କନକ ବ୍ୟୁରୋ:  ପରମାଣୁ ଚୁକ୍ତି ଆଲୋଚନା ମଧ୍ୟରେ ଆମେରିକା କ’ଣ ଇରାନ ଉପରେ ଆକ୍ରମଣ କରିବ? ଏହି ପ୍ରଶ୍ନ କେବଳ ମଧ୍ୟପ୍ରାଚ୍ୟ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ମଧ୍ୟରେ, ଇରାନ ଦାବି କରିଛି ଯେ, ଆମେରିକା ଆମର ସ୍ଥିତିକୁ ସମ୍ମାନ ଦେଉ । ଇରାନ ଜୋରଜବରଦସ୍ତିର ଭାଷା ବୁଝେ ନାହିଁ। ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଜୋର ଦେଇ କହିଛନ୍ତି, ପରମାଣୁ ଚୁକ୍ତିନାମା ଅନୁଯାୟୀ ଇରାନର ୟୁରାନିୟମ ସମୃଦ୍ଧି ଜାରି ରଖିବାର ଅଧିକାର ଅଛି । ଏହି ବିବୃତି ଏପରି ସମୟରେ ଆସିଛି ଯେତେବେଳେ ଦୁଇ ଦେଶ ଆସନ୍ତା ସପ୍ତାହରେ ଓମାନରେ ଆଉ ଏକ ପରମାଣୁ ଆଲୋଚନା ପାଇଁ ସାକ୍ଷାତ କରିବାକୁ ଯାଉଛନ୍ତି। ଇରାନ ରାଷ୍ଟ୍ରପତି ଶୁକ୍ରବାର ଓମାନରେ ପରୋକ୍ଷ ଆଲୋଚନାକୁ ଆଗକୁ ଏକ ପଦକ୍ଷେପ ଭାବରେ ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ତାଙ୍କ ସରକାର ଆଲୋଚନାକୁ ସମର୍ଥନ କରେ।

Advertisment

ଉପସାଗରୀୟ ଅଞ୍ଚଳରେ ଆମେରିକାର ସାମରିକ ମୁତୟନ
ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ଉପସାଗରୀୟ ଅଞ୍ଚଳରେ ଦ୍ରୁତ ଗତିରେ ନିଜର ସାମରିକ ଉପସ୍ଥିତିକୁ ବିସ୍ତାର କରୁଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକା ସରକାର ଇରାନର ପରମାଣୁ କାର୍ଯ୍ୟକ୍ରମ ଓ ଜାନୁଆରିରେ ହୋଇଥିବା ପ୍ରତିବାଦ ଉପରେ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ପାଇଁ ଇରାନ ଉପରେ ଚାପ ବୃଦ୍ଧି କରିଆସୁଛନ୍ତି । ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ସ୍ୱୀକାର କରିଛନ୍ତି ଯେ, ଆମେରିକା ମଧ୍ୟପ୍ରାଚ୍ୟରେ ସାମରିକ ଶକ୍ତି ବୃଦ୍ଧି କରୁଛି। ଆମେ ଆମେରିକାର ସାମରିକ ଉପସ୍ଥିତିକୁ ଭୟ କରୁନାହୁଁ। ଜାନୁଆରି ଶେଷ ଭାଗରେ, ଆମେରିକା ନିଜର ବିମାନ ବାହକ ୟୁଏସଏସ ଆବ୍ରାହମ ଲିଙ୍କନକୁ ଆରବ ସାଗରକୁ ପଠାଇଥିଲା। ଗତ ସପ୍ତାହରେ, ବିବିସି ରିପୋର୍ଟ କରିଥିଲା ଯେ, ଏଫ୍-୧୫ ଲଢୁଆ ବିମାନ, ଏମ୍‌କ୍ୟୁ-୯ ରିପର ଡ୍ରୋନ ଓ ଏ-୧୦ସି ଥଣ୍ଡରବୋଲ୍ଟ ବିମାନ ଜୋର୍ଡାନର ଏକ ବାୟୁସେନା ଘାଟିରେ ପହଞ୍ଚିଛି। ବିବିସି ରିପୋର୍ଟ ଅନୁଯାୟୀ, ସାଟେଲାଇଟ୍ ଚିତ୍ରରେ ଆମେରିକାର ଯୁଦ୍ଧଜାହାଜ ୟୁଏସ୍‌ଏସ୍ ଡେଲବର୍ଟ ଡି. ବ୍ଲାକ୍ ସୁଏଜ୍ କେନାଲ ଦେଇ ଲୋହିତ ସାଗର ଆଡକୁ ଗତି କରୁଥିବାର ଦେଖାଯାଇଥିଲା। ଏହା ସହିତ, ଆମେରିକାର ନିରୀକ୍ଷଣ ଡ୍ରୋନ୍ ସ ଗୁପ୍ତଚର ବିମାନଗୁଡ଼ିକ ଉପସାଗର ଅଞ୍ଚଳରେ ସକ୍ରିୟ ଥିଲେ ।

