clove Photograph: (kanak news)
କନକ ବ୍ୟୁରୋ : ଭାରତୀୟ ରନ୍ଧାଶାଳରେ ବ୍ୟବହୃତ ହେଉଥିବା ମସଲା କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ନୁହେଁ, ବରଂ ଏହାର ଔଷଧୀୟ ଗୁଣ ପାଇଁ ମଧ୍ୟ ବେଶ୍ ଜଣାଶୁଣା । ଏଥିମଧ୍ୟରୁ ଲବଙ୍ଗ ବହୁତ ଖାସ୍ । ଆୟୁର୍ବେଦ ଅନୁସାରେ ଲବଙ୍ଗ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦିନ ଅପେକ୍ଷା ରାତିରେ ଲବଙ୍ଗ ଖାଇବା ଦ୍ୱାରା ଶରୀରକୁ ଦ୍ୱିଗୁଣିତ ଫାଇଦା ମିଳିଥାଏ । ନିକଟରେ କିଛି ବିଶିଷ୍ଟ ପୁଷ୍ଟିବିତ୍ ବା ନ୍ୟୁଟ୍ରିସନିଷ୍ଟ ଏନେଇ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଯେକୌଣସି ଜିନିଷର ଅତ୍ୟଧିକ ସେବନ କ୍ଷତିକାରକ ହୋଇପାରେ । ଲବଙ୍ଗର ପ୍ରକୃତି ଗରମ , ତେଣୁ ଜଣେ ସୁସ୍ଥ ବ୍ୟକ୍ତି ରାତିରେ ଶୋଇବା ପୂର୍ବରୁ ମାତ୍ର ଦୁଇଟି ଲବଙ୍ଗ ଖାଇବା ଉଚିତ୍ । ଏହାକୁ ଭଲ ଭାବରେ ଚୋବାଇ ଖାଇବା ପରେ ଗୋଟିଏ ଗ୍ଲାସ୍ ଉଷୁମ ପାଣି ପିଇବା ଦ୍ୱାରା ଏହାର ଔଷଧୀୟ ଗୁଣ ଶରୀରରେ ଶୀଘ୍ର କାମ କରିଥାଏ ।
ରାତିରେ ଲବଙ୍ଗ ଖାଇବାର ଅନେକ ଚମତ୍କାରୀ ଫାଇଦା ରହିଛି । ଯଦି ଆପଣଙ୍କର କୋଷ୍ଠକାଠିନ୍ୟ, ଗ୍ୟାସ୍ କିମ୍ବା ଏସିଡିଟି ଭଳି ପେଟ ଜନିତ ସମସ୍ୟା ରହିଛି, ତେବେ ରାତିରେ ଦୁଇଟି ଲବଙ୍ଗ ଚୋବାଇ ଉଷୁମ ପାଣି ପିଇବା ଅଭ୍ୟାସ କରନ୍ତୁ । ଏଥିରେ ଥିବା ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ହଜମ ପ୍ରକ୍ରିୟାକୁ ସୁଧାରିବାରେ ବିଶେଷ ସାହାଯ୍ୟ କରେ । ଏହାବ୍ୟତୀତ ଲବଙ୍ଗରେ ଭିଟାମିନ୍ ସି ଏବଂ ଜିଙ୍କ୍ ଭରପୂର ମାତ୍ରାରେ ଥାଏ । ରାତିରେ ଏହାକୁ ସେବନ କଲେ ଶରୀରରେ ଶ୍ୱେତ ରକ୍ତ କଣିକା ବୃଦ୍ଧି ପାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଭାଇରାଲ୍ ସଂକ୍ରମଣ, ଥଣ୍ଡା ଓ କାଶରୁ ରକ୍ଷା କରିଥାଏ ।
ଅଧିକ ପଢ଼ନ୍ତୁ--ଶୀତ ଋତୁର ମହୌଷଧି ; ଖାଇଲେ ମିଳିବ ଚମତ୍କାର ଫାଇଦା
ଲବଙ୍ଗ କେବଳ ପେଟ ପାଇଁ ନୁହେଁ, ବରଂ ଲିଭର ଏବଂ ଦାନ୍ତ ପାଇଁ ମଧ୍ୟ ବରଦାନ ସଦୃଶ । ଏଥିରେ 'ୟୁଜେନୋଲ୍' ନାମକ ଏକ ତତ୍ତ୍ୱ ଥାଏ, ଯାହା ଲିଭରକୁ ବିଷାକ୍ତ ପଦାର୍ଥ ମୁକ୍ତ ବା ଡିଟକ୍ସ କରିବାରେ ସାହାଯ୍ୟ କରେ । ସେହିପରି ରାତିରେ ଲବଙ୍ଗ ଚୋବାଇ ଶୋଇଲେ ମୁଖ ଗହ୍ୱରରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆ ନଷ୍ଟ ହୁଅନ୍ତି, ଯାହା ଦାନ୍ତ ବିନ୍ଧା କମାଇବା ସହ ସକାଳେ ପାଟିରୁ ଦୁର୍ଗନ୍ଧ ଆସିବା ବନ୍ଦ କରେ । ଏହାସହ ଏହାର ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଗଣ୍ଠି ବାତ କିମ୍ବା ଶରୀର ବିନ୍ଧା କମାଇବାରେ ସାହାଯ୍ୟ କରେ । ତେବେ ସ୍ୱାସ୍ଥ୍ୟବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ ଯେହେତୁ ଲବଙ୍ଗ ଶରୀରରେ ଉତ୍ତାପ ସୃଷ୍ଟି କରେ, ତେଣୁ ଗର୍ଭବତୀ ମହିଳା କିମ୍ବା ପାଇଲ୍ସ ରୋଗୀ ଡାକ୍ତରଙ୍କ ପରାମର୍ଶ ବିନା ଏହାକୁ ଅଧିକ ଖାଇବା ଅନୁଚିତ୍ ।
Follow Us