କନକ ବ୍ୟୁରୋ : ଅଙ୍ଗନବାଡ଼ି ମାଧ୍ୟମରେ ପିଲାଙ୍କୁ ଶିକ୍ଷା ସହ ମାନସିକ ଦକ୍ଷତା ବୃଦ୍ଧି ନିମନ୍ତେ ପୋଷଣଯୁକ୍ତ ଖାଦ୍ୟ ଯୋଗାଯାଉଛି । କିନ୍ତୁ କିଛି ଅସାଧୁ ଅଧିକାରୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଏଥିରୁ ବଞ୍ଚିତ ହେଉଛନ୍ତି ପିଲା । କଳାହାଣ୍ଡି ଜିଲ୍ଲା କୋକସରାର ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ଚାଉଳ ଯୋଗାଣରେ ଅନିୟମିତତା ଦେଖାଦେଇଛି। ଫଳରେ ୩ ମାସ ହେବ ପିଲା ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ରହୁଥିବା ନେଇ ଅଭିଯୋଗ ହୋଇଛି । 

Advertisment

କୋକସରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ଅଧୀନସ୍ଥ ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ପିଡିଏସ୍‌ ଯୋଗାଣରେ ଅନିୟମିତତା ନେଇ ଆସିଛି ଅଭିଯୋଗ । ୩ ମାସ ହେଲା କେନ୍ଦ୍ରରେ ଚାଉଳ ପହଞ୍ଚିନି। ଫଳରେ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ଅଛନ୍ତି କୋମଳମତି ଶିଶୁ। ତଥ୍ୟ ଅନୁସାରେ, କୋକସରା ଆଇସିଡିଏସ୍‌ ଅନ୍ତର୍ଗତ ୨୨ଟି ପଞ୍ଚାୟତରେ ୧୬୮ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଯେଉଁଠି ପାଠ ପଢ଼ୁଛନ୍ତି ୫୦୫୨ ପିଲା। ତ୍ରୈମାସିକ ପିଡିଏସ୍‌ ଯୋଗାଣ ବାବଦକୁ ୨୭୦ କ୍ବିଣ୍ଟାଲ ଚାଉଳ ଉଠାଯାଇ ଅଙ୍ଗନବାଡ଼ିମାନଙ୍କୁ ଆଗୁଆ ଯୋଗାଇଦେବା ନିୟମ ରହିଛି। କିନ୍ତୁ ନିୟମ ଉଲ୍ଲଙ୍ଘନ କରି ଠିକା ସଂସ୍ଥା କୋକସରା ବ୍ଲକର କେନ୍ଦ୍ର ମାନଙ୍କୁ ଯୋଗାଣ ବନ୍ଦ କରିରଖିଥିବା ଅଭିଯୋଗ ହୋଇଛି । 

ଅଧିକ ପଢ଼ନ୍ତୁ---ଭୁବନେଶ୍ୱରରୁ ଛାତ୍ର ନିଖୋଜ ଘଟଣା; ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର, ଦେହ ସାରା ଖଣ୍ଡିଆ ସହ ଲାଗିଛି ରକ୍ତ

ଚାଉଳ ଯୋଗାଣ ଦାୟିତ୍ବ ଘରୋଇ ଏଜେନ୍ସିକୁ ଦିଆଯାଇଛି। କେନ୍ଦ୍ର ମାନଙ୍କରେ ୨୦୨୫-୨୬ ଆର୍ଥିକ ବର୍ଷରେ ଗତ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଚାଉଳ ଦିଆଯାଇନି! ଚଳିତ ବର୍ଷ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଚାଉଳ ଯୋଗାଣରେ ବିଳମ୍ବ! ହୋଇଥିବା ଜଣାପଡ଼ିଛି। କୋକସରା ସିଡିପିଓ କହୁଛନ୍ତି, ଆମେ ବି ବିଳମ୍ବରେ ଚାଉଳ ପାଇଛୁ, ଏଯାଏଁ ତୃତୀୟ ପର୍ଯ୍ୟାୟ ଚାଉଳ ପାଇନୁ। ଏନେଇ ଧର୍ମଗଡ଼ ଉପଜିଲ୍ଲାପାଳ ଓ ଡିଏସ୍‌ଡବ୍ଲୁ ଅଧିକାରୀଙ୍କୁ ଜଣାଯାଇଛି। ଖୁବଶୀଘ୍ର ସମାଧାନ ହେବ। ଯୋଗାଣକାରୀ ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଲାଭଖୋର୍ ମନୋବୃତ୍ତି ଯୋଗୁଁ ପିଲା ହନ୍ତସନ୍ତ ହେଉଛନ୍ତି। ତୁରନ୍ତ ଚାଉଳ ଯୋଗାଣକାରୀ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।