India Photograph: (KANAK NEWS)
କନକ ବ୍ୟୁରୋ : ଆମେରିକାରେ ଭାରତୀୟ ଛାତ୍ରୀ ଜାହ୍ନବୀ କଣ୍ଡୁଲାଙ୍କ ମୃତ୍ୟୁ ମାମଲାରେ ତାଙ୍କ ପରିବାରକୁ ୨୯ ନିୟୁତ ଆମେରିକୀୟ ଡଲାର ( ଭାରତୀୟ ମୁଦ୍ରାରେ ପାଖାପାଖି ୨୬୨ କୋଟି ଟଙ୍କା) କ୍ଷତିପୂରଣ ମିଳିବ। ଜାହ୍ନବୀଙ୍କ ପରିବାର ସିଆଟେଲ୍ କର୍ତ୍ତୃପକ୍ଷଙ୍କ ସହିତ ବୁଝାମଣା କରିବା ପରେ ପୁଲିସ ପୀଡ଼ିତ ପରିବାରକୁ କ୍ଷତିପୂରଣ ଦେବାକୁ ରାଜି ହୋଇଛି। ସୂଚନାଯୋଗ୍ୟ, ସିଆଟେଲରେ ଜାନୁଆରି ୨୦୨୩ରେ ଆମେରିକା ପୁଲିସର ଗାଡ଼ି ଧକ୍କାରେ ଜାହ୍ନବୀଙ୍କ ମୃତ୍ୟୁ ହୋଇଥିଲା। ନର୍ଥଇଷ୍ଟର୍ଣ୍ଣ ବିଶ୍ବବିଦ୍ୟାଳୟର ସିଆଟେଲ କ୍ୟାମ୍ପସରେ ଇନଫରମେସନ୍ ସିଷ୍ଟମରେ ମାଷ୍ଟର୍ସ ଡିଗ୍ରି କରୁଥିବା ୨୩- ବର୍ଷୀୟା ଜାହ୍ନବୀ ରାସ୍ତା ପାର୍ ହେଉଥିବାବେଳେ ଦ୍ରୁତ ବେଗରେ ଆସୁଥିବା ପୁଲିସ୍ କାର୍ ତାଙ୍କୁ ଧକ୍କା ଦେଇଥିଲା। ସେହି ରାସ୍ତାରେ ଗାଡ଼ିର ସର୍ବାଧିକ ବେଗ ୨୫ କିମି ସୀମା ଥିବାବେଳେ ୭୪ କିମିରୁ ଅଧିକ ବେଗରେ ଆସୁଥିବା ପୁଲିସ ଗାଡ଼ି ଜାହ୍ନବୀଙ୍କୁ ଧକ୍କା ଦେବା ପରେ ୧୦୦ ଫୁଟ ଦୂରକୁ ଛିଟିକି ପଡ଼ିଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା ।
ପରିବାର ପକ୍ଷରୁ ଏହି ମାମଲାରେ ସିଆଟେଲ୍ ପୁଲିସ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଥିଲା। ସିଆଟେଲ୍ ସିଟି ଓ ଦୁର୍ଘଟଣା ଘଟାଇଥିବା ପୂର୍ବତନ ପୁଲିସ ଅଧିକାରୀ କେଭିନ୍ ଡେଭ୍ଙ୍କ ବିରୋଧରେ ୧୧୦ ନିୟୁତ ଆମେରିକା ଡଲାର ମାମଲା ରୁଜୁ କରାଯାଇଥିଲା। ସିଆଟେଲ୍ କର୍ତ୍ତୃପକ୍ଷ କେଭିନ୍ ଡେଭ୍ଙ୍କୁ ଗତବର୍ଷ ଚାକିରିରୁ ବିଦା କରିଥିଲେ। ବୁଝାମଣା ସମ୍ପର୍କରେ ଘୋଷଣା କରି ଏକ ବିବୃତିରେ କଣ୍ଡୁଲା ପରିବାର ଓକିଲ ଏରିକା ଇଭାନ୍ସ କହିଛନ୍ତି ଯେ, ଜାହ୍ନବୀଙ୍କ ମୃତ୍ୟୁ ଖୁବ୍ ହୃଦୟ ବିଦାରକ ଥିଲା। ତେବେ ମିଳିଥିବା କ୍ଷତିପୂରଣ ତାଙ୍କ ପରିବାର ପାଇଁ କିଛି ପରିମାଣରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ଭାରତ ସରକାର ମଧ୍ୟ ଏହି ମାମଲାରେ ଉପଯୁକ୍ତ ତଦନ୍ତ କରିବାକୁ ଦାବି କରିଥିଲେ। ଏହି ମାମଲାରେ ଦାୟିତ୍ବହୀନ ମନ୍ତବ୍ୟ ଦେବା ପାଇଁ ଆମେରିକାର ଅନ୍ୟ ଜଣେ ପୁଲିସ ଅଧିକାରୀ ଡେନିୟଲ ଅଡେରର୍ଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରାଯାଇଥିଲା ।
ଅଧିକ ପଢ଼ନ୍ତୁ---ତୁର୍କୀ ଓ ପାକିସ୍ତାନକୁ ମାଷ୍ଟର ଷ୍ଟ୍ରୋକ୍, ଗ୍ରୀସ୍ ସହ ଭାରତ କଲା ବଡ଼ ଡିଲ୍
Follow Us