କନକ ବ୍ୟୁରୋ : ବଢ଼ୁଛି ଓଡ଼ିଶା-ଜାପାନ ସମ୍ପର୍କ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାପାନ ଗସ୍ତ ପରେ ଭାରତ ଓ ଜାପାନ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେଉଛି। ଏହାର ପ୍ରଭାବ ଏବେ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ବ୍ୟବସାୟ, ପର୍ଯ୍ୟଟନ, ଶିକ୍ଷା ଓ ସଂସ୍କୃତି ମାଧ୍ୟମରେ ଓଡ଼ିଶା ସହ ସମ୍ପର୍କକୁ ଆହୁରି ବଢାଇବାକୁ ଆଗ୍ରହ ଦେଖାଇଛି ଜାପାନ।

Advertisment

ପୁରୀରେ ଶୁଭିଲା ଜାପାନୀ ଗୀତ। କେବଳ ଜାପାନୀ କାହିଁକି ଜାପାନୀଙ୍କ କଣ୍ଠରୁ ଝରିଲା ହିନ୍ଦୀ ସଙ୍ଗୀତ। ସଙ୍ଗୀତରେ ଝୁମିଲେ ଲୋକେ।  ଓଡ଼ିଶା ଓ ଜାପାନ ମଧ୍ୟରେ ସଂସ୍କୃତି, ଶିକ୍ଷା ଓ ପର୍ୟ୍ୟଟନର ଆଦାନ ପ୍ରଦାନକୁ ଆଗକୁ ନେବା ଉଦ୍ଦେଶ୍ୟରେ ପୁରୀରେ ଆୟୋଜିତ ହୋଇଛି ସ୍ବତନ୍ତ୍ର  କାର୍ଯ୍ୟକ୍ରମ  "ଆନ୍ ଇଭନିଂ ଇନ୍ ଜାପାନ୍"। ଡେପୁଟି କନସୁଲ ଜେନେରାଲ ଆସିଦା କଟସୁନୋରୀଙ୍କ ଗୀତ ଦେଇଥିଲା ଜାପାନର ଅନୁଭୂତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାପାନ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେଉଛି।

ଅଧିକ ପଢ଼ନ୍ତୁ :ପୁରୀରେ ଓଡ଼ିଶା-ଜାପାନ ସାଂସ୍କୃତିକ ମହୋତ୍ସବ, ଜାପାନ କଳାକାରଙ୍କ ସଂଗୀତ, ନୃତ୍ୟରେ ଝୁମିଲେ ଦର୍ଶକ

ପର୍ଯ୍ୟଟନ  ମାଧ୍ୟମରେ ଓଡ଼ିଶା-ଜାପାନ ମଧ୍ୟରେ ଦୀର୍ଘମିଆଦୀ ସହଯୋଗ ଓ ଅଭିବୃଦ୍ଧିର ନୂଆ ଦିଗ ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଆଧ୍ୟାତ୍ମିକ ପର୍ଯ୍ୟଟନ, ଉପକୂଳବର୍ତ୍ତୀ ଗନ୍ତବ୍ୟସ୍ଥଳ ଓ ଐତିହ୍ୟ ସ୍ଥଳୀ ଭଳି ଓଡ଼ିଶାର ବିଶେଷତ୍ବକୁ ବିଶ୍ୱମଞ୍ଚରେ ଆଣିବା ପାଇଁ ପୁରୀରେ ହୋଇଛି ପ୍ରୟାସ। କାର୍ଯ୍ୟକ୍ରମରେ  ଜାପାନର ଅନ୍ୟ ପଦାଧିକାରୀ ଯୋଗଦେଇ ଓଡ଼ିଶାରେ ପର୍ଯ୍ୟଟନର  ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ।

 ଖୁବଶୀଘ୍ର ଓଡ଼ିଶା ସରକାର ଓ ଜାପାନ ସରକାରଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ଚୁକ୍ତି ସ୍ବାକ୍ଷର ହେବ ବୋଲି ସଙ୍କେତ ଦେଇଛନ୍ତି ଜାପାନ ସରକାର। ପର୍ଯ୍ୟଟନ, ସଂସ୍କୃତି ଓ ବ୍ୟବସାୟ କ୍ଷେତ୍ରରେ ଜାପାନର ସହଯୋଗ ଆଗାମୀ ଦିନରେ ଓଡ଼ିଶା ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ।