NERAJ COACH Photograph: (Kanak News)
କନକ ବ୍ୟୁରୋ: ଭାରତର ଅଲିମ୍ପିକ ବିଜେତା ଜାଭେଲିନ ତାରକା ନୀରଜ ଚୋପ୍ରା ଏବେ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ପ୍ରଶିକ୍ଷକ ତଥା କିମ୍ବଦନ୍ତୀ ଜାଭେଲିନ ଥ୍ରୋଅର ଜାନ ଜେଲେନଜି ନିଜ ଦାୟିତ୍ବରୁ ଅବ୍ୟାହତି ଗ୍ରହଣ କରିଛନ୍ତି । ପରସ୍ପର ଆପୋଷ ବୁଝାମଣାରେ ଜେଲେନଜି ନିଜ ଦାୟିତ୍ବ ଛାଡ଼ିଛନ୍ତି ।
ଜେଲେନଜି ଗତ ୨୦୨୪ ନଭେମ୍ବର ମାସରେ ନୀରଜଙ୍କ କୋଚ ଦାୟିତ୍ବ ଗ୍ରହଣ କରିଥିଲେ। ଏବେ ପ୍ରାୟ ଏକ ବର୍ଷ ପରେ ତାଙ୍କର କୋଚିଂ ଦାୟିତ୍ବରୁ ଅବ୍ୟାହତି ନେଇଛନ୍ତି । ଏହି ଏକ ବର୍ଷ ମଧ୍ୟରେ ତାଙ୍କ ପ୍ରଶିକ୍ଷଣରେ ନୀରଜ କେତେକ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ । ବିଶେଷକରି ୨୦୨୫ରେ ଅନୁଷ୍ଠିତ ଦୋହା ଡାଇମଣ୍ଡ ଲିଗରେ ସେ ପ୍ରଥମ ଥର ପାଇଁ ୯୦ ମିଟର ସୀମା ଅତିକ୍ରମ କରିଥିଲେ । ନିଜର କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ଏଥିପାଇଁ ନୀରଜ ପ୍ରଶିକ୍ଷକ ଜେଲେନଜିଙ୍କୁ ଶ୍ରେୟ ଦେଇଛନ୍ତି । ନୀରଜ କହିଛନ୍ତି ଯେ ଜେଲେନଜିଙ୍କ ପ୍ରଶିକ୍ଷଣରେ ସେ ଏହି କ୍ରୀଡ଼ାର ନୂଆ ନୂଆ ବୈଷୟିକ ଦିଗ ସଂପର୍କରେ ଜାଣିପାରିଥିଲେ । ଏହା ସହିତ ଏହି କ୍ରୀଡ଼ାର ତାଳ ଓ ଗତି ସମ୍ପର୍କରେ ସେ ନୂଆ ଚିନ୍ତାଧାରା ହାସଲ କରିଥିଲେ, ଯାହାକି ତାଙ୍କ କ୍ରୀଡ଼ାକୌଶଳକୁ ଉନ୍ନତ କରିବାରେ ସହାୟକ ହୋଇଥିଲା।
ଆହୁରି ପଢ଼ନ୍ତୁ... ଡବ୍ଲୁପିଏଲରେ ଆରସିବିକୁ ଝଟକା, ଆଘାତ କାରଣରୁ ଦୁଇ ସପ୍ତାହ ପାଇଁ ବାଦ୍ ପଡ଼ିଲେ ଅଲରାଉଣ୍ଡର ପୂଜା ବସ୍ତ୍ରକର
ଚେକ ଗଣତନ୍ତ୍ରର ଜାନ ଜେଲେନଜିଙ୍କୁ ଜାଭେଲିନ ଥ୍ରୋ କ୍ରୀଡ଼ାର ସର୍ବକାଳୀନ ଶ୍ରେଷ୍ଠ କ୍ରୀଡ଼ାବିତଙ୍କ ମଧ୍ୟରେ ଗଣାଯାଏ । ସେ ତିନୋଟି ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ (୧୯୯୨, ୧୯୯୬ ଓ ୨୦୦୦) ଓ ତିନିଥର (୧୯୯୩, ୧୯୯୫, ୨୦୦୧) ବିଶ୍ବ ଚାମ୍ପିୟନ ହୋଇଥିଲେ। ଜାଭେଲିନ ଥ୍ରୋ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ମନେକରାଯାଉଥିବା ୯ଟି ଥ୍ରୋ ମଧ୍ୟରୁ ପାଞ୍ଚଟି ତାଙ୍କ ନାଁରେ ରହିଛି । ତାଙ୍କର ୯୮.୪୮ ମିଟରର ଜାଭେଲିନ ଥ୍ରୋ ଏବେ ବି ବିଶ୍ବରେକର୍ଡ ହୋଇ ରହିଛି।
Follow Us