବର ଓ ଇମେଲ୍ ମାଧ୍ୟମରେ ଲୋକଙ୍କୁ ଠକାଇବା, ଜାଲ୍ ଚାକିରି ପ୍ରସ୍ତାବ, ଆର୍ଥିକ ଠକେଇ କିମ୍ବା ଅନ୍ୟାନ୍ୟ ସାଇବର୍ ଅପରାଧ କରାଯାଇଥାଏ ବୋଲି ସନ୍ଦେହ କରାଯାଉଛି । ପୁଲିସ୍ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।