କନକ ବ୍ୟୁରୋ: ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ପଛର ମାଷ୍ଟରମାଇଣ୍ଡ କିଏ? ଶଙ୍କର ପୃଷ୍ଟି ଭଳି ଜଣେ ଲୋକ ଓ ତାର ସହଯୋଗୀ କଣ ଏତେ ବଡ କେଳେଙ୍କାରୀ କରିପାରିବେ? ଏହାକୁ ନେଇ ସମସ୍ତଙ୍କ ଭିତରେ କୌତୁହଳ ଲାଗି ରହିଥିବାବେଳେ ସାଂଘାତିକ ବୟାନ ଦେଇଛି ଶଙ୍କର । 

Advertisment

ପ୍ରାୟ ମାସ କାଳ ପୁଲିସକୁ ଚକମା ଦେଇ ଲୁଚି ବୁଲୁଥିବା ଶଙ୍କର ପୃଷ୍ଟି ଧରାପଡିବା ପରେ, ଏମିତି ତଥ୍ୟ ସହିତ ମାମଲାକୁ ନୂଆ ମୋଡ଼ ଦେଇଛି । କାହିଁକି ଲୁଚିଥିଲ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଶଙ୍କର ସିଧା ସଳଖ ପୂର୍ବ ସରକାରକୁ କାଠ ଗଡାକୁ ଟାଣିଛି । କେଉଁ ଚାକିରି ପାଇଁ କେତେ ଟଙ୍କା ଡିଲ୍ ହୋଇଥିଲା ତାହା ସ୍ପଷ୍ଟ କରିନଥିଲେ ବି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । 

ଅବସରପ୍ରାପ୍ତ ଶିକ୍ଷକଙ୍କ ନିଆରା ନିଶା, କରୁଛନ୍ତି ପ୍ରାଚୀନ ସାମଗ୍ରୀ ସଂଗ୍ରହ

ଶଙ୍କର ଚାକିରି କେଳେଙ୍କାରୀର ଗୁମର ଖୋଲିବା ପରେ ଚିହିଁକି ଉଠିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ବର୍ତ୍ତମାନର ସରକାର ଓ ଶାସକ ଦଳକୁ ଟାର୍ଗେଟ କରିଛି । ସିବିଆଇ ଦ୍ବାରା ନିରପେକ୍ଷ ତଦନ୍ତ ହେଉ ବୋଲି ଦାବି କରିଛି । ହଜାରେ କୋଟି ଟଙ୍କାର ଡିଲ୍ କଥାକୁ ନିର୍ବାଚନୀ ଚାଲ୍ ବୋଲି କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ୍। ଜବାବରେ ବିଜେଡି ଅପରାଧୀଙ୍କ ପାର୍ଟି କହି କଡା ସମାଲୋଚନା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଶଙ୍କର ପୃଷ୍ଟିର ବୟାନ ପରେ ବହୁ ନେତା ଓ ବାବୁଙ୍କ ଛାତିରେ ଛନକା ପଶିଛି  । ସିବିଆଇ କାହା କବାଟ କେତେବେଳେ ବାଡେଇବ ସେ ନେଇ ଚିନ୍ତାରେ ପଡିଲେଣି।