କନକ ବ୍ୟୁରୋ : ଜଣ୍ଡିସ୍‌ ଭୂତାଣୁ ଚିହ୍ନଟ ପାଇଁ ସମ୍ବଲପୁରରେ ନାହିଁ ବ୍ୟବସ୍ଥା । ରାଜଧାନୀ ଭୁବନେଶ୍ବର ଉପରେ ନିର୍ଭରଶୀଳ । ପୁରୁଣା ସରକାର ଯାଇ ନୂଆ ସରକାର ଆସିଲେ, ତଥାପି ହୋଇପାରିଲାନାହିଁ ଭାଇରୋଲୋଜିକାଲ ଲ୍ୟାବ୍‌ । ଏପଟେ ଫାଇଲରେ ଧୂଳି ଖାଉଛି ଜଣ୍ଡିସ୍‌ ନିରାକରଣ ପାଇଁ ଭିମସାର୍‌ର ସୁପାରିସ । ସମ୍ବଲପୁରବାସୀଙ୍କ ପାଇଁ ଜଣ୍ଡିସ୍ ଚିନ୍ତାର କାରଣ ସାଜିଥିବା ବେଳେ ଏବେ ବି ଭୂତାଣୁ ଚିହ୍ନଟ ପାଇଁ ଭୁବନେଶ୍ବର ଉପରେ ନିର୍ଭରଶୀଳ ପ୍ରଶାସନ । ସମ୍ବଲପୁର ପିଏଚ୍‌ଡି ଓ ଆର୍‌ଡବ୍ଲ୍ୟୁଏସ୍‌ଏସ୍ ବିଭାଗରେ ଇ-କୋଲି ଟେଷ୍ଟର ସୁବିଧା ରହିଛି । ତେବେ ହେପାଟାଇଟିସ୍‌ A ଓ E ଚିହ୍ନଟ ପାଇଁ ଭୁବନେଶ୍ବରକୁ ପଠାଯାଉଛି ପାଣି ନମୁନା । ରିପୋର୍ଟ ଆସିବାକୁ ସପ୍ତାହେ ଲାଗୁଛି । 

Advertisment

୨୦୧୪ରେ ସମ୍ବଲପୁରରେ ମହାମାରୀର ରୂପ ନେଇଥିଲା ଜଣ୍ଡିସ୍ । ସମାନ ସ୍ଥିତି ଦେଖିବାକୁ ମିଳିଥିଲା ୨୦୧୯ ଓ ୨୦୨୪ରେ । ତଥାପି ସମ୍ବଲପୁରରେ ସ୍ଥାପନ ହୋଇପାରିନି ଭାଇରୋଲୋଜିକାଲ୍ ପରୀକ୍ଷାଗାର । ଭିମସାର୍‌ର ଏକ ଟିମ୍ ଜଣ୍ଡିସକୁ ମାତ୍ ଦେବାକୁ ଓ ଏହାର ସ୍ଥାୟୀ ନିରାକରଣ ଖୋଜିବାକୁ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା । ମୁଖ୍ୟତଃ ୬ଟି କାର୍ଯ୍ୟ କରିବାକୁ ପ୍ରଶାସନକୁ ସୁପାରିସ କରିଥିଲା ଟିମ୍ । 

-    ସହରରେ ଜଳ ଯୋଗାଣ ବ୍ୟବସ୍ଥାର ନବୀକରଣ
-    ହେପାଟାଇଟିସ୍ ପାଇଁ ସାମୂହିକ ଟିକାକରଣ
-    ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତି ସଚେତନତା 
-    ସହରରେ ଡ୍ରେନେଜ୍‌ ବ୍ୟବସ୍ଥାର ପୁନଃନିର୍ମାଣ
-    ଶୌଚାଳୟଗୁଡ଼ିକରେ ସେଫ୍ଟିକ୍ ଟାଙ୍କି ନିର୍ମାଣ
-    ପରୀକ୍ଷାଗାର ଓ ସର୍ଭିଲାନ୍ସ ୟୁନିଟ୍‌ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ସୁପାରିସ ଦିଆଯାଇଥିଲା । କିନ୍ତୁ ତାହା ଏବେ ଫାଇଲ ଭିତରେ । ସହରରେ ଏବେ ସ୍ଥିତି ଏମିତି ଯେ ପିଏଚ୍‌ଡି ଦ୍ବାରା ଯୋଗାଇ ଦିଆଯାଉଥିବା ପାଣି ପିଇବାକୁ ଭୟ କରୁଛନ୍ତି ଲୋକେ ।