କନକ ବ୍ୟୁରୋ : ଆମେରିକା ସହ ଯୁଦ୍ଧ ଆଶଙ୍କା ଭିତରେ ଇରାନରେ ବିସ୍ଫୋରଣ । ତେହେରାନ ଆକାଶରେ ଧୁଆଁର ବାଦଲ । ତେହେରାନର ପାରନ୍ଦ ସହରର ଏକ ଅଟ୍ଟାଳିକାରେ ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡିଓରେ ଏକ ଅଟ୍ଟାଳିକାରୁ କଳା ଧୁଆଁ ବାହାରୁଥିବା ଦେଖିବାକୁ ମିଳିଛି । ତୁରନ୍ତ ସୁରକ୍ଷା କର୍ମୀ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ନିଆଁକୁ ଆୟତ୍ତ କରିଛନ୍ତି । ସଂପୃକ୍ତ ଅଞ୍ଚଳକୁ କାହାରିକୁ ଛଡ଼ାଯାଉନଥିବା ଖବର ସୋସିଆଲ ମିଡ଼ିଆରୁ ମିଳିଛି । ତେବେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇଥିବା ଖବର ବର୍ତ୍ତମାନ ସୁଦ୍ଧା ମିଳିନାହିଁ ।

Advertisment

ସେପଟେ ଇରାନ ସରକାରୀ ମିଡ଼ିଆ କିନ୍ତୁ ବିସ୍ଫୋରଣ ଖବରକୁ ଖଣ୍ଡନ କରି କହିଛି, ପାରନ୍ଦ ନଦୀକୂଳରେ ଲାଗିଥିବା ନିଆଁ ଯୋଗୁଁ ଅଞ୍ଚଳ ଧୁଆଁମୟ ହୋଇଥିଲା । ସେପଟେ ସିରାଜ ପ୍ରାନ୍ତର ଏକ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିବା କୁହାଯାଉଛି । ତେବେ ବିସ୍ଫୋରଣ ପଛର କାରଣ ଜଣାପଡ଼ି ନାହିଁ । ଆମେରିକା ଓ ଇସ୍ରାଇଲ ସହ ଉତ୍ତେଜନା ଭିତରେ ଇରାନରେ ଗତ କିଛି ଦିନ ହେଲା ବିସ୍ଫୋରଣ ଖବର ବାରମ୍ୱାର ସାମ୍ନାକୁ ଆସୁଛି । ହେଲେ ଇରାନ ସରକାର ବିସ୍ଫୋରଣ ପଛରେ ବିଦେଶୀ ଶକ୍ତିର ହାତ ଥିବା ଖବରକୁ ଅସ୍ୱୀକାର କରି ଆସୁଛନ୍ତି । ଆମେରିକା ମଧ୍ୟପ୍ରାଚ୍ୟରେ ସାମରିକ ଶକ୍ତି ବଢ଼ାଇବାରେ ଲାଗିଛି ।

ଅଧିକ ପଢନ୍ତୁ : ମଧ୍ୟପ୍ରାଚ୍ୟରେ ସାମରିକ ଉପସ୍ଥିତି ବୃଦ୍ଧି କରୁଛି ଆମେରିକା, ୨୪ଘଣ୍ଟାରେ ୫୦ରୁ ଅଧିକ ଲଢୁଆ ବିମାନ ମୁତୟନ

ଯୁଦ୍ଧ ଜାହାଜ, ଫାଇଟର ଜେଟ, ଏୟାର ଡିଫେନ୍ସ ସିଷ୍ଟମ ନିଜ ସାମରିକ ଉପସ୍ଥିତି ଜାହିର କରୁଛି ଆମେରିକା । ଅନ୍ୟପଟେ ପରମାଣୁ  କାର୍ଯ୍ୟକ୍ରମକୁ  ନେଇ ଇରାନ ସହ କୁଟନୈତିକ ଆଲୋଚନା ମଧ୍ୟ ଚାଲୁଛି । ଯଦି କୁଟନୈତିକ କଥାବାର୍ତ୍ତା ଫେଲ୍ ହୋଇଯାଏ, ତେବେ ଏବେ ଜାରି ରହିଥିବା ଉତ୍ତେଜନା ସାମରିକ ସଂଘର୍ଷର ରୁପ ନେବା ଆଶଙ୍କା ରହିଛି । ସେପଟେ ଇରାନ ମଧ୍ୟ ଯୁଦ୍ଧ ହେଲେ ମୁକାବିଲା ପାଇଁ ପ୍ରସ୍ତୁତି ଚଲାଇଥିବା ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ ହୋଇଛି । ତେଣୁ ମଧ୍ୟପ୍ରାଚ୍ୟ ଏବେ ଅସ୍ଥିରତା, ସମ୍ଭାବ୍ୟ ଯୁଦ୍ଧର ଆଶଙ୍କା ଭିତରେ ଦେଇ ଗତି କରୁଛି ।