କନକ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ୍ ନ ଦେବାକୁ ନିଷ୍ପତ୍ତି ନେବା କେତେ ଠିକ୍? ଏହାଦ୍ୱାରା ବିଜେଡି ଦିଲ୍ଲୀ ପଲିଟିକ୍ସରେ ନିଜର ଗୁରୁତ୍ୱ ହରାଇବନି ତ ? ନା ଏନଡିଏକୁ ପରୋକ୍ଷରେ ସମର୍ଥନ ଦେବାକୁ ଯାଇ ଏମିତି ନିଷ୍ପତ୍ତି ନେଇଛି ବିଜେଡି ?କିଛି ଏଭଳି ପ୍ରଶ୍ନକୁ ନେଇ ଏବେ ସରଗରମ ରାଜ୍ୟଠୁ ରାଜଧାନୀ ରାଜନୀତି । କାହିଁକି ନା, ଗଲା କିଛି ଦିନ ହେଲା ଯେଉଁ କଥାକୁ ନେଇ ଚର୍ଚ୍ଚା ହେଇ ଆସୁଥିଲା ଶେଷରେ ସେହି କଥା ସାମ୍ନାକୁ ଆସିଛି । ଆଉ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟଦାନ ପ୍ରକ୍ରିୟାରୁ ବିରତ ରହିବା ନେଇ ସୂଚନା ମିଳିଛି ।
ତେବେ ଏ ନିଷ୍ପତ୍ତି ଫଳରେ ବିଜେଡି ଦିଲ୍ଲୀରେ ନିଜର ଓଜନ ହରାଇବନି ତ? କାହିଁକି ନା ଏଥର ଲୋକସଭା ନିର୍ବାଚନରେ ଦଳର ଗୋଟିଏ ବି ସାଂସଦ ଜିତିପାରିନାହାଁନ୍ତି । ଏପଟେ ରାଜ୍ୟସଭାରେ ବିଜେଡିର ସାଂସଦ ସଂଖ୍ୟା କେବଳ ୭ । ତେଣୁ ଏଭଳି ସମୟରେ ଉପରାଷ୍ଟ୍ରପତି ନିର୍ବାଚନରେ ଯଦି ଦଳ ଏଥର କାହାକୁ ବି ସମର୍ଥନ ନ ଜଣାଉଛି, ତେବେ ଏହା କି ବାର୍ତ୍ତା ଦେବ ତାକୁ ନେଇ ଚର୍ଚ୍ଚା ବଢିଛି ।
ଯାହା ଚର୍ଚ୍ଚା ହେଉଥିଲା ସେଇଆ ହେଲା: ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବନି ବିଜେଡି!
ଅତୀତରେ ଅନେକ ପ୍ରସଙ୍ଗରେ ବିଜେଡିର ସମର୍ଥନ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖକୁ ଯାଇଥିଲା । ପୂର୍ବତନ ରାଷ୍ଟ୍ରପତି ଆଉ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଖୋଲାଖୋଲି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲା । ହେଲେ ଏଥର କିନ୍ତୁ ସ୍ଥିତି କିଛି ଭିନ୍ନ ଥିଲା । ବିଜେଡିକୁ ରାଜ୍ୟରେ କ୍ଷମତାଚ୍ୟୁତ କରି ବିଜେପି ଓଡ଼ିଶାରେ କ୍ଷମତା ଅକ୍ତିଆର କରିଛି । ଓଡ଼ିଶାରେ ବିଜେଡି ଏବେ ପ୍ରମୁଖ ବିରୋଧୀ ଦଳ । ଅନ୍ୟପଟେ କିଛି ମାସ ତଳେ ସଂସଦରେ ଓ୍ୱାକଫ୍ ବିଲକୁ ନେଇ ବିଜେଡିର କନ୍ଦଳ ପଦାରେ ପଡ଼ିଥିଲା । ଆଉ ଏହାକୁ ନେଇ ବୟାନବାଜି ମଧ୍ୟ ତେଜିଥିଲା । ତେଣୁ ଏଥର ଦଳ ସମଦୂରତ୍ୱ ନୀତି ଆପଣାଇ ଭୋଟ୍ ନଦେବାକୁ ନିଷ୍ପତ୍ତି ନେଇଛି ।
ଯଦି ଏଥର ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥାନ୍ତା, ତେବେ ବିଜେଡି-ବିଜେପି ଏକ ବୋଲି କେଉଁଠି ନା କେଉଁଠି କଥା ଉଠିଥାନ୍ତା । ଅନେକ ସମୟରେ ବିଜେଡି-ବିଜେପି ଏକ ବୋଲି କଂଗ୍ରେସ କହିଆସିଛି । ତେଣୁ ଏହି କଥାକୁ ଭୁଲ୍ ପ୍ରମାଣିତ କରିବାକୁ ବିଜେଡି ଏପରି ନିଷ୍ପତ୍ତି ନେଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେଡି ଯଦି ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରି ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ସପୋର୍ଟ କରିଥାନ୍ତା, ତେବେ ବିଜେପି ନେତୃତ୍ୱଙ୍କ ଚକ୍ଷୁଶୀଳ ହେଇଥାନ୍ତା । ତେଣୁ ଏ ଦୁଇଟି ରାସ୍ତାକୁ ବାଦ୍ ଦେଇ ବିଜେଡି ଏବେ ତୃତୀୟ ରାସ୍ତା ଅର୍ଥାତ ସମଦୂରତ୍ୱ ନୀତିରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛି ।
ଭିଡିଓ ଦେଖନ୍ତୁ...