କନକ ବ୍ୟୁରୋ: ରାଜ୍ୟରେ ବଢିବାରେ ଲାଗିଛି ଅପରାଧ । ଅପରାଧ ନିୟନ୍ତ୍ରଣ ଲାଗି ପୋଲିସ ଏନକାଉଣ୍ଟର ବି କରୁଛି । ଅପରାଧୀଙ୍କୁ ଧରିବାକୁ ସ୍ପେଶାଲ ସ୍ବ୍କାଡ୍ ବି ହେଉଛି। ରାଜ୍ୟରେ ଅପରାଧ ସମ୍ପର୍କରେ ବିଧାନସଭାରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହାକୁ ନେଇ ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ, ୨୦୨୫ ଜାନୁଆରୀ ଥିଲା ଅପରାଧର ମାସ । ଗୋଟିଏ ମାସରେ ୧୧୧ ହତ୍ୟା, ୨୦ ଡକାୟତି, ୧୫୦୯ ଚୋରି, ୧୦୧ ଦଙ୍ଗା, ୧୯୪ ସାଇବର ଅପରାଧ, ୬୫୫ ଅସଦାଚରଣ, ୭୯ ଯୌନ ନିର୍ଯାତନା, ୧୪୯ ମହିଳାଙ୍କୁ ଅସଦାଚରଣ, ୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୧ ଟି ମହିଳାଙ୍କୁ ହଇରାଣ କରିବା ସଂକ୍ରାନ୍ତରେ ମାମଲା ରୁଜୁ ହୋଇଛି । ସେହିପରି ୨୦୨୪ ରେ ୧୨୫୮ ହତ୍ୟା, ୩୫୬ ଡକାୟତି, ୧୭୮୦୫ ଚୋରି, ୧୪୭୧ ଦଙ୍ଗା, ୨୫୦୧ ସାଇବର ଅପରାଧ, ୭୨୯୯ ଅସଦାଚରଣ, ୧୦୮୨ ଯୌନ ନିର୍ଯାତନା, ୧୮୩୯ ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୬୫ ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି । ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଲିଖିତ ଉତ୍ତର ଦେଇଛନ୍ତି ।
କେବଳ ରାଜ୍ୟରେ ନୁହେଁ ବରଂ ରାଜଧାନୀରେ ବି ଅପରାଧ ବଢିଛି । ରାତି ହେଲେ ଅପରାଧୀମାନେ ସତେ ଯେମିତି ସହରକୁ କବଜା କରି ନେଉଛନ୍ତି । ଏଟିଏମ୍ ଲୁଟ୍ ହେଉ କି ଚୋରି ହେଉ। ମନେଥିବ ନିଶ୍ଚୟ ସକାଳୁ ସକାଳୁ ରାଜଧାନୀର ଛାତି ଉପରେ ସହଦେବ ନାୟକଙ୍କୁ କେମିତି ହତ୍ୟା କରାଯାଇଥିଲା । ଜାତୀୟ ରାଜପଥ ଉପରେ ମୁଣ୍ଡ ଗଣ୍ଡି ହୋଇଯାଇଥିଲା ଅଲଗା। ଏହି ମାମଲାରେ ପୂର୍ବରୁ ୭ ଜଣଙ୍କୁ ଗିରଫ କରାଯାଇଛି । ଜାନୁଆରୀ ୮ ତାରିଖ ଦିନ ସକାଳ ସମୟରେ ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜ୍ ନିକଟରେ ସହଦେବ ନାୟକଙ୍କୁ ବାଇକ୍ରେ ଆସି ହତ୍ୟା କରାଯାଇଥିଲା ।
ମୃତକ ସହଦେବ ନାୟକ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ । ଝିଅକୁ ସ୍କୁଲରେ ଛାଡି ସ୍କୁଟିରେ ଯାଉଥିବାବେଳେ ତାଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରିଥିଲେ। ସହଦେବ ପୁଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ । ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା ନେଇ ସହଦେବଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ହତ୍ୟା ପରେ ଅଭିଯୁକ୍ତମାନେ ଦୟା ନଦୀରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଫିଙ୍ଗି ଦେଇଥିଲେ ।