କନକ ବ୍ୟୁରୋ : ପେସାରେ କନିଷ୍ଠ କିରାଣି । ମାସକୁ ମାତ୍ର ୪୦ ହଜାର ଟଙ୍କାର ଆମଦାନୀ । ହେଲେ ଜିଉଁଥିଲେ ରାଜକୀୟ ଚଳଣି  । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରିତକର୍ମା କୋଟିପତି କିରାଣି ସୁବ୍ରତ ବେହେରା ଭିଜିଲାନ୍ସ ପଂଝାରେ ପଡ଼ିବା ପରେ ଖୋଲୁଛି ତାଙ୍କ ଅର୍ଥ ତୋଷାରପାତର ଗୁମର । ସେ କେମିତି ରାଜକୋଷରୁ ଲୁଟି ଆତ୍ମସାତ କରିଛନ୍ତି କୋଟି କୋଟି ଟଙ୍କା । 

Advertisment

 କିରାଣି ନେଉଥିଲେ ଆଇଏଏସ୍ ଅଫିସରଠୁ ବି ଅଧିକ ଦରମା!  ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରିତକର୍ମା କନିଷ୍ଠ କିରାଣୀ ସୁବ୍ରତ କୁମାର ବେହେରା। ଆୟଠୁ ୨୦୫ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନସ । କେମିତି ୮ ବର୍ଷରେ ଖୋଳ କରିଥିଲେ ୨ କୋଟିରୁ ଅଧିକ ଟଙ୍କା । ସୁବ୍ରତ ଆକାଉଣ୍ଟାଣ୍ଟ ଦାୟିତ୍ୱରେ ଥିବାରୁ, ନିଜେ ନିଜ ଦରମା ବଢ଼ାଇ ଦେଇଥିଲେ । ମାସିକ ଦରମା ଥିଲା ପ୍ରାୟ ୪୦ ହଜାର । କିନ୍ତୁ ଏଚଆରଏମଏସରେ ହେରଫେର କରି କେଉଁ ମାସ ୩ ଲକ୍ଷ, କେଉଁ ମାସ ୬ ଲକ୍ଷ ଟଙ୍କା ଦରମା ନେଉଥିଲେ, ଯାହାକି ମୁଖ୍ୟ ଶାସନ ସଚିବଙ୍କ ଦରମାଠୁ ବି ଅଧିକ । ଖାଲି ନିଜେ ନୁହେଁ । ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଆକାଉଣ୍ଟକୁ ଜାଣିଶୁଣି ଲକ୍ଷାଧିକ ଟଙ୍କାର ଅଧିକ ଦରମା ପଠାଇ ଦେଉଥିଲେ । ଏହାପରେ ଭୁଲବଶତଃ ଟଙ୍କା ଚାଲିଯାଇଛି କହି ଟ୍ରେଜେରିକୁ ଫେରସ୍ତ ବାହାନାରେ ନିଜେ ହାତେଇ ନେଉଥିଲେ ।

ଅଧିକ ପଢନ୍ତୁ: ବସ୍‌ଷ୍ଟାଣ୍ଡ ହେଲା, ବସ୍‌ଷ୍ଟପ୍‌ କଥା ଭୁଲିଗଲେ ସରକାର : ଗ୍ରାଉଣ୍ତ ଜିରୋରେ ସ୍ଥିତି ପରଖିଲା କନକ ନ୍ୟୁଜ୍‌

 ୨୦୦୭ରେ ମାତ୍ର ୮ ହଜାର ଟଙ୍କା ଦରମାରେ ଆଠମଲ୍ଲିକରେ ଚାକିରି ଆରମ୍ଭ କରିଥିଲେ ସୁବ୍ରତ । ୨୦୧୧ରେ ଅନୁଗୁଳକୁ ବଦଳି ହୋଇଥିଲେ । ଆଉ ସେଠାକୁ ଆସିବାର ୬ ବର୍ଷ ପରେ ଆରମ୍ଭ କରିଥିଲେ କାରସାଦି । ୨୦୧୭ରୁ ୨୦୨୫ ଭିତରେ ଦରମାଠୁ ଅଧିକ ଟଙ୍କା ଉଠାଇ ଚଳୁ କରିଥିଲେ ୨ କୋଟି ୩୮ ଲକ୍ଷ ଟଙ୍କା । ଅନୁଗୁଳ ସହରରେ ଛିଡ଼ା କରିଥିଲେ ୩ ମହଲା କୁବେର ମହଲ। ରଖିଥିଲେ ପ୍ରାୟ ଅଧ କିଲୋ ସୁନା, ଦାମୀ ଘଣ୍ଟା ଓ ଆସବାବପତ୍ର।

 ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ  ଥାଇ ହେରଫେର କରୁଥିଲେ ସୁବ୍ରତ । ହେଲେ ବର୍ଷ ବର୍ଷ ଧରି ନାକ ତଳେ ହେଉଥିବା ଏତେ ବଡ଼ ଦୁର୍ନୀତିକୁ କେମିତି ଜାଣିପାରୁନଥିଲେ ତତ୍କାଳୀନ ସିଡିଏମଓ? ନୂଆ ସିଡିଏମଓ ଆସିବା ପରେ ଇଣ୍ଟରନାଲ ଅଡିଟ୍‌ରୁ ସାମ୍ନାକୁ ଆସିଥିଲା ସୁବ୍ରତଙ୍କ କେଳେଙ୍କାରୀ ।  ଏହି ଘୋଟାଲାରେ ଦରମା ମଞ୍ଜୁର କରୁଥିବା ତତ୍କାଳୀନ ଡ୍ରଇଂ ଅଥରିଟି ଓ ଟ୍ରେଜେରି ଅଫିସ ବି ତଦନ୍ତ ପରିସରକୁ ଆସିବା ଦରକାର ବୋଲି ମତ ପ୍ରକାଶ ପାଇଛି ।