Patnagarh Photograph: (KanakNews)
କନକ ବ୍ୟୁରୋ: କମ୍ପାନି ପାଇଁ ବସିଲା ଗ୍ରାମସଭା । ବିରୋଧୀଙ୍କ ଗର୍ଜନରେ କମ୍ପିଲା ମଞ୍ଚ । ନିଜ ଅଧିକାରୀ ମାଗି ଗ୍ରାମସଭାରେ ଦାବି ରଖିଲେ କମ୍ପାନୀ ପାଇଁ ଜମି ହରାଇବାକୁ ଥିବା ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅଞ୍ଚଳରେ ହେବାକୁ ଥିବା ଷ୍ଟିଲ ପ୍ଲାଣ୍ଟ ନିମନ୍ତେ ଏହି ନିକଟରେ ଦ୍ୱିତୀୟ ଗ୍ରାମସଭା ଅନୁଷ୍ଠିତ ହୋଇଛି । ଏଠାରେ ପୁଲିସ୍, ପ୍ରାଶାସନିକ ଅଧିକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଛି।
ପାଟଣା ତହସିଲ ଅନ୍ତର୍ଗତ ବାରଡାଙ୍ଗୁଆ ଗାଁରେ ହେବାକୁ ଥିବା ଷ୍ଟିଲ ପ୍ଲାଣ୍ଟ ପାଇଁ ଚେମେଣା ପଞ୍ଚାୟତର ସରପଞ୍ଚ ହେମଲତା ନାଏକଙ୍କ ଅଧ୍ୟକ୍ଷତାରେ ବସିଥିଲା ଗ୍ରାମସଭା । ଏଥିରେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଭୁଅର୍ଜନ ଅଧିକାରୀ, ତହସିଲଦାର, ବିଡିଓଙ୍କ ଉପସ୍ଥିତିରେ ବାରଡ଼ାଙ୍ଗୁଆ ମୌଜାରୁ ୨୩୯ ଏକର ୪୭ ଡିସିମିଲି ଜମି ଅଧିଗ୍ରହଣ ପାଇଁ ଘୋଷଣା କରିଥିଲେ ଅଧିକାରୀ । ଏହି ଗ୍ରାମସଭାରେ ନିଜର ଅଧିକାର କଥା କହିଥିଲେ ଗାଁର ୬ ଜଣ ଲୋକ । ସେମାନଙ୍କ ମତରେ ଏକର ପିଛା ୧୫ କୋଟି ଟଙ୍କା, ୬୦ ବର୍ଷରୁ ଊର୍ଦ୍ଧ୍ବ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସିକ ୩୦ ହଜାର ଟଙ୍କା ଭତ୍ତା, ଗାଁର ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ଜଣାଇଥିଲେ ବିସ୍ଥାପିତ ।
ଅଧିକ ପଢନ୍ତୁ: ଗଞ୍ଜାମବାସୀଙ୍କୁ ଜଳ ଯନ୍ତ୍ରଣା; ପ୍ରକଳ୍ପ ସାରୁନି ଠିକା କମ୍ପାନି ! ଅଧପନ୍ତରିଆ ୨୨ ଶହ କୋଟିର ପ୍ରକଳ୍ପ
ଷ୍ଟିଲ୍ ପ୍ଲାଣ୍ଟକୁ କଡ଼ା ବିରୋଧ କରିଛି ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚ । ସବୁ ପ୍ରବେଶ ପଥରେ ପୁଲିସ ପହରା ଦିଆଯାଉଥିବାରୁ ମଞ୍ଚର ଶତାଧିକ ମହିଳା ପୁରୁଷ ବିଲଖମାର ରାସ୍ତା ଦେଇ ଗ୍ରାମସଭାକୁ ମାଡ଼ି ଯାଇଥିଲେ। ଆନ୍ଦୋଳନକାରୀ ପୁଲିସ ସହ କଡ଼ା ମୁକାବିଲା କରିବା ସହ ମଞ୍ଚ ପକ୍ଷରୁ ଷ୍ଟିଲ ପ୍ଲାଣ୍ଟ ବିରୋଧୀ ନାରା ଦିଆଯାଇଥିଲା । ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ କର, ରକ୍ତ ଦେବୁ, ଜୀବନ ଦେବୁ, ଭିଟାମାଟି ଛାଡ଼ିବୁ ନାହିଁ । ଆବଶ୍ୟକ ପଡ଼ିଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦେତାଳନକାରୀ । ପୁଲିସ୍ର କଡ଼ା ସୁରକ୍ଷା ଭିତରେ ଯଦିଓ ଗ୍ରାମସଭା ସରିଛି। ତେବେ ପ୍ରକଳ୍ପ ବିରୋଧୀ ନିଆଁ ଧୀରେଧୀରେ ବ୍ୟାପିବାରେ ଲାଗିଛି ।
Follow Us