କନକ ବ୍ୟୁରୋ: ଦେଶରେ ଏବେ କଂଗ୍ରେସ ଅବସ୍ଥା କ'ଣ ତାହା ସମସ୍ତେ ଉଣା ଅଧିକେ ଜାଣନ୍ତି । ପୂରା ଦେଶରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବିଜେପି ନିଜ ଦଖଲକୁ ନେବାରେ ଲାଗିଛି । ଏହାରି ଭିତରେ କଂଗ୍ରେସ ଚିନ୍ତାରେ ପଡ଼ିଛି । କାରଣ ଦଳର ଦଖଲରେ ଥିବା କର୍ଣ୍ଣାଟକରେ ଦଳୀୟ ବିଶୃଙ୍ଖଳା ଭୟଙ୍କର ରୂପ ନେଲାଣି । କୁହାଯାଉଛି କି, ଦଳର ସିଏମ ଚୌକିକୁ ନେଇ ଶିବକୁମାର ଓ ସିଦ୍ଧରମୈୟାଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି । ଯେଉଁଥି ଲାଗି ଖୋଦ୍ କେନ୍ଦ୍ରୀୟ ନେତୃ ମଣ୍ଡଳ ବି ଚିନ୍ତାରେ ଅଛନ୍ତି ।
ଖାଲି ଏତିକି ନୁହେଁ ବରଂ ପିସିସି ସଭାପତି କିଏ ହେବେ ? ସେନେଇ ବି ତୁ ତୁ ମେଁ ମେଁ ରହିଛି । ବର୍ତ୍ତମାନ ସମୟରେ ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ପାଖରେ କଂଗ୍ରେସ ଅଧ୍ୟକ୍ଷ ପଦ ରହିଛି । ତେଣୁ ସେ କୌଣସି ପରିସ୍ଥିତିରେ ବି ପଦ ଛାଡ଼ିବାକୁ ଇଚ୍ଛା କରୁନାହାନ୍ତି । ହେଲେ କଂଗ୍ରେସର କେନ୍ଦ୍ରୀୟ ନେତୃମଣ୍ଡଳ ଇଚ୍ଛା କରୁଛନ୍ତି ଅଧ୍ୟକ୍ଷ ପଦ ବଦଳାଇବାକୁ । କିନ୍ତୁ ବାରମ୍ବାର ଭେଟଘାଟ ପରେ ଶିବକୁମାର ସ୍ପଷ୍ଟ ଭାବରେ କହିଛନ୍ତି, ମୁଁ ସେତେବେଳେ ପଦ ଛାଡ଼ିବି ଯେତେବେଳେ ମୁଖ୍ୟମନ୍ତ୍ରୀ ପଦ ମିଳିବ । ଯାହା ଦଳକୁ ଅଡୁଆ ପରିସ୍ଥିତିରେ ପକାଇଛି । ବର୍ତ୍ତମାନ ଦଳରେ କୌଣସି ପ୍ରକାର ବିଶୃଙ୍ଖଳା ଚାହୁଁନାହାନ୍ତି ରାହୁଲ ଓ ପ୍ରିୟଙ୍କା । ତେଣୁ ଅଧ୍ୟକ୍ଷ ପଦ ଏବେ ବଦଳିବ ନାହିଁ ସ୍ପଷ୍ଟ ହୋଇଛି । ହେଲେ ବି ଆଗାମୀ ଦିନରେ ଅଧ୍ୟକ୍ଷ ପଦ ବଦଳାଯିବା ନେଇ ଚର୍ଚ୍ଚା ଜୋର ଧରିଛି ।
ସିଦ୍ଧରମୈୟା ଚାହୁଁଛନ୍ତି ବଦଳୁ ଅଧ୍ୟକ୍ଷ ପଦ !
କଂଗ୍ରେସର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଚାହୁଁଛନ୍ତି ଅଧ୍ୟକ୍ଷ ପଦ ବଦଳୁ । ଖାଲି ସେ ନୁହେଁ ବରଂ ତାଙ୍କ ମନ୍ତ୍ରିମଣ୍ଡଳର ଅନେକ ଗୋଷ୍ଠୀ ବି ଏକଜୁଟ୍ ହୋଇ ଏହି ଦାବି କରୁଛନ୍ତି । ସେମାନଙ୍କ କହିବା ଅନୁସାରେ, ଜଣେ ନେତାଙ୍କୁ ଗୋଟିଏ ପଦ ମିଳୁ । ଯାହାଦ୍ବାରା ଅନେକ ବଡ଼ ନେତା ପଦବୀ ପାଇବେ ଓ ଦଳ ମଜବୁତ୍ ହେବ । କିନ୍ତୁ ଏମିତି ବିଚିତ୍ରି ସ୍ଥିତିରେ ଶିବକୁମାର ରାଜି ନାହାନ୍ତି ପଦବୀ ଛାଡ଼ିବାକୁ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପାଖାପାଖି ୪୮ ଜଣ ନେତା ଅଧ୍ୟକ୍ଷ ପଦ ବଦଳାଇବାକୁ ଦାବି କରିଛନ୍ତି ।
ସେପଟେ ଶିବକୁମାର କହିଛନ୍ତି, ପିସିସି ସଭାପତି ବଜାରର ଦୋକାନରେ ମିଳେ ନାହିଁ । ଯିଏ ଚାହିଁବ ସିଏ ନେଇଯିବ । ଖାଲି ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି, ଗଣମାଧ୍ୟମରେ ଯାହା ଚର୍ଚ୍ଚା ହୁଏ ସେଥିରେ ଦଳ କୌଣସି ନିଷ୍ପତ୍ତି ନିଏ ନାହିଁ । ସେପଟେ ଲୋକ ନିର୍ମାଣ ମନ୍ତ୍ରୀ ବି ଅଧ୍ୟକ୍ଷ ପଦକୁ ନେଇ କୁଆଡ଼େ ଜୋରଦାର ଲବି କରୁଛନ୍ତି । କହିଛନ୍ତି, ଦେଶର ଲୋକସଭା ନିର୍ବାଚନ ସରିବା ପରେ ଅଧ୍ୟକ୍ଷ ପଦର ଲମ୍ବା ଲିଷ୍ଟ ଏଆଇସିସିର ମହାସଚିବ କେସି ବେଣୁଗୋପାଳଙ୍କ ପାଖରେ ରହିଛି । ତେଣୁ ୨୦୨୮ ନିର୍ବାଚନ ପୂର୍ବରୁ ଦଳକୁ ମଜବୁତ୍ କରିବାକୁ ହେଲେ ଅଧ୍ୟକ୍ଷ ପଦରେ ନୂଆ ନେତା ବସିବା ଦରକାର ।
ଶିବକମାର-ସିଦ୍ଧରମୈୟାଙ୍କ ମଧ୍ୟରେ ଏବେ ବି ବିବାଦ !
କଥାହେଲା ଶିବକୁମାର ଓ ସିଦ୍ଧରମୈୟାଙ୍କ ମଧ୍ୟରେ ଲାଗିଥିବା ବିବାଦ ଏବେ ବି ରହିଛି । କିଛିଦିନ ତଳେ ଉଭୟ ନେତା କହିଥିଲେ ଆମ ଭିତରେ କିଛି ବିବାଦ ନାହିଁ । ହେଲେ ଏହା ସଂପୂର୍ଣ୍ଣ ମିଛ ବୋଲି ମିଡିଆରେ ଚର୍ଚ୍ଚା ହେଉଛି । ଯଦି ବିବାଦ ନାହିଁ ତେବେ ଉଭୟ ନେତାଙ୍କ ସମର୍ଥକ ଅଧ୍ୟକ୍ଷ ପଦ ଲାଗି କାହିଁକି ଅଳି କରୁଛନ୍ତି ? ସେନେଇ ବି ନାନାପ୍ରକାର ପ୍ରଶ୍ନ ଗୁଞ୍ଜରଣ ହେଉଛି । କୁହାଯାଉଛି କି, ଶିବକୁମାର ଭାବୁଛନ୍ତି ଅଧ୍ୟକ୍ଷ ପଦ ତାଙ୍କ ପାଖରେ ରହିଲେ ମୁଖ୍ୟମନ୍ତ୍ରୀ ସହଜରେ ହୋଇପାରିବେ । ତେଣୁ ସେ ପଦ ଛାଡ଼ିବାକୁ ନାରାଜ । ତେଣୁ କଂଗ୍ରେସରେ ଲାଗିଥିବା ଶୀତଳ ଯୁଦ୍ଧ କେବେ ଶୀଥିଳ ହେବ ସେନେଇ ଏବେ ଭାରି ଚର୍ଚ୍ଚା ।