କନକ ବ୍ୟୁରୋ : ଦେଶବ୍ୟାପୀ ବିକ୍ଷୋଭ ଉପରେ ତେହେରାନର ଦମନମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଉତ୍ତେଜନା ମଧ୍ୟରେ ଗୁରୁବାର ସକାଳେ ଇରାନ ଏହାର ଆକାଶପଥ ସାମୟିକ ଭାବେ ବନ୍ଦ କରିଦେଇଥିଲା । ଫଳରେ ଭାରତ, ପଶ୍ଚିମ ଏସିଆ ଓ ୟୁରୋପ ସହ ଜଡ଼ିତ ଅନେକ ବିମାନ ବିଳମ୍ବିତ ହୋଇଥିଲା । ତେହେରାନ୍ ଫ୍ଲାଇଟ୍ ଇନଫରମେସନ୍ ରିଜିଅନ୍ (ଏଫ୍ଆଇଆର୍) ସମସ୍ତ ବିମାନ ପାଇଁ ଭୋର ୩ଟା ୪୫ ସମୟରେ ବନ୍ଦ ରହିଥିଲା । ଦୁଇଘଣ୍ଟା ପରେ ଏହାକୁ ପୁଣି ଖୋଲି ଦିଆଯାଇଥିଲା । ବନ୍ଦ ସମୟରେ, କୌଣସି ଓଭର୍‌ଫ୍ଲାଇଟ୍ ଅନୁମତି ଦିଆଯାଇନଥିଲା । ଇରାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ସିଏଏ)ର ପୂର୍ବ ଅନୁମତି ନେଇ କେବଳ ଇରାନକୁ ଆସୁଥିବା କିମ୍ବା ପ୍ରସ୍ଥାନ କରୁଥିବା ଅନ୍ତର୍ଜାତୀୟ ବେସାମରିକ ବିମାନକୁ ଅନୁମତି ଦିଆଯାଇଥିଲା । ଦିଲ୍ଲୀ ଏସିସି (ଏରିଆ କଣ୍ଟ୍ରୋଲ ସେଣ୍ଟର)କୁ ବନ୍ଦ ହେବା ବିଷୟରେ ଲାହୋର ଏସିସି (ଓପିଏଲଏ) ଦ୍ୱାରା ସୂଚନା ଦିଆଯାଇଥିଲା, ଯେଉଁଥିରେ ସାମରିକ ଉତ୍ତେଜନା ବୃଦ୍ଧିକୁ କାରଣ ଭାବେ ଦର୍ଶାଯାଇଛି। ଭାରତୀୟ ସମୟ ରାତ୍ରି ୩ଟା ୧୨ରେ ଏହି ସୂଚନା ମିଳିଥିଲା । ସେହି ସମୟରେ, ବାୟୁସୀମା ବନ୍ଦ ହେବା ନିଶ୍ଚିତ କରିବାକୁ ଏପର୍ଯ୍ୟନ୍ତ କୌଣସି ନୋଟାମ୍ (ନୋଟିସ୍