Rajasthan Photograph: (Google)
କନକ ବ୍ୟୁରୋ: ଜେଲରେ ପ୍ରେମ ଓ ବିବାହ ପାଇଁ ପାରୋଲରେ ଆସିବା ପରି ଏକ କାହାଣୀ ରାଜସ୍ଥାନରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । କୌଣସି ଚଳଚ୍ଚିତ୍ରର କାହାଣୀ ପରି ମନେ ହେଉଥିଲେ ମଧ୍ୟ ପ୍ରିୟା ସେଠ୍ ଓରଫ ନେହା ସେଠ ଓ ହନୁମାନ ପ୍ରସାଦଙ୍କୁ ସେମାନଙ୍କ ବାହାଘର ପାଇଁ ରାଜସ୍ଥାନ ହାଇକୋର୍ଟରୁ ୧୫ ଦିନିଆ ଜରୁରୀକାଳୀନ ପାରେଲ ମିଳିଛି । ପ୍ରିୟା ଜଣେ ମଡେଲ । ଏକ ଡେଟିଂ ଆପ୍ରେ ସେ ଭେଟିଥିବା ଦୁଷ୍ୟନ୍ତ ଶର୍ମା ନାମକ ଜଣେ ଯୁବକଙ୍କୁ ହତ୍ୟା କରିବା ଅପରାଧରେ ସାଙ୍ଗାନେର୍ ମୁକ୍ତାକାଶ ଜେଲରେ ସଜ୍ଜା କାଟୁଛନ୍ତି । ପ୍ରିୟା ତାଙ୍କ ବୟଫ୍ରେଣ୍ଡ ଦିକ୍ଷାନ୍ତ କାମରା ଓ ଅନ୍ୟ ଜଣେ ଲୋକ ସହିତ ମିଶି ୨୦୧୮ ମସିହାରେ ଦୁଷ୍ୟନ୍ତ ଶର୍ମାଙ୍କୁ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ପାଇଁ ପ୍ରିୟା ଏବେ ସାଙ୍ଗାନେର୍ ମୁକ୍ତାକାଶ ଜେଲରେ ଅଛନ୍ତି ।
ଅଧିକ ପଢନ୍ତୁ: ବିବାହ ପାଇଁ ଆସିଲାନି ପ୍ରେମିକ ; ଥାନା ଆଗରେ ପ୍ରେମିକାର ଆତ୍ମହତ୍ୟା ଉଦ୍ୟମ
ଛଅ ମାସ ତଳେ ସେ ଜେଲରେ ହନୁମାନ ପ୍ରସାଦଙ୍କୁ ଭେଟିଥିଲେ । ହନୁମାନ ପ୍ରସାଦ ୫ ଜଣ ଲୋକଙ୍କୁ ହତ୍ୟା କରିବା ଅପରାଧରେ ଜେଲ ଦଣ୍ଡାଦେଶ ଭୋଗୁଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସୂଚନାଯୋଗ୍ୟ, ହନୁମାନ ପ୍ରସାଦ ତାଙ୍କଠାରୁ ୧୦ ବର୍ଷ ବଡ଼ ଗର୍ଲଫ୍ରେଣ୍ଡର ସ୍ବାମୀ ଓ ପିଲାଙ୍କୁ ଅତି ବର୍ବରତା ସହିତ ହତ୍ୟା କରିଥିଲେ। ଅଲୱାରର ଜଣେ ତାଇକୋଣ୍ଡୋ ଖେଳାଳି ସନ୍ତୋଷ ୨୦୧୭ ମସିହା ଅକ୍ଟୋବର ୨ ରାତିରେ ହନୁମାନ ପ୍ରସାଦଙ୍କୁ ତାଙ୍କ ସ୍ବାମୀ ଓ ପିଲାଙ୍କୁ ହତ୍ୟା କରିବାକୁ ଡାକିଥିଲେ। ପଶୁଙ୍କୁ ହତ୍ୟା କରିବାକୁ ବ୍ୟବହାର ହେଉଥିବା ଛୁରିରେ ହନୁମାନ ପ୍ରସାଦ ୪ ଜଣ ଶିଶୁଙ୍କ ସମେତ ୫ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ସେତେବେଳେ ଅଲୱାରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ହତ୍ୟାକାଣ୍ଡ ଏବେ ପ୍ରିୟା ଓ ହନୁମାନ ପ୍ରସାଦଙ୍କୁ ଏକାଠି କରିଛି । ରାଜସ୍ଥାନ ହାଇକୋର୍ଟରୁ ପାରୋଲ ମିଳିବା ପରେ ପ୍ରିୟା ଓ ହନୁମାନ ପ୍ରସାଦ ଅଲୱାରର ବରୋଦାମେଭରେ ଶୁକ୍ରବାର ବିବାହ କରିବେ ।
Follow Us