କନକ ବ୍ୟୁରୋ :  ନିର୍ବାଚନ ହାରିବା ପରେ ବିଜେଡି ଏବେ ଡରି ଡରି ବଂଚିଛି କି ? କିଛି ଏମିତି ଚର୍ଚ୍ଚା ଏବେ ଜୋରଦାର ହେଉଛି । କାରଣ ମୁସଲିମ୍‌ ସମୁଦାୟ ୱାକଫ୍‌ ସଂଶୋଧନ ବିଲ୍‌କୁ ଜୋରଦାର ବିରୋଧ କରୁଛି । କାଳେ ମୁସଲିମ୍‌ ଭୋଟ୍‌ ବିଜେଡି ହାତରୁ ପଳାଇବ ତେଣୁ ଇଫତାର ପାର୍ଟିର ସେଲିବ୍ରେସନ୍‌ ନାଁରେ ଏନେଇ ଆଲୋଚନା ହୋଇଥିଲା । ସଭାପତି ନବୀନ ପଟ୍ଟନାୟକ କହିଥିଲେ କି, ବିଜେଡି ବିଲ୍‌କୁ ବିରୋଧ କରାଯିବ । ନିଷ୍ପତ୍ତି ଅନୁସାରେ ବିଜେଡି ବିଲ୍‌କୁ ବିରୋଧ କରିବ ବୋଲି ନେତାଏ ବୟାନ ଦେଲେ । ହେଲେ ଏହାପରେ ବିଜେଡିର କେବଳ ଜଣିଏ ସାଂସଦ ସସ୍ମିତ ପାତ୍ର ବିଲ୍‌ ସପକ୍ଷରେ ଭୋଟ୍‌ ଦେଇଦେଲେ । ଏ କଥା ସେ ନିଜେ ଗଣମାଧ୍ୟମ ଆଗରେ କହିଛନ୍ତି । 

Advertisment

ବିଜେଡିକୁ ଡର ମୁସଲିମ୍‌ ଭୋଟ୍‌ !
ସେଇଥି ପାଇଁ ବିରୋଧ କରିବାର କଲା ନାଟକ
ବିରୋଧ କରିବା ନିଷ୍ପତ୍ତି ପରେ ସମର୍ଥନ ହେଲା କେମିତି ?
ଏତେ ଚର୍ଚ୍ଚା ହେଲାଣି
ନବୀନ ନିରବ କାହିଁକି ?
କାହାକୁ ବଂଚାଇବାକୁ ଚେଷ୍ଟା କରୁଛନ୍ତି ନବୀନ ?

ୱାକଫ୍ ବିଲ୍‌କୁ ନେଇ ପୂରା ଦେଶରେ ଜୋରଦାର ଚର୍ଚ୍ଚା ହେଉଛି । ଏହାରି ଭିତରେ ବିଜେଡି କେମିତି ସମର୍ଥନ ଦେଲା ବିଲ୍‌କୁ ସେନେଇ ନେତା ବି ଖପ୍ପା । ଗଣମାଧ୍ୟମ ସାମ୍ନାରେ ରୋକଠୋକ ନେତା ବୟାନ ଦେଲେଣି କି, ସସ୍ମିତ ଦଳ ବିରୋଧରେ ଯାଇଛନ୍ତି । ତେଣୁ ତାଙ୍କ ବିରୋଧରେ ଆକ୍ସନ ହେଉ । କିନ୍ତୁ ଆକ୍ସନ ନେବା ଲୋକ ସଭାପତି । ହେଲେ ସେ ଅସମ୍ଭବ ନିରବତା ଅବଲମ୍ବନ କରିଛନ୍ତି । ଯାହା ଆହୁରି ସନ୍ଦେହ ବଢାଇଲାଣି । 

ଭୋଟ୍‌ ବିଭାଜନ ଚିନ୍ତାରେ କି ବିଜେଡି
ସମର୍ଥନ, ବିରୋଧର ଜଟିଳ ଗଣିତରେ ଫସିଗଲେ ନେତା !

ୱାକଫ୍‌ ସଂଶୋଧନ ବିଲ୍‌ । ଲୋକସଭାରେ ପାସ୍‌ ହେବା ପରେ ରାଜ୍ୟସଭାରେ ବି ପାସ୍‌ ହେଲା । ସଂଖ୍ୟା ଗଣିତକୁ ଦେଖିଲେ ସ୍ପଷ୍ଟ ଜଣାପଡୁଥିଲା କି ଏନଡିଏ ବିଲ୍‌ ପାସ୍‌ କରିବାରେ କୌଣସି କଷ୍ଟ ହେବ ନାହିଁ । ସେଇୟା ବି ହେଲା । ହେଲେ ବିଲ୍‌କୁ ନେଇ ଛନ୍ଦି ହୋଇଗଲା ବିଜେଡି । ଗୋଟିଏ କଥା ସ୍ପଷ୍ଟ, ବିଜେଡି ହାତରୁ କାଳେ ମୁସଲିମ୍‌ ଭୋଟ୍‌ ଖସିଯିବ ତେଣୁ ବିରୋଧ କରିବାର ନାଟକ କଲା । ସେପଟେ ବିଜେପି ସହ ଭିତିରିଆ ସଲାସୁତୁରା କରି ସମର୍ଥନ ବି ଦେଲା । ଅବଶ୍ୟ ନେତା କହିଲେ ବିବେକ ଅନୁସାରେ ଭୋଟ୍‌ ଦେଇଛୁ । ହେଲେ ଦଳୀୟ ନିଷ୍ପତ୍ତିକୁ ବିରୋଧ କରି କେମିତି ବିବେକ ଅନୁସାରେ ସସ୍ମିତ ଭୋଟ୍‌ ଦେଇଥିଲେ ତାହା କିନ୍ତୁ ବୁଝାପଡ଼ିଲା ନାହିଁ । କେହି କେହି କହିଲେଣି ନବୀନଙ୍କ ନିରବତା ପଛରେ ଅନେକ ଗୁଢ ରହସ୍ୟ ରହିଛି । ହେଲେ ସେ ରହସ୍ୟ କଣ ? ନବୀନ କାହାକୁ ବଂଚାଇବାକୁ ଚେଷ୍ଟା କରୁଛନ୍ତି ? ସେନେଇ  କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ଏବେ ସମୟ କହିବ କେଉଁ କାରଣ ଲାଗି ସସ୍ମିତ ସମର୍ଥନରେ ଭୋଟ୍‌ ଦେଲେ ।