କନକବ୍ୟୁରୋ  : କଟକ ସହରରୁ ଦୈନିକ ଶହଶହ ସଂଖ୍ୟାରେ ବସ୍ ଯା ଆସ କରୁଛି । କିନ୍ତୁ ଯାତ୍ରୀଙ୍କ ମୌଳିକ ସୁବିଧା କଥା ଯେମିତି ଭୁଲିଯାଇଛନ୍ତି ସରକାର । ସହରରେ ଥିବା ବସ୍‌ଷ୍ଟପ୍‌ ଗୁଡ଼ିକ ଆଜି ବି ଅବହେଳିତ ଅବସ୍ଥାରେ ।  କିଛି ବସ୍‌ଷ୍ଟପ୍‌ ବିପଦଶଙ୍କୁଳ ହୋଇପଡ଼ିଥିବାରୁ ସେଠାକୁ ଯିବାକୁ ଡରୁଛନ୍ତି ଯାତ୍ରୀ । 

Advertisment

ଅଧିକ ପଢନ୍ତୁ.... ଆହାର କେନ୍ଦ୍ରରେ ଅଜବ ସ୍ଥିତି : ୫ ଟଙ୍କା ନୁହେଁ ଦେବାକୁ ପଡୁଛି ୧୦ ଟଙ୍କା

କେଉଁଠି ଛାତରୁ ସିମେଣ୍ଟ ଖସୁଛି ତ କେଉଁଠି ଭାଙ୍ଗିରୁଜି ଗଲାଣି ବସିବା ସ୍ଥାନ । ଫଳରେ ବସ୍‌ଷ୍ଟପ୍ ଛାଡ଼ି ଗଛ ତଳେ ଏବଂ ଦୋକାନ କଡ଼ରେ ଅପେକ୍ଷା କରୁଛନ୍ତି ଯାତ୍ରୀ । ଗୋଟିଏ ଦୁଇଟି ନୁହେଁ, ସହର ଭିତରେ ଥିବା ଅନେକ ବସ୍‌ଷ୍ଟପ୍‌ର ଏଭଳି ସ୍ଥିତି ।  ଶୀତ ଯାଇ ଖରା ଆସିଲାଣି । ତଥାପି ବସ୍‌ଷ୍ଟପ୍‌ରେ ନାହିଁ ପିଇବା ପାଣି ସୁବିଧା । ବସ୍‌ଷ୍ଟପ୍‌ରେ ଅନେକ ସ୍ଥାନରେ ନାନା ହୋର୍ଡିଂ ଲଗାଯାଇଥିଲେ ବି ଯାତ୍ରୀଙ୍କ ସୁବିଧା କଥା କେହି ହେଲେ ଯେମିତି ଧ୍ୟାନ ଦେଉନାହାନ୍ତି ।  

ଅନ୍ୟପଟେ ଏବେ ରାସ୍ତା କାମ ଚାଲିଥିବାରୁ ବସ୍‌ଷ୍ଟପ୍ ସ୍ଥାନ ପରିବର୍ତ୍ତନ ହେବା ଆଶା କରାଯାଉଛି ।  ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ମେୟର କହିଛନ୍ତି । କିଛି ନୂଆ ବସ୍ ଷ୍ଟପ୍ କରି ବାହାବାହା ନେଉଛି ସିଏମସି । କିନ୍ତୁ ପୁରୁଣା ବସ୍ ଷ୍ଟପ୍‌ ଉପରେ ନଜର ପଡୁନି ।  କେବେ ଏ ସମସ୍ୟାର ହେବ ସମାଧାନ କାହା ପାଖରେ ଉତ୍ତର ନାହିଁ ।