କନକ ବ୍ୟୁରୋ:ରାଜଧାନୀରୁ ଭଞ୍ଜନଗରକୁ ବାହାରିଥିଲା ବସ୍‌ ।ଖୋର୍ଦ୍ଧା ହେଉହେଉ ଡ୍ରାଇଭରଙ୍କ ଛାତିରେ ହୋଇଥିଲା ଅସହ୍ୟ ଯନ୍ତ୍ରଣା । କିଛି ବୁଝିବା ପୂର୍ବରୁ ନିଶ୍ୱାସ ରୁନ୍ଧି ହେଇଯାଉଥଲା । ହେଲେ ଷ୍ଟିୟରିଂରୁ ହାତ ଉଠାଇନଥିଲେ ଡ୍ରାଇଭର ବାବୁ । ୫୦ରୁ ଅଧିକ ଯାତ୍ରୀ ଥିବା ବସ୍‌କୁ ରାସ୍ତାକଡ଼କୁ ନେଲା ବେଳକୁ ସବୁକିଛି ସରି ଯାଇଥିଲା । ଲିଭିଯାଇଥିଲା ଜୀବନ ଦୀପ । ହାର୍ଟଆଟାକ୍‌ରେ ହାରିଗଲେ ଡ୍ରାଇଭର ବାବୁ । 

Advertisment

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା । ଗତ ଶନିବାର ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତ ଗୋଡ଼ିଆଳି ଗାଁର ବାସିନ୍ଦା ଶରତ ମାର୍ଥା ଅନ୍ୟ ଦିନ ଭଳି ବରମୁଣ୍ଡାରୁ ଯାତ୍ରୀବାହୀ ବସ୍‌ ‘ବିଶାଖା’ ନେଇ ବାହାରି ଥିଲେ । ଅପରାହ୍ଣ ୩ଟାରେ ଭୁବନେଶ୍ୱରରୁ ବସ୍ ବାହାରି ଯାଇଥିଲା । ହେଲେ ବୋଲଗଡ଼ରେ ପହଞ୍ଚିବା ପୂର୍ବରୁ ଗାଡ଼ି ଚାଳକଙ୍କ ଛାତିରେ ଆରମ୍ଭ ହୋଇଯାଇଥିଲା ଅସହ୍ୟ ଯନ୍ତ୍ରଣା । ଅସହ୍ୟ ଯନ୍ତ୍ରଣାକୁ ଚାପି ରଖି କୌଣସି ମତେ ବୋଲଗଡ଼ ବସ୍‌ଷ୍ଟାଣ୍ଡ୍‌ରେ ବସ୍‌ ପହଞ୍ଚାଇ ଦେଇଥିଲେ । ଯନ୍ତ୍ରଣା ସତ୍ତ୍ୱେ ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରାଣେପ୍ରାଣେ ଉଦ୍ୟମ କରିଥିଲେ ଶରତ । କିନ୍ତୁ ସେତେବେଳେକୁ ତାଙ୍କ ଅବସ୍ଥା ଗୁରୁତର ହୋଇ ସାରିଥିଲା । ଏ ସବୁ ଘଟଣା ଯାତ୍ରୀମାନଙ୍କ ଆଖି ଆଗରେ ଘଟି ଯାଇଥିଲା । ରାସ୍ତା ଉପରେ ଗାଡ଼ି ଅଟକାଇ ବନେଟ୍ ଉପରେ ଆଉଜି ପଡ଼ିଥିଲେ  ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀମାନେ । 

ସେନାକୁ ବଳ ଦେବ ଦେଶୀ ରାଫେଲ, ଟେକ୍ନୋଲୋଜି ଟ୍ରାନ୍ସଫର୍‌ ଉପରେ ଭାରତର ଜୋର

ଅଧିକ ଅସୁସ୍ଥ ହୋଇଯିବା ପରେ ବସ୍‌ର ହେଲପର ସ୍ଥାନୀୟ ଲୋକଙ୍କ ସହାୟତାରେ ଶରତଙ୍କୁ ଏକ ଅଟୋରେ ନେଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅଭାବନୀୟ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।  

ଶରତ ନିଜେ ଯନ୍ତ୍ରଣାରେ ଛଟପଟ ହୋଇ ବି ବସ୍‌ର ଭାରସାମ୍ୟ ହରାଇ ନଥିଲେ । ସେ ସିନା ଆଉ ନାହାନ୍ତି, ହେଲେ ଯିବା ପୂର୍ବରୁ ୫୦ ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି । ଶରତଙ୍କ ପତ୍ନୀ  ଏବଂ ଦୁଇ ଏବେ ପିଲା ଏବେ ବେସାହାର ହୋଇଯାଇଛନ୍ତି । କାରଣ ପରିବାର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ ଶରତ । ସେପଟେ ଜୀବନ ବଞ୍ଚାଇଥିବାରୁ ଦିବଙ୍ଗତ ଆତ୍ମା ଶରତଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ଯାତ୍ରୀମାନେ । ଏବେ ତାଙ୍କ ପରିବାରୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ।