କନକ ବ୍ୟୁରୋ :  ହେକ୍ଟର ହେକ୍ଟର ଚାଷ ଜମିରେ ପାଉଁଶ ପାଣି ମାଡ଼ିଗଲା। ଯେଉଁଥିପାଇଁ ଜମିରେ ଚାଷ ଅସମ୍ଭବ ହୋଇପଡ଼ିଛି । ଲଗାଣ ବର୍ଷାରେ ଜାତୀୟ ରାଜପଥ ୪୯ର ବାଇପାସ୍‌ ପ୍ରକଳ୍ପରୁ ପାଉଁଶ ମାଡ଼ିଯାଇ ଝାରସୁଗୁଡ଼ାର ୫ଟି ବ୍ଲକର ୬୫୯.୬ ହେକ୍ଟର ଜମି ପ୍ରଭାବିତ ହୋଇଥିଲା । କିର୍ମିରା ଓ କୋଲାବିରା ବ୍ଲକରେ କ୍ଷତିଗ୍ରସ୍ତ ହୋଇଥିଲା ୧୩୧ ହେକ୍ଟର ଚାଷ ଜମି । ଏଥିରେ ସରକାର ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସ୍ଥିର ହୋଇଥିଲା । ଠିକାସଂସ୍ଥା ମେସର୍ସ ମହେନ୍ଦ୍ର ସ୍ବାଇଁ ଇନ୍‌ଫ୍ରା ଇଞ୍ଜିନିୟର୍ସ ଚାଷୀଙ୍କୁ ୪୩ ଲକ୍ଷ ୫୩ ହଜାର ୯୧୬ ଟଙ୍କାର କ୍ଷତିପୂରଣ ପ୍ରଦାନ ନେଇ ନୋଟିସ୍‌ କରିଥିଲେ ଅତିରିକ୍ତ ଜିଲ୍ଲାପାଳ । ଏବଂ କ୍ଷତିପୂରଣ ବାବଦ ଟଙ୍କାକୁ ୭ ଦିନରେ ତହସିଲ କାର୍ଯ୍ୟାଳୟରେ ଜମା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଠିକାସଂସ୍ଥା ନଦେଇ ପ୍ରଶାସନ ସହ ଖେଳିବା ଆରମ୍ଭ କରିଦେଇଛନ୍ତି ।

Advertisment

 ଜିଲ୍ଲା ପ୍ରଶାସନ ପ୍ରଥମେ ଦେଇଥିବା ଅବଧି ପୂରି ଅତିରିକ୍ତ ୭ ଦିନ ଅବଧି ସରିବା ପରେ ବି ତହସିଲରେ ଟଙ୍କା ଜମା ହୋଇନି । ଜିଲ୍ଲା ପ୍ରଶାସନ ପଚାରିବାରୁ ଏନଏଚଏଆଇ ମାଧ୍ୟମରେ ଆଉ ୭ ଦିନର ମହଲତ ମାଗିଛି ଠିକାସଂସ୍ଥା । ଅନ୍ୟପଟେ ୭ ଦିନରେ ଟଙ୍କା ଜମା ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଏସବୁ ଭିତରେ ଚାଷୀକୁ କେବେ ତା’ କ୍ଷତିପୂରଣ ମିଳିବ ତାକୁ ଚାହିଁ ବସିଛି ଚାଷୀ ।