କନକ ବ୍ୟୁରୋ : ଝାରସୁଗୁଡ଼ାରେ ଥିବା ଓଡ଼ିଶା ମେଟାଲିକ୍ସକୁ ଝଟକା । ବେଆଇନ ଭାବେ ଜଙ୍ଗଲ ଜମି ମାଡ଼ିବସି କାରଖାନା ଚଳାଇବା ସହ ସମ୍ପ୍ରସାରଣ କାର୍ଯ୍ୟ ବି ଆରମ୍ଭ କରିଥିଲା । ଅଞ୍ଚଳବାସୀ ଏହା ବିରୋଧରେ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ । ତଦନ୍ତ ପରେ ଝାରସୁଗୁଡ଼ା ତହସିଲଦାର ମେସର୍ସ ଓଡ଼ିଶା ମେଟାଲିକ୍ସ ଲିମିଟେଡ୍‌କୁ ଲିଖିତ ନୋଟିସ୍‌ରେ ଚରମବାଣୀ ଶୁଣାଇଛନ୍ତି । ନୋଟିସ୍‌ର ୩୦ ଦିନ ମଧ୍ୟରେ କମ୍ପାନି ମାଡ଼ି ବସିଥିବା ଜମି ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ବୁଢ଼ୀପଦରସ୍ଥିତ ଓଡ଼ିଶା ମେଟାଲିକ୍ସ କାରଖାନା ବହୁ ବର୍ଷ ହେବ ସରକାରୀ ଜମିକୁ ମାଡ଼ିବସିଛି । ଗ୍ରାମ୍ୟ ଜଙ୍ଗଲ କିସମର ୧୦.୫୯ ଏକର ଜମିକୁ ନିଜ ଅକ୍ତିଆରକୁ ନେଇଥିଲା । ଉକ୍ତ ଜମିରେ ପାଚେରି ବୁଲାଇ ସମ୍ପ୍ରସାରଣ କାମ ବି ଆରମ୍ଭ କରିଦେଇଥିଲା । ସେପଟେ ଜଙ୍ଗଲ ଜମିରେ ବେଆଇନ ଜବରଦଖଲକୁ ଲୁଚାଇ ସରକାରଙ୍କଠାରୁ ସମ୍ପ୍ରସାରଣ ଅନୁମତି ନେଇଥିଲା କମ୍ପାନି । ଗ୍ରାମବାସୀ ଏହାର ଖୋଳତାଡ଼ କରିବା ପରେ ପୂରା ଘଟଣା ସାମନାକୁ ଆସିଥିଲା । ୩ ମାସ ତଳେ ଅଞ୍ଚଳବାସୀ ପ୍ରଥମେ ଜିଲ୍ଲାପାଳ, ବନ ବିଭାଗକୁ ଅଭିଯୋଗ କରିବା ପରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ଦ୍ୱାରସ୍ଥ ହୋଇଥିଲେ । ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକ୍ରମେ କମିଟି ଗଠନ କରାଯାଇ ସରଜମିନ୍ ତଦନ୍ତ ହୋଇଥିଲା । କମ୍ପାନି ମୋଟ ୧୨ଟି ପ୍ଲଟ୍‌ର ୧୦.୫୯  ଜମି ଜବରଦଖଲ କରିଥିବା ଜଣାପଡ଼ିବା ପରେ ନୋଟିସ୍‌ କରିଛନ୍ତି ତହସିଲଦାର । ନୋଟିସ୍ ପାଇବାର ୩୦ ଦିନ ଭିତରେ କମ୍ପାନି ଉକ୍ତ ଜମିରୁ ଅପସରି ନ ଗଲେ, ପ୍ରଶାସନ ପକ୍ଷରୁ ବେଦଖଲ କରିଦିଆଯିବ ।

ଅଧିକ ପଢ଼ନ୍ତୁ : ଝାରସୁଗୁଡାରେ ଓଡ଼ିଶାକୁ ମୋଦୀଙ୍କ ପ୍ରଶଂସା, କହିଲେ, ପୂର୍ବୋଦୟ ନକ୍ସାରେ ସମୃଦ୍ଧିର ସ୍ୱାକ୍ଷର ଦେଉଛି ଓଡ଼ିଶା

କମ୍ପାନିକୁ ତହସିଲଦାରଙ୍କ ନୋଟିସ୍ ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ଜାଗିଛି । କମ୍ପାନୀ ଦଖଲ କରିଥିବା ଜଙ୍ଗଲଜମିକୁ ତୁରନ୍ତ ଉଚ୍ଛେଦ ସହ ସମ୍ପ୍ରସାରଣ କାର୍ଯ୍ୟକୁ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି । ଓଡ଼ିଶା ମେଟାଲିକ୍ସ କାରଖାନାର ପାଣି ବାହାରେ ଛାଡୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଆସୁଛି । ଏନେଇ ଏନଜିଟି ଟିମ୍ ପରିଦର୍ଶନ କରି ତାଗିଦ କରିଥିଲା । ପ୍ରଦୂଷଣ ବିଭାଗ ପକ୍ଷରୁ ମଧ୍ୟ ନୋଟିସ ହୋଇସାରିଛି ।