କନକ ବ୍ୟୁରୋ : ଇରାନରେ ଯୁଦ୍ଧ ସଙ୍କଟ ଦିନକୁ ଦିନ ଘନେଇବାରେ ଲାଗିଛି । ଇରାନରେ ଆନ୍ଦୋଳନ ଜାରି ରହିଥିବାବେଳେ ଆମେରିକା ରା‌‌‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକପୂର୍ଣ୍ଣ ବୟାନ ପୁଣି ଥରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ବୃଦ୍ଧି କରିଛି । ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଆଉ ଏକ ବଡ଼ ଓ ଶକ୍ତିଶାଳୀ ଜାହାଜ ଇରାନ ଅଭିମୁଖେ ଯାଉଛି । କିନ୍ତୁ ପରେ ସେ କହିଥିଲେ ଯେ, ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଚାହୁ ନାହାନ୍ତି । ଟ୍ରମ୍ପଙ୍କ ବୟାନ ପରେ ଇରାନର ପରମାଣୁ ପ୍ରତିଷ୍ଠାନଗୁଡ଼ିକ ଉପରେ ଆମେରିକା ପକ୍ଷରୁ ସମ୍ଭାବ୍ୟ କମାଣ୍ଡୋ ଅପରେସନ୍ ଗ୍ରହଣ କରାଯାଇପାରେ ବୋଲି ଅନୁମାନ କରାଯାଉଛି । ଇରାନ ପକ୍ଷରୁ କୁହାଯାଇଛି ଯେ, ଆମେରିକାର ଯେକୌଣସି ଆକ୍ରମଣର ଜବାବରେ ତେହେରାନ ତୁରନ୍ତ ଆମେରିକୀୟ ସେନା ଘାଟି ଏବଂ ବିମାନ ବାହକ ଉପରେ ଆକ୍ରମଣ କରିବ । ସୂଚନାଯୋଗ୍ୟ, ଟ୍ରମ୍ପ ଏହାପୂର୍ବରୁ ଇରାନରେ ବିଦ୍ରୋହୀଙ୍କୁ ହତ୍ୟା କରାଗଲେ ଆମେରିକା ତେହେରାନ ଉପରେ ସାମରିକ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରିବା ବୋଲି ଧମକ ଦେଇଥିଲେ । ନିକଟରେ ଟ୍ରମ୍ପ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ତାଙ୍କ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ଇରାନ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରିପାରେ ବୋଲି ପାଶ୍ଚାତ୍ୟ ଦେଶମାନେ ଅନୁମାନ କରୁଛନ୍ତି । ବୁଧବାର ଟ୍ରମ୍ପ କହିଥିଲେ, ତେହେରାନ କୌଣସି ନିଷ୍କର୍ସରେ ପହଞ୍ଚିବା ନେଇ ସମୟ ଶେଷ ହୋଇ ଆସୁଛି । ଆମେରିକା ନୌସେନା ମଧ୍ୟ ପ୍ରାଚ୍ୟ ଦେଶମାନଙ୍କ ନିକଟରେ ପହଞ୍ଚି ସାରିଥିବାବେଳେ ଇରାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ବୋଲି ଟ୍ରମ୍ପ କହିଥିଲେ । 

Advertisment

ଇରାନୀ ସାମରିକ ମୁଖପାତ୍ର ବ୍ରିଗେଡିୟର ଜେନେରାଲ ମହମ୍ମଦ ଆକ୍ରାମିନିଆ କହିଛନ୍ତି ଯେ, ଆମେରିକାର ଯେକୌଣସି ପଦକ୍ଷେପ ପ୍ରତି ତେହେରାନର ଜବାବ ସୀମିତ ରହିବ ନାହିଁ । ଆକ୍ରାମିନିଆ କହିଛନ୍ତି ଯେ, ଏହା ଗତ ଜୁନ୍ ଠାରୁ ଭିନ୍ନ ହେବ । ଜୁନ୍‌ରେ ଆମେରିକୀୟ ବିମାନ ଏବଂ କ୍ଷେପଣାସ୍ତ୍ର ଇରାନ ବିରୋଧରେ ଇସ୍ରାଏଲର ଅଭିଯାନରେ ସ୍ବଳ୍ପ ସମୟ ପାଇଁ ଯୋଗ ଦେଇଥିଲେ । ଆକ୍ରାମିନିଆ ଚେତାବନୀ ଦେଇଥିଲେ ଯେ, ଏଥର କିନ୍ତୁ ଇରାନର ଜବାବ ନିର୍ଣ୍ଣାୟକ ଓ ତ୍ବରିତ ହେବ । ଇସ୍ରାଏଲ ଇରାନର ବାଲିଷ୍ଟିକ୍‌ ମିସାଇଲ କାର୍ଯ୍ୟକ୍ରମ ବିପକ୍ଷରେ ଆମେରିକା ସହିତ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ଇରାନ ଗତବର୍ଷ ଜୁନ୍‌ରେ ୧୨ ଦିନିଆ ଯୁଦ୍ଧରେ ପ୍ରବଳ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏବେ ବଡ଼ଧରଣ ପ୍ରସ୍ତୁତି କରିପାରିଛି । 

ଅଧିକ ପଢ଼ନ୍ତୁ---ଭବିଷ୍ୟତର ବ୍ରହ୍ମାସ୍ତ୍ର, ଭାରତର ପ୍ରଥମ ହାଇପରସୋନିକ ମିସାଇଲ୍

ଇରାନର ଜାତୀୟ ସେନା ଇସଲାମିକ୍‌ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍‌ (ଆଇଆର୍‌ଜିସି)କୁ ୟୁରୋପୀୟ ସଂଘ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଛି । ଗୁରୁବାର ବ୍ରସେଲ୍ସରେ ହୋଇଥିବା ୟୁରୋପୀୟ ସଂଘ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଇଆର୍‌ଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଯିବା ପରେ ଏହାର ସମ୍ପତ୍ତି ଜବତ କରାଯିବା ସହିତ ପାଣ୍ଠି ଯୋଗାଣ ଉପରେ କଟକଣା ଲଗାଯାଇଛି । ଏହାସହିତ ଆଇଆରଜିସି ସଦସ୍ୟଙ୍କ ୟୁରୋପ ଗସ୍ତ ଉପରେ କଟକଣା ଲାଗିଛି । ଇରାନ ବିଦେଶ ମନ୍ତ୍ରୀ ଆବାସ ଅରାଘଚି କହିଛନ୍ତି, ୟୁରୋପ ଆମେରିକା ନିର୍ଦ୍ଦେଶରେ ନିଆଁରେ ଘିଅ ଢାଳିବା ପରି କାମ କରୁଛି । ଅରାଘଚି କହିଛନ୍ତି, ଗାଜା ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ୟୁରୋପୀୟ ସଂଘ , ଇରାନ ପ୍ରସଙ୍ଗରେ ମାନବାଧିକାର ଚିନ୍ତା କରିବା ଏହାର ପିଆର୍‌ ‌ଷ୍ଟଣ୍ଟ ।