 ଅଧିକ ପଢନ୍ତୁ: ଇରାନ- ଆମେରିକା ଯୁଦ୍ଧ ଏଡ଼ାଇକୁ ଉଦ୍ୟମ : କତାର, ତୁର୍କୀ, ଓମାନର ପଦକ୍ଷେପ

ଇରାନର କଠୋର ଆଭିମୁଖ୍ୟ
ଆମେରିକାର ସାମରିକ ଅଗ୍ରଗତି ସତ୍ତ୍ୱେ, ଇରାନ କହିଛି ଯେ, ଆମେ କେବେବି ୟୁରାନିୟମ ସମୃଦ୍ଧି ବନ୍ଦ କରିବୁ ନାହିଁ। ଯୁଦ୍ଧ ଧମକ ନେଇ ଭୟଭୀତ ହେବୁ ନାହିଁ। ସରକାର ବିରୋଧୀ ପ୍ରତିବାଦ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ପୂର୍ବରୁ ଇରାନରେ ହସ୍ତକ୍ଷେପ କରିବାକୁ ଧମକ ଦେଇଛି। ଏହି ସମୟରେ, ଇରାନ କିଛି ସଂସ୍କାରବାଦୀ ନେତାଙ୍କୁ ଗିରଫ କରିଛି ଏବଂ ନୋବେଲ ପୁରସ୍କାର ବିଜେତା ନର୍ଗେସ ମହମ୍ମଦିଙ୍କୁ ଆଉ ଏକ ଦଣ୍ଡାଦେଶ କରିଛି। ଆରାଘଚି ତେହେରାନରେ କହିଥିଲେ, ଇରାନର ଆମେରିକା ଉପରେ ଭରସା ନାହିଁ । ଆମେରିକା ଆଲୋଚନାକୁ ଗମ୍ଭୀରତାର ସହ ନେଉଛି ବୋଲି ଆମର ସନ୍ଦେହ ହେଉଛି। ଇରାନ ଏହି ପ୍ରସଙ୍ଗରେ ଚୀନ୍ ଓ ରୁଷ ସହିତ ପରାମର୍ଶ କରୁଛି। ଆମକୁ ଯୁଦ୍ଧ କରିବାକୁ ପଡୁ ପଛେ ଆମେ ୟୁରାନିୟମ୍ ସମୃଦ୍ଧି ପରିତ୍ୟାଗ କରିବୁନାହିଁ। କାରଣ କେହି ଆମକୁ କ''''ଣ କରିବାକୁ ହେବ ତାହାର ପରାମର୍ଶ ଦେଇପାରିବେ ନାହିଁ।

ଆମେରିକା-ଇରାନ ଆଲୋଚନା
ଶୁକ୍ରବାର ଆମେରିକା ଓ ଇରାନ ଓମାନରେ ପୁଣି ଥରେ ଆଲୋଚନା ଆରମ୍ଭ କରିଛନ୍ତି। ଗତ ବର୍ଷ ଜୁନ୍ ମାସରେ ଇସ୍ରାଏଲ-ଇରାନ ଯୁଦ୍ଧ ପରେ ଏହି ଆଲୋଚନା ପ୍ରଥମ। ଇରାନ ଚାହୁଁଛି ଯେ ଆମେରିକା ଲାଗୁ ହୋଇଥିବା ଆର୍ଥିକ କଟକଣା ଉଠାଇ ଦେଉ। ପ୍ରତିବଦଳରେ, ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ଆତ୍ମବିଶ୍ୱାସ ସୃଷ୍ଟିକାରୀ ପଦକ୍ଷେପ ନେବାକୁ ଇଚ୍ଛୁକ। ପାଶ୍ଚାତ୍ୟ ଦେଶ ଓ ଇସ୍ରାଏଲ କହିଛନ୍ତି, ଇରାନ ଏକ ପରମାଣୁ ବୋମା ନିର୍ମାଣ କରିବାକୁ ଚାହୁଁଛି। କିନ୍ତୁ ଇରାନ ଏହାକୁ ଅସ୍ୱୀକାର କରୁଛି। ସେମାନେ ଆମର ପରମାଣୁ ବୋମାକୁ ଭୟ କରନ୍ତି, କିନ୍ତୁ ଆମେ ସେଭଳି କରିବାକୁ ଚାହୁଁନାହୁଁ ବୋଲି ଆରାଘଚି କହିଛନ୍ତି।। ଆମର ପ୍ରକୃତ ଅସ୍ତ୍ର ହେଉଛି ଶକ୍ତିଶାଳୀ ଦେଶକୁ ନା କହିବାର ଶକ୍ତି। ଆମେରିକା ଓ ଇସ୍ରାଏଲ ଚାହୁଁଛନ୍ତି, ଆଲୋଚନାରେ ଇରାନର କ୍ଷେପଣାସ୍ତ୍ର ତଥା ଏହି ଅଞ୍ଚଳରେ ସଶସ୍ତ୍ର ଗୋଷ୍ଠୀଗୁଡ଼ିକୁ ସମର୍ଥନ ଅନ୍ତର୍ଭୁକ୍ତ ହୁଅନ୍ତୁ। କିନ୍ତୁ ଇରାନ ହାର ମାନିବାକୁ ମନା କରୁଛି। ଏହି ସମୟରେ, ଇରାନର ତୈଳ ରପ୍ତାନିକୁ ସୀମିତ କରିବା ପାଇଁ ଆମେରିକା ନୂତନ କଟକଣା ଲାଗୁ କରିଛି। ତେହେରାନରେ ଭାଷଣ ଦେଇ ଆରାଘଚି କହିଛନ୍ତି ଯେ ନିରନ୍ତର କଟକଣା ଏବଂ ସାମରିକ କାର୍ଯ୍ୟାନୁଷ୍ଠାନକୁ ଦେଖିଲେ ଆମକୁ ଲାଗୁ ନାହିଁ ଯେ, ଆମେରିକା ପ୍ରକୃତରେ ଆନ୍ତରିକ ଭାବରେ ଆଲୋଚନା କରିବାକୁ ଚାହୁଁଛି। ତେଣୁ ଏନେଇ ଆମ ମନରେ ସନ୍ଦେହ ସୃଷ୍ଟି ହେଉଛି।