କନକ ବ୍ୟୁରୋ : ଇରାନରେ ଇସଲାମିକ ଶାସନ ବିରୋଧରେ ଚାଲିଥିବା ପ୍ରତିବାଦ ଏକ ହିଂସାତ୍ମକ ପ୍ରତିବାଦରେ ପରିଣତ ହୋଇଛି । ଇରାନ ସରକାରଙ୍କ ନିର୍ଦ୍ଦେଶରେ ସୁରକ୍ଷା ବାହିନୀ ଅନେକ ସ୍ଥାନରେ ଗୁଳି ଚଳାଇଥିବା ରିପୋର୍ଟ ସାମ୍ନାକୁ ଆସିଛି । ତେହେରାନର ଜଣେ ଡାକ୍ତର କହିଛନ୍ତି, ରାଜଧାନୀ ତେହେରାନର ଛଅଟି ହସ୍ପିଟାଲରେ ୨୧୭ ଜଣ ପ୍ରତିବାଦକାରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରାଯାଇଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଗୁଳି ମାଡ଼ରେ ପ୍ରାଣ ହରାଇଛନ୍ତି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଏହି ପ୍ରତିବାଦ ପାଇଁ ଆମେରିକାକୁ ଦାୟୀ କରିଛନ୍ତି ।
ଯଦି ଏହି ମୃତ୍ୟୁ ସଂଖ୍ୟା ଠିକ୍ ହୋଇଥାଏ, ତେବେ ଏହା ଇରାନରେ ସରକାର ବିରୋଧୀ ପ୍ରତିବାଦର ଏକ ନିର୍ମମ ଦମନକୁ ସୂଚିତ କରୁଛି । ବିରୋଧ ଆରମ୍ଭ ହେବା ପରଠାରୁ ସରକାର ଦେଶରେ ଇଣ୍ଟରନେଟ୍ ଏବଂ ଫୋନ୍ ସଂଯୋଗକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଡିସେମ୍ବର ୨୮ ତାରିଖରେ ଆର୍ଥିକ ସଙ୍କଟର ପ୍ରତିବାଦ କରି ଏହା ଆରମ୍ଭ ହୋଇଥିଲା । ଏବେ ଏହା ଦେଶର ସମସ୍ତ ୩୧ଟି ପ୍ରଦେଶକୁ ବ୍ୟାପିଛି । ଲୋକେ ରାସ୍ତାକୁ ଓହ୍ଲାଇ ଇସଲାମିକ ଶାସନକୁ କ୍ଷମତାରୁ ହଟାଇବାକୁ ଦାବି କରୁଛନ୍ତି । ପ୍ରତିବାଦକାରୀମାନେ "ସ୍ୱାଧୀନତା" ଏବଂ "ଏକଛତ୍ରବାଦୀ ମୁର୍ଦାବାଦ" ସ୍ଲୋଗାନ ଦେଉଛନ୍ତି ।
ଅଧିକ ପଢ଼ନ୍ତୁ---ନୀତିଶଙ୍କୁ ଦିଅ ଭାରତ ରତ୍ନ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେସି ତ୍ୟାଗୀ
ଇରାନୀ ଡାକ୍ତର ଦାବି କରିଛନ୍ତି, ବିରୋଧ ଭୟଙ୍କର ହେବା ସହିତ, ସୁରକ୍ଷା ବାହିନୀ ଅନେକ ଅଞ୍ଚଳରେ ପ୍ରତିବାଦକାରୀଙ୍କ ଉପରେ ସିଧାସଳଖ ଗୁଳି ଚଳାଇଥିଲେ । ଶୁକ୍ରବାର ଦିନ ହସ୍ପିଟାଲରୁ ମୃତଦେହ ବାହାର କରାଯାଇଥିଲା । ମୃତକଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଥିଲେ । ଉତ୍ତର ତେହେରାନର ଏକ ପୁଲିସ ଷ୍ଟେସନ ବାହାରେ ମେସିନ୍ ଗନ୍ରୁ ଗୁଳି ଚାଳନା କରାଯିବାରୁ ଅନେକ ପ୍ରତିବାଦକାରୀ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ଏହି ଘଟଣାରେ ୩୦ ଜଣଙ୍କୁ ଗୁଳି କରାଯାଇଥିଲା । ଅଧିକାଂଶ ରାଲି ଶାନ୍ତିପୂର୍ଣ୍ଣ ରହିଥିଲା, କିନ୍ତୁ କିଛି ସରକାରୀ କୋଠାରେ ଭଙ୍ଗାରୁଜା ହୋଇଥିବା ରିପୋର୍ଟ ଆସିଛି । ଇରାନୀ ପ୍ରତିବାଦକାରୀମାନେ ତେହେରାନର ଅଲ-ରସୁଲ ମସଜିଦରେ ନିଆଁ ଲଗାଇ ଦେଇଛନ୍ତି ।
