Kartik Purnima Photograph: (Kanak News)
କନକ ବ୍ୟୁରୋ : ରାତିପାହିଲେ ପଞ୍ଚୁକ ବ୍ରତର ଅନ୍ତିମ ଦିନ ବା କାର୍ତ୍ତିକ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ । ଏହାସହିତ ମହୋଦଧିରେ ସ୍ନାନକରି ଡଙ୍ଗାଭସାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଓ ସମୁଦ୍ରକୂଳରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୁଲିସ ପ୍ରଶାସନ ।
କାଲି ପଞ୍ଚୁକର ଶେଷ ଦିନ ବା କାର୍ତ୍ତିକ ପୂର୍ଣ୍ଣିମ । ସ୍ୱର୍ଣ୍ଣ ଆଭୂଷଣରେ ସଜ୍ଜିତ ହେବା ସହ ରାଜରାଜେଶ୍ୱର ବା ରାଜାଧିରାଜ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । କାର୍ତ୍ତିକ ପୂର୍ଣ୍ଣିମାରେ ମହୋଦଧିରେ ସ୍ନାନ ସହିତ ମହାପ୍ରଭୁଙ୍କୁ ଦର୍ଶନ କଲେ, ମହାପୁଣ୍ୟ ମିଳିଥାଏ ବୋଲି ରହିଛି ବିଶ୍ୱାସ । ସେଥିପାଇଁ ଶ୍ରୀକ୍ଷେତ୍ରରେ ଆଜିଠୁ ଏକାଠି ହେଲାଣି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । ପ୍ରବଳ ଭିଡ଼ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଅଧିକ ପଢ଼ନ୍ତୁ : ପଞ୍ଚୁକ ବ୍ରତ, ଏଥର ୫ ନୁହେଁ ୪ ଦିନ
ବିଶେଷକରି ସମୁଦ୍ରକୂଳରେ ମୋବାଇଲ ପାଟ୍ରୋଲିଂ ଭ୍ୟାନ୍ ଓ ସୁରକ୍ଷିତ ସ୍ନାନ ପାଇଁ ୨ଟି ଫେଜ୍ରେ ୩୦୦ରୁ ଅଧିକ ଲାଇଫଗାର୍ଡ ମୁତୟନ ହେବେ । ସେହିପରି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡରେ ଗହଳି ନିୟନ୍ତ୍ରଣ କରାଯିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁଲିସ ପକ୍ଷରୁ ୪୫ ପ୍ଲାଟୁନ୍ ଫୋର୍ସ ସହ ୭ଜଣ ଅତିରିକ୍ତ ଏସ୍ପି, ଡେପୁଟି ଏସ୍ପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପାହ୍ୟାର ୨୫ ଜଣ, ଇନ୍ସପେକ୍ଟର ପାହ୍ୟାର ୪୯ଜଣ ମୁତୟନ ରହିବେ ।
ଆଜି କାର୍ତ୍ତିକ ମାସର ପଞ୍ଚୁକର ତୃତୀୟ ଦିନର ଚତୁର୍ଦ୍ଦଶୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁ ଡାଳିକିଆ ବା ଲକ୍ଷ୍ନୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଶ୍ରୀଜିଉଙ୍କ ମସ୍ତକରେ ସ୍ୱର୍ଣ୍ଣ ଖଚିତ କିଆରେ ସଜ୍ଜିତ କରାଯାଇଛି । ଆସନ୍ତାକାଲି ପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଣୁ ନୀତି ଶୃଙ୍ଖଳିତ ପାଇଁ ଆଜି ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇନପାରେ ।
କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହେବ । ଏଥିପାଇଁ ଶ୍ରୀମନ୍ଦିରରେ କିଭଳି ନୀତି ସୁରୁଖୁରରେ ହେବ ଏବଂ ଭକ୍ତଙ୍କ ଶୃଙ୍ଖଳିତ ପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରାଯାଇଛି ।
Follow Us