କନକ ବ୍ୟୁରୋ: ଜମ୍ମୁ ଓ କଶ୍ମୀର ପାଇଁ ଦୀର୍ଘ ୬୭ ବର୍ଷ ପ୍ରତୀକ୍ଷାର ଅନ୍ତ ହୋଇଛି । ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଜିତି ଐତିହାସିକ ସଫଳତା ହାସଲ କରିଛି ପାରସ୍ ଡୋଗ୍ରାଙ୍କ ନେତୃତ୍ବାଧୀନ ଏହି ଦଳ। କର୍ଣ୍ଣାଟକର ହୁବ୍ଳୀଠାରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ର ଶନିବାର ଥିଲା ଶେଷ ଦିନ। ଶେଷ ଦିନରେ ଜମ୍ମୁ ଓ କାଶ୍ମୀର ନିଜର ଦ୍ବିତୀୟ ପାଳିରେ ୪ ୱିକେଟ୍ ବିନିମୟରେ ୩୪୨ ରନ୍ କରିଥିବାବେଳେ ନିଜର ପାଳି ସମାପ୍ତି ଘୋଷଣା କରିଥିଲା । ଏହା ସହିତ ମ୍ୟାଚ୍ ଡ୍ର ହୋଇଥିଲା। ପ୍ରଥମ ଇନିଂସ ଅଗ୍ରଣୀ ଅନୁସାରେ ଜମ୍ମୁ ଓ କଶ୍ମୀରକୁ ଚାମ୍ପିୟନ ଘୋଷଣା କରାଯାଇଥିଲା । ଏହି ଐତିହାସିକ ବିଜୟର ସାକ୍ଷୀ ହେବାକୁ ଖୋଦ୍ ଜମ୍ମୁ ଓ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା ସେଠାରେ ଉପସ୍ଥିତ ଥିଲେ ।
ଏହା ବି ପଢ଼ନ୍ତୁ: ପାକିସ୍ତାନ ଯାଉ ନ ଯାଉ, ଭାରତ ସେମିକୁ ଯିବନି : ଆମୀର
ଫେବ୍ରୁଆରି ୨୪ରୁ ଆରମ୍ଭ ହୋଇଥିବା ଫାଇନାଲ୍ରେ ଜମ୍ମୁ ଓ କଶ୍ମୀର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ପାଳିରେ ଶୁଭମ ପଣ୍ଡିରଙ୍କ ଶତକ (୧୨୧ରନ୍), ୟାଓ୍ବର ହାସାନ (୮୮), ପାରସ ଡୋଗ୍ରା (୭୦), ଅବ୍ଦୁଲ ସମଦ (୬୧), କହ୍ନୈୟା ଓ୍ବାଧାଓ୍ବନ (୭୦) ଓ ସାହିଲ ଲୋଟ୍ରା (୭୨)ଙ୍କ ଅର୍ଦ୍ଧଶତକ ବଳରେ ଜମ୍ମୁ ଓ କଶ୍ମୀର ୫୮୪ ରନ୍ କରିଥିଲା। କର୍ଣ୍ଣାଟକ ପକ୍ଷରୁ ପ୍ରସିଦ୍ଧ କୃଷ୍ଣା ୫ଟି ୱିକେଟ୍ ଅକ୍ତିଆର କରିଥିଲେ । ଜବାବରେ କର୍ଣ୍ଣାଟକ ନିଜର ପ୍ରଥମ ପାଳିରେ ମୟଙ୍କ ଅଗ୍ରଓ୍ବାଲଙ୍କ ଶତକ (୧୬୧) ସତ୍ତ୍ବେ ୨୯୩ ରନ୍ରେ ସୀମିତ ରହିଯାଇଥିଲା । ଏହା ଫଳରେ ଜମ୍ମୁ ଓ କଶ୍ମୀର ପ୍ରଥମ ପାଳିରେ ୨୯୧ ରନ୍ର ଅଗ୍ରଣୀ ନେଇଥିଲା । ଜମ୍ମୁ ଓ କଶ୍ମୀର ପକ୍ଷରୁ ଆକ୍ବିବ୍ ନବି ୫ଟି ୱିକେଟ୍ ନେଇଥିଲେ । ଦ୍ବିତୀୟ ଇଂନିସରେ ଜମ୍ମୁ ଓ କଶ୍ମୀର କାମରାନ ଇକବାଲ୍ ଓ ସାହିଲ ଲୋଟ୍ରାନଙ୍କ ଶତକ ବଳରେ ୪ ୱିକେଟ୍ ବିନିମୟରେ ୩୪୨ ରନ୍ କରିଥିଲା ।
Follow Us