କନକ ବ୍ୟୁରୋ : ଇସ୍ରାଏଲର ନ୍ୟାୟ ମନ୍ତ୍ରଣାଳୟ ଗାଜାରେ ଏକ ବଡ଼ ଧରଣର ଚୋରା ଚାଲାଣ ନେଟୱାର୍କର ପର୍ଦ୍ଦାଫାସ୍ କରିଛି। ରାଜ୍ୟ ପବ୍ଲିକ ପ୍ରସିକ୍ୟୁଟରଙ୍କ ଅନୁଯାୟୀ,ଏହି ମାମଲାରେ ପ୍ରାୟ ୧୨ ଲୋକଙ୍କୁ ଅଭିଯୁକ୍ତ କରାଯାଇଛି। ଯେଉଁଥିରେ ଇସ୍ରାଏଲୀ ସୈନିକ ଓ ରିଜର୍ଭ ଫୋର୍ସର ସଦସ୍ୟ ମଧ୍ୟ ଅଛନ୍ତି। ଅଭିଯୋଗ ହୋଇଛି ଯେ, ଏହି ବ୍ୟକ୍ତିମାନେ ଯୁଦ୍ଧ ସମୟରେ ଗାଜାକୁ ଲକ୍ଷ ଲକ୍ଷ ଡଲାର ମୂଲ୍ୟର ସାମଗ୍ରୀ ଚୋରାଚାଲାଣ କରି କେବଳ ଆଇନ ଭଙ୍ଗ କରି ନଥିଲେ, ବରଂ ଶତ୍ରୁ ସଂଗଠନ ହମାସକୁ ମଧ୍ୟ ସହାୟତା କରିଥିଲେ। ଇସ୍ରାଏଲୀ ପବ୍ଲିକ ପ୍ରସିକ୍ୟୁଟରଙ୍କ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି, ଅଭିଯୁକ୍ତମାନେ ଗାଜାକୁ ସିଗାରେଟ୍, ଆଇଫୋନ୍, ବ୍ୟାଟେରୀ, ଯୋଗାଯୋଗ କେବୁଲ୍ ଓ କାର୍ ପାର୍ଟସ୍ ଭଳି ସାମଗ୍ରୀ ଚୋରା ଚାଲାଣ କରୁଥିଲେ। ଏହା ମଧ୍ୟ ଅଭିଯୋଗ କରାଯାଇଛି, ସେମାନେ ଜାଣିଶୁଣି ଚୋରା ଚାଲାଣ କରୁଥିଲେ ଯେଭଳି ଏହି ସାମଗ୍ରୀଗୁଡ଼ିକ ହମାସ ସଦସ୍ୟଙ୍କ ପାଖରେ ପହଞ୍ଚିପାରିବ।
ଦୁର୍ବଳ ସୀମା ନିରୀକ୍ଷଣ
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ-ଗାଜା ସୀମାରେ ଦୁର୍ବଳ ନଜର ରଖିବା ଯୋଗୁ ଏହି ଚୋରା ଚାଲାଣ ସମ୍ଭବ ହୋଇଥିଲା। ଇସ୍ରାଏଲୀ ଖବରକାଗଜ ହାରେଜ୍ ଦାବି କରିଛି ଯେ, ରିଜର୍ଭ ସୈନିକମାନେ ଏହି କାର୍ୟ୍ୟରେ ସାମିଲ ଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯୁଦ୍ଧ ସମୟରେ ଗାଜାକୁ ମାନବିକ ସହାୟତାକୁ ମଧ୍ୟ କଡ଼ାକଡ଼ି ନିୟନ୍ତ୍ରଣ କରାଯାଇଛି । ହାମାସ ପାଇଁ ଲାଭଦାୟକ ହେଉଥିବା ଅନେକ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଅଧିକ ପଢ଼ନ୍ତୁ : ଇସ୍ରାଏଲର ହାତ ଛାଡ଼ିବ କି ଆମେରିକା, ଇରାନ ସହ ଓମାନରେ ଆମେରିକା କରିବ ବୈଠକ
ସିଲ୍ ହୋଇଥିବା ଟ୍ରକ୍
ଆସୋସିଏଟେଡ୍ ପ୍ରେସ୍ ଦ୍ୱାରା ପ୍ରାପ୍ତ ଗାଜା ଚାମ୍ବର ଅଫ୍ କମର୍ସର ଏକ ଆଭ୍ୟନ୍ତରୀଣ ଉପସ୍ଥାପନାରୁ ଜଣାପଡିଛି ଯେ, ସରକାରୀ କ୍ରସିଂ ସିଷ୍ଟମ୍ ବାହାରେ ସେନାର ଜାଣତରେ ସିଲ୍ ହୋଇଥିବା ଇସ୍ରାଏଲୀ ଟ୍ରକ୍ ମାଧ୍ୟମରେ ସାମଗ୍ରୀ ଗାଜାକୁ ପରିବହନ କରାଯାଉଛି। ରିପୋର୍ଟ ଅନୁଯାୟୀ, ପ୍ରତି ସିପମେଣ୍ଟ ପାଇଁ ବେଆଇନ ଶୁଳ୍କ ଲକ୍ଷ ଲକ୍ଷ ଡଲାର ହୋଇପାରେ।
ଅଧିକ ପଢ଼ନ୍ତୁ : ଇସ୍ରାଏଲର ହାତ ଛାଡ଼ିବ କି ଆମେରିକା, ଇରାନ ସହ ଓମାନରେ ଆମେରିକା କରିବ ବୈଠକ
ଗୁଇନ୍ଦା ସଂସ୍ଥା ସିନ୍ ବେଟ୍ ମୁଖ୍ୟଙ୍କ ଭାଇଙ୍କ ନାମରେ ଅଭିଯୋଗ
ପବ୍ଲିକ ପ୍ରସିକ୍ୟୁଟରଙ୍କ ବୟାନରେ ଇସ୍ରାଏଲର ଘରୋଇ ଗୁଇନ୍ଦା ସଂସ୍ଥା ସିନ୍ ବେଟ୍ର ମୁଖ୍ୟ ଡେଭିଡ୍ ଜିନିଙ୍କ ଭାଇ ବେଜାଲେଲ୍ ଜିନିଙ୍କ ନାମ ଆସିଥିଲା। ଫଳରେ ଏନେଇ ଦେଶରେ ଚର୍ଚ୍ଚା ବେଶ୍ ସରଗରମ ହୋଇଥିଲା। ତାଙ୍କ ବିରୋଧରେ ଲାଞ୍ଚ ବଦଳରେ ସେ ସିଗାରେଟ୍ ଚୋରା ଚାଲାଣକୁ ସହଜ କରିଥିବା ଅଭିଯୋଗ ହୋଇଛି। ତେବେ ଜିନିଙ୍କ ବିରୋଧରେ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବରେ ଅଭିଯୋଗ କରାଯାଇ ନାହିଁ। ତାଙ୍କ ଆଇନଜୀବୀ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ୟ୍ୟାଳୟ ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରିବାକୁ ଦାବି କରିଛି। ଏହି ମାମଲା ଇସ୍ରାଏଲର ସୁରକ୍ଷା ବ୍ୟବସ୍ଥା, ସାମରିକ ଦାୟିତ୍ୱ ଏବଂ ଯୁଦ୍ଧକାଳୀନ ଦୁର୍ନୀତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।
Follow Us