କନକ ବ୍ୟୁରୋ: ଗୋଟିଏ ରାଜ୍ୟ ଭିନ୍ନଭିନ୍ନ ନିୟମ । ଗୋଟିଏ ଜିଲ୍ଲା ଭିତରେ ବି ରାଜ୍ୟ ସରକାରଙ୍କର ଭିନ୍ନନୀତି । ଆମେ କହୁଛୁ, ବନ ବିଭାଗର କେନ୍ଦୁପତ୍ର ବିକ୍ରି ନିୟମର କଥା ।  ଜୟପୁର ଫରେଷ୍ଟ ଡିଭିଜନ ଅଧୀନରେ ମାଲକାନଗିରିକୁ କେନ୍ଦୁପତ୍ର ବିକ୍ରି ପାଇଁ ଅନୁମତି ଥିବାବେଳେ କୋରାପୁଟର ବୈପାରିଗୁଡାକୁ ନାହିଁ ଅନୁମତି । ସରକାରଙ୍କ ଅଜବ ନିୟମରେ ଛନ୍ଦି ହୋଇଛନ୍ତି ହଜାର ହଜାର କେନ୍ଦୁପତ୍ର ତୋଳାଳି । 

Advertisment

କେନ୍ଦୁପତ୍ର ତୋଳିବାରେ ବ୍ୟସ୍ତ ଅଛନ୍ତି କୋରାପୁଟର ଆଦିବାସୀ ମହିଳାମାନେ । ଜଙ୍ଗଲରୁ କେନ୍ଦୁ ପତ୍ର ସଂଗ୍ରହ କରି ଦି ପଇସା ରୋଜଗାର ଆଶାରେ ଏମିତି ପରିଶ୍ରମ କରିଚାଲିଛନ୍ତି । ବୟସକୁ ଖାତିର ନକରି କୋଳଥଯୋଡ଼ିର ବୃଦ୍ଧା ମୁକ୍ତା ଖରାବି କେନ୍ଦୁପତ୍ର ସଂଗ୍ରହରେ ଲାଗିପଡିଛନ୍ତି । ଏଥର କେନ୍ଦୁପତ୍ର ବିକ୍ରି ପାଇଁ ସରକାର ଅନୁମତି ଦେଇ ଦେବେ ବୋଲି ଆଶା ରଖିଛନ୍ତି ମୁକ୍ତା । ଅନ୍ୟପଟେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପଟ୍ଟା ଧରି ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି କୋଳଥଯୋଡି ଗ୍ରାମସଭାର ସଭାପତି । ଏହି ପଟ୍ଟା ଆଧାରରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ବିକ୍ରି କରିପାରିବେ । କିନ୍ତୁ କେନ୍ଦୁପତ୍ରକୁ ନେଇ ସରକାରଙ୍କ ଅଜବ ନୀତି ପାଇଁ ପ୍ରତିବର୍ଷ କ୍ଷତି ସହୁଛନ୍ତି କେନ୍ଦୁପତ୍ର ତୋଳାଳି । 

ଜଙ୍ଗଲରୁ ସଂଗ୍ରହ ହେଉଥିବା କେନ୍ଦୁପତ୍ରର ବିକ୍ରି ପାଇଁ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ନିୟମ ରହିଛି । ମାଲକାନଗିରି, ନବରଙ୍ଗପୁର,କଳାହାଣ୍ଡିର ୧୧ଟି ଗ୍ରାମସଭାକୁ କେନ୍ଦୁପତ୍ର ବିକ୍ରି ପାଇଁ ଅନୁମତି ମିଳିଛି । ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ, ଗ୍ରାମସଭା କେନ୍ଦୁପତ୍ର ବିକ୍ରି କରିପାରିବେ । ଅଥଚ କୋରାପୁଟର ଗ୍ରାମସଭାକୁ ଏହି ଅଧିକାର ଦେବାକୁ ନାରାଜ ସରକାର । ଜୟପୁର ଫରେଷ୍ଟ ଡିଭିଜନ ଅଧୀନରେ ମାଲକାନଗିରିକୁ କେନ୍ଦୁପତ୍ର ବିକ୍ରି ପାଇଁ ଅନୁମତି ଥିବାବେଳେ କୋରାପୁଟର ବୈପାରିଗୁଡ଼କୁ ନାହିଁ ଅନୁମତି । ମାଲକାନଗିରି ଓ ନବରଙ୍ଗପୁର ଗ୍ରାମସଭା କେନ୍ଦୁପତ୍ର ବିଡ଼ାକୁ ୫ ଟଙ୍କା ଓ କଳାହାଣ୍ଡି ଗ୍ରାମସଭା ବିଡ଼ା ପିଛା ୭ ଟଙ୍କାରେ ଲୋକଙ୍କ ଠାରୁ କିଣି ଘରୋଇ ସଂସ୍ଥାକୁ ବିକ୍ରି କରୁଛନ୍ତି । ଅନ୍ୟପଟେ ବନ ବିଭାଗ ମାତ୍ର ୩ ଟଙ୍କା ୨୦ ପଇସାରେ କିଣନ୍ତି କେନ୍ଦୁପତ୍ର । ଯାହାର ଫାଇଦା ନେଉଛନ୍ତି ଦଲାଲ । 

କେନ୍ଦୁପତ୍ର ତୋଳାଳିଙ୍କୁ ନେଇ ଅତୀତରେ କିଛି ରାଜନୈତିକ ଦଳ ଅନେକ ରାଜନୀତି କରିଥିଲେ ବି ଏମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କୌଣସି ଦଳ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଜଙ୍ଗଲ ମନ୍ତ୍ରୀଙ୍କୁ ଭେଟି ସମସ୍ୟା ବି ଜଣାଇଛନ୍ତି, ତଥାପି ସମାଧାନର ବାଟ ବାହାରିପାରି ନାହିଁ ।