କନକ ବ୍ୟୁରୋ: ଟୋକନ ବଣ୍ଟନ ଠିକ୍ ଭାବେ ହୋଇନଥିବା ଯୋଗୁଁ ଏବେ ଚିନ୍ତାରେ ଚାଷୀ । ଯାହାକୁ ଅଧିକ ଟାର୍ଗେଟ୍ ମିଳିବା, କଥା ତାଙ୍କୁ କମ୍ ଟାର୍ଗେଟ୍ ମିଳିଛି, ଅନ୍ୟ ପଟେ ଯେଉଁ ଚାଷୀ କମ୍ ଟାର୍ଗେଟ୍ ପାଇବା କଥା, ତାଙ୍କୁ ଅଧିକ ଟାର୍ଗେଟ୍ ମିଳିଛି। ଗଞ୍ଜାମ ଧରାକୋଟ ବ୍ଳକ ହରିପୁର ସୋସାଇଟିରୁ ଆସିଛି ଏପରି ଅଭିଯୋଗ। ଆଠଘରିଆ ଗ୍ରାମର ପଞ୍ଚାନନ ଗୌଡ଼ଙ୍କ ୧୦ ଏକର ଜମିରୁ ୧୦୦ କୁଇଣ୍ଟାଲ ଧାନ ଅମଳ ହୋଇଥିବା ବେଳେ ମାତ୍ର ୯ କୁଇଣ୍ଟାଲ ୪୫ କିଲୋ ପାଇଁ ଟୋକନ୍ ମିଳିଛି । ସେହି ଗ୍ରାମର ସନ୍ତୋଷ ବିଷୋୟୀ ୬ ଏକର ଜମିରୁ ପ୍ରାୟ ୭୦ ବସ୍ତା ଧାନ ଅମଳ କରିଥିବା ବେଳେ ମଣ୍ଡିକୁ ଯାଇଛି ମାତ୍ର ୩୦ ବସ୍ତା ଧାନ । ଅନ୍ୟପକ୍ଷରେ ଆଠଘରିଆ ଗାଁର ନିରଞ୍ଜନ ବାଡ଼ତ୍ୟାଙ୍କ ଗୋଟିଏ ଏକର ଜମି ଥିଲେ ବି ତାଙ୍କୁ ୩୭ କୁଇଣ୍ଟାଲ ୩୫ କେଜି ଧାନର ଟୋକନ୍ ମିଳିଛି । ସେ ନିଜେ ବି ଜାଣି ନାହାନ୍ତି, ତାଙ୍କର କାହିଁକି ଅଧିକ ଟାର୍ଗେଟ୍ ଆସିଛି ।
ଅଧିକ ପଢନ୍ତୁ: ଚାଷୀର ପିଛା ଛାଡ଼ୁନି ସମସ୍ୟା ? କାଳ ସାଜିଛି ଟୋକନ୍ ଅବ୍ୟବସ୍ଥା!
ଗଞ୍ଜାମ ଜିଲ୍ଲାରେ ମାସେ ହେଲା ମଣ୍ଡି ଖୋଲିଥିଲେ ବି ଏଯାଏଁ ଧାନକିଣା ସ୍ବାଭାବିକ ହୋଇପାରିନି। ଜିଲ୍ଲାରେ ୧ଲକ୍ଷ ୫୫ହଜାର ୩୨ ଚାଷୀ ଧାନ ବିକିବାକୁ ପଞ୍ଜୀକୃତ ହୋଇଛନ୍ତି। ସେଥିରୁ ୪୯ ହଜାର ୬୯୬ ଚାଷୀ ଧାନ ବିକ୍ରି କରିଛନ୍ତି। ୨୩ ତାରିଖ ସୁଦ୍ଧା ୧୯ଲକ୍ଷ ୪ହଜାର ୨୦୬ କୁଇଣ୍ଟାଲ୍ ଧାନ କିଣା ସରିଛି। ହେଲେ ଧରାକୋଟ, ଆସିକା ଓ ସେରଗଡ଼ ଆଦିର ଅନେକ ଗାଁର ଚାଷୀଙ୍କୁ ଏଯାଏଁ ଟୋକନ୍ ମିଳିନି । ତେବେ ଏହା ପଛରେ ବଡ କେଳେଙ୍କାରୀ ରହିଥିବା ସନ୍ଦେହ କରାଯାଉଛି। ଇନପୁଟ ସବସିଡି ହାତେଇବା ପାଇଁ ଷଡଯନ୍ତ୍ର ହୋଇଥିବ ସନ୍ଦେହ କରିଛନ୍ତି ଚାଷୀ । ଅନ୍ୟପଟେ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/24/paddy-2026-01-24-21-02-25.jpg)