ମାନବାଧିକାର ସଂଗଠନଗୁଡ଼ିକ ଡାକ୍ତରଙ୍କ ଦାବି ଅପେକ୍ଷା ମୃତ୍ୟୁ ସଂଖ୍ୟା କମ୍ ଥିବା ରିପୋର୍ଟ କରିଛନ୍ତି । ୱାଶିଂଟନ୍ ସ୍ଥିତ ଏକ ମାନବାଧିକାର କର୍ମୀ ସମ୍ବାଦ ସଂସ୍ଥା ଅନୁଯାୟୀ, ଏପର୍ଯ୍ୟନ୍ତ ୪୯ ଜଣ ସାଧାରଣ ନାଗରିକଙ୍କ ସମେତ ୬୩ ଜଣଙ୍କ ମୃତ୍ୟୁ ହୋଇଛି । ତଥାପି, ଇରାନରେ ସରକାର-ନିୟନ୍ତ୍ରିତ ଗଣମାଧ୍ୟମ ଏବଂ ବିଦେଶୀ ସମ୍ବାଦ ସଂସ୍ଥାଗୁଡ଼ିକ ଉପରେ କଡ଼ା କଟକଣା ଯୋଗୁ ମୃତ୍ୟୁ ସଂଖ୍ୟା ଭିନ୍ନ ଭିନ୍ନ ପ୍ରକାଶ ପାଇଛି । ଇରାନୀ ନେତୃତ୍ୱ ପ୍ରଦର୍ଶନକାରୀଙ୍କ ଉଦ୍ଦେଶ୍ୟରେ ଏକ କଠୋର ବାର୍ତ୍ତା ଜାରି କରିଛନ୍ତି । ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି କହିଛନ୍ତି, ଇସଲାମିକ୍ ଗଣରାଜ୍ୟ ଏଭଳି ଲୋକଙ୍କ ଆଗରେ ମୁଣ୍ଡ ନୁଆଁଇବ ନାହିଁ ।
ତେହେରାନର ପବ୍ଲିକ ପ୍ରସିକ୍ୟୁଟର ଚେତାବନୀ ଦେଇଛନ୍ତି, ପ୍ରତିବାଦକାରୀମାନେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହୋଇପାରନ୍ତି । ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ (ଆଇଆରଜିସି) ଅଧିକାରୀ ପିତାମାତାଙ୍କୁ ସେମାନଙ୍କ ପିଲାମାନଙ୍କୁ ପ୍ରଦର୍ଶନରୁ ଦୂରେଇ ରଖିବାକୁ କିମ୍ବା ଗୁଳି ଚାଳନା ହେଲେ ରିପୋର୍ଟ ନ କରିବାକୁ ଅନୁରୋଧ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖାମେନିଙ୍କ ନେତୃତ୍ୱାଧୀନ ଇସଲାମିକ୍ ଶାସକକୁ ଚେତାବନୀ ଦେଇଛନ୍ତି ଯେ, ଯଦି ପ୍ରତିବାଦକାରୀମାନଙ୍କୁ ହତ୍ୟା କରାଯାଏ ତେବେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ।
ସୂଚନାଯୋଗ୍ୟ,ଇରାନର ଅର୍ଥନୀତି ଦୀର୍ଘ ଦିନ ଧରି ଚାପରେ ରହିଛି । ଦେଣ ପରମାଣୁ କାର୍ଯ୍ୟକ୍ରମ ସହିତ ଜଡିତ ଥିବାରୁ ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କ ପକ୍ଷରୁ ଲାଗୁ ହୋଇଥିବା ପ୍ରତିବନ୍ଧକ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ୨୦୨୫ ଜୁନ୍ ମାସରେ ଇସ୍ରାଏଲ ସହିତ ୧୨ ଦିନିଆ ଯୁଦ୍ଧ ସହିତ ଆଞ୍ଚଳିକ ଉତ୍ତେଜନା ଯୋଗୁ ଦେଶର ପରିସ୍ଥିତି ଆହୁରି ଖରାପ ହୋଇ ପଡ଼ିଛି । ଇରାନର ମୁଦ୍ରା, ରିଆଲ,୨୦୨୫ ମସିହାରେ ଆମେରିକୀୟ ଡଲାର ତୁଳନାରେ ପ୍ରାୟ ଅଧା ମୂଲ୍ୟ ହରାଇଥିବା ଅର୍ଥ ବିଶେଷଜ୍ଞ ମତପୋଷଣ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/10/khamenei-2026-01-10-14-59-30.jpg)