ishan Photograph: (Kanak News)
କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଧୈର୍ଯ୍ୟ ନୁହେଁ, ପ୍ରଦର୍ଶନକୁ ଗୁରୁତ୍ବ ଦି ଏ। ଗୋଟିଏ ଶୃଙ୍ଖଳା ଓ ଗୋଟିଏ ପାଳି ଜଣଙ୍କ କ୍ୟାରିୟର୍ର ମୋଡ଼ ବଦଳାଇ ଦିଏ । ସଦ୍ୟ ସମାପ୍ତ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଦେଖାଇଦେଲା ଯେ ଭାଗ୍ୟ କିପରି ଶୀଘ୍ର ଓଲଟିପାରେ । ସଞ୍ଜୁ ସାମ୍ସନ୍ଙ୍କ ବଦଳରେ ଶୁବମନ୍ ଗିଲ୍ ଦଳକୁ ଆସିଥିଲେ। ସାମ୍ସନ୍ଙ୍କ ବ୍ୟାଟିଂ କ୍ରମ ବଦଳିଲା। ଗିଲ୍ ପାଇଥିବା ସୁଯୋଗକୁ ସଦ୍ବ୍ୟବହାର କରି ନପାରି ନିଜ ସ୍ଥାନ ହରାଇଲେ। କିନ୍ତୁ ସାମ୍ସନ୍ଙ୍କ ବ୍ୟାଟିଂ କ୍ରମ ଅଦଳବଦଳ ଯୋଗୁଁ ଚାପରେ ରହିବା ସହ ବିଫଳ ବି ହେଲେ। ଉଭୟଙ୍କ ବିଫଳତାରୁ ଈଶାନ କିଶନ ପ୍ରବେଶ କଲେ।
ଅପ୍ରତ୍ୟାଶିତ ଭାବେ ଆସିଥିବା ଈଶାନ ହିଁ ଐଥିରୁ ସବୁଠୁ ବେଶୀ ଲାଭବାନ ହେଲେ। କିଛି ମାସ ତଳେ ଈଶାନ ଭାରତୀୟ ଚୟନକର୍ତ୍ତାଙ୍କ ଆଲୋଚନାରେ ନଥିଲେ। ସେ ଦଳ ବାହାରେ ଏବଂ ବିବାଦ ମଧ୍ୟରେ ଥିଲେ। ଭାରତୀୟ କ୍ରିକେଟ୍ର ଅଦଳବଦଳ ଭିତରେ ଈଶାନକୁ ସୁଯୋଗ ମିଳିଲା ଏବଂ ସେ ଏହାର ସୁଯୋଗକୁ ଦୁଇ ହାତରେ ନେଲେ। ଖାଲି ଦଳରେ ନିଜ ସ୍ଥାନ ନୁହେଁ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଓପନିଂ କରିବାର ଦ୍ବାରରେ ପହଞ୍ଚି ଯାଇଛନ୍ତି ଏହି ୨୭ ବର୍ଷୀୟ ୱିକେଟ୍କିପର ବ୍ୟାଟର୍। ଏହା ହେଉଛି ଭାରତୀୟ କ୍ରିକେଟ୍ର ତୁରନ୍ତ ମୋଡ଼ ନେଉଥିବା ଜୁଆର।
ଈଶାନଙ୍କ ସୁଯୋଗ ସଦ୍ଉପଯୋଗ
ତିରୁଅନନ୍ତପୁରମ୍ରେ ଶନିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟ୍ବେଣ୍ଟି-୨୦ରେ ସେ ଏମିତି ପାଳି ଖେଳିଲେ ଯାହା ତାଙ୍କ ଜୀବନର ଗତି ବଦଳାଇ ଦେଇଛି। ଚୟନ ପଛରେ ଗୋଡ଼ାଉଥିବା ଏହି ବ୍ୟାଟର୍ ପ୍ରତିଦ୍ବନ୍ଦ୍ବିତା ଭିତରେ ବଲ୍କୁ ସଠିକ୍ ଚୟନ କରି ଏଥିରୁ ମୁକୁଳିବାର ବାଟ କାଢ଼ିଛନ୍ତି। ଆରମ୍ଭରୁ କୌଣସି ବିଚଳିତ ନ ହୋଇ, ସେ ପେସ୍, ସ୍ପିନ୍କୁ ଆକ୍ରମଣ କରିଥିଲେ। ତାଙ୍କ ଅର୍ଦ୍ଧଶତକ ମାତ୍ର ୨୮ ବଲ୍ରୁ ଆସିଥିଲା। ଏହାପରେ ବି ସେ ଶାନ୍ତ ହୋଇ ଧିମା ପଡ଼ିଯାଇ ନଥିଲେ। ସେ ଆହୁରି ଚମତ୍କାର ଖେଳିଥିଲେ।
ଆହୁରି ପଢ଼ନ୍ତୁ... କାନ୍ସାସ୍ରେ ତେଜସ୍ବିନଙ୍କୁ ହାଇଜମ୍ପ୍ ମୁକୁଟ; ଅଲିମ୍ପିକ୍ ପଦକ ବିଜେତାଙ୍କୁ ପଛରେ ପକାଇଲେ
ତାଙ୍କ ପଦ ଚାଳନା ସହ ବ୍ୟାଟ୍ର ସ୍ବିଙ୍ଗ୍ ଓ ଟାଇମ୍ ସବୁ ଠିକ୍ ରହିଥିଲା। ସେ ଇଶ୍ ସୋଢ଼ୀଙ୍କ ଗୋଟିଏ ଓଭରରୁ ୨୯ ଆଦାୟ କରିବା ସହ ୪୩ ବଲ୍ରୁ ୧୦୩ ରନ୍ କରି ନେଇଥିଲେ। ଏଥିରେ ୧୦ ଛକା ୬ ଚୌକା ସାମିଲ ଥିଲା। ବ୍ୟାଟିଂର ଚମତ୍କାରିତା ପରେ ଦଳ ତାଙ୍କୁ ଆଉ ଏକ ଦାୟିତ୍ବ ଦେଇଥିଲା। କାଗଜ କଲମରେ ୱିକେଟ୍କିପିଂ ଦାୟିତ୍ବ ସଂଜୁ ସାମ୍ସନ୍ଙ୍କ ହାତରେ ଥିଲା। ହେଲେ ନ୍ୟୁଜିଲାଣ୍ଡ ବ୍ୟାଟିଂକୁ ଆସିଲା ବେଳେ ଏଥିରେ ହଟାତ୍ ବଦଳିଗଲା। ଈଶାନଙ୍କୁ ଷ୍ଟମ୍ପ୍ ପଛରେ ରହିବାକୁ କୁହାଗଲା। ଏହି ଛୋଟିଆ ଅଦଳବଦଳ କିନ୍ତୁ ବଡ଼ ବାର୍ତ୍ତା ଦେଇଥିଲା। ଏହା ରଣନୀତିରେ ଥିଲା ନା ଈଶାନ ଦୈତ ଦାୟିତ୍ବ ଦେବା ଲାଗି ଦଳୀୟ ଅଧିକାରୀ ଏପରି କଲେ।
ଚାପରେ ସାମ୍ସନ୍
ନିଜ ରାଜ୍ୟର ଦର୍ଶକ ସମ୍ମୁଖରେ ଭଲ କରିବାର ଆଶା ରଖିଥିବା ସାମ୍ସନ୍ ବିଫଳତାର ସାମ୍ନା କରିଥିଲେ। ୬ ବଲ୍ରୁ ୬ ରନ୍ କରିବା ପରେ ଆଉଟ୍ ହୋଇ ଏକ ସୁଯୋଗ ହାତଛଡ଼ା କରିଥିଲେ। ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ସେ ଯଥାକ୍ରମେ ୧୦, ୬, ୦, ୨୪ ଓ ୬ ରନ୍ କରିବାକୁ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷରେ ୨ ବର୍ଷ ପରେ ଟ୍ବେଣ୍ଟି-୨୦ ଏକାଦଶକୁ ଫେରିଥିବା ଈଶାନ ୮, ୭୬, ୨୮ ଓ ୧୦୩ ରନ୍ କରିଥିଲେ। ଚତୁର୍ଥ ମ୍ୟାଚ୍ରେ ସେ ଚୂଡ଼ାନ୍ତ ଏକାଦଶରେ ସାମିଲ ନଥିଲେ। ବ୍ୟାଟିଂ ଅନୁକୂଳ ପିଚ୍ରେ ଆଗକୁ ବଢ଼ିବାକୁ ସଂଘର୍ଷ କରୁଥିବା ସାମ୍ସନ୍ଙ୍କ ତାଙ୍କ ଆତ୍ମବିଶ୍ବାସ ଦୁର୍ବଳ ଥିଲା ଭଳି ଲାଗୁଥିଲା। ଯାହ ପାଇଁ ସେ ରନ୍ କରି ପାରି ନଥିଲେ। ଭାରତୀୟ କ୍ରିକେଟ୍ ପାଇଁ ପୂର୍ବ ପ୍ରଦର୍ଶନ କିମ୍ବା ପ୍ରତିଷ୍ଠା ନୁହେଁ କେବଳ ସଂଖ୍ୟା ହିଁ ଗୁରୁତ୍ବପୂର୍ଣ୍ଣ। ତେଣୁ ଈଶାନଙ୍କ ଏହି ପ୍ରତୀକ୍ଷିତ ଶତକ ନିଶ୍ଚିତ ତାଙ୍କୁ ଭାରତୀୟ ବିଶ୍ବକପ୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବାର ପ୍ରମୁଖ ଦାବିଦାର କରିବ।
ଅନ୍ୟପକ୍ଷରେ ନିମ୍ନମାନର ପ୍ରଦର୍ଶନ ସାମ୍ସନ୍ଙ୍କ ପାଇଁ ଆଗାମୀ ବିଶ୍ବକପ୍ରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାର ବାଟ ବନ୍ଦ କରିବାର ସମ୍ଭାବନା ଅଧିକ ରହିଛି। ସୂଚନାଯୋଗ୍ୟ ଯେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଈଶାନ ୫୧୭ ରନ୍ କରିଥିଲେ। ତାଙ୍କ ପ୍ରଦର୍ଶନ ବଳରେ ଝାଡ଼ଖଣ୍ଡ ପ୍ରଥମ ଥର ଏହି ଟ୍ରଫି ଜିତି ପାରିଥିଲା। ଯାହା ପାଇଁ ଈଶାନ ବିଶ୍ବକପ୍ ଦଳରେ ନିଜ ସ୍ଥାନ ପକ୍କା କରିଥିଲେ। ବିଶ୍ବକପ୍ ପାଖେଇ ଆସୁଥିଲା ବେଳେ ଈଶାନଙ୍କ ଖେଳିବା ଆଶା ବଢ଼ୁଥିଲା ବେଳେ ସାମ୍ସନ୍ଙ୍କ ଖସିବାକୁ ଲାଗିଛି।
Follow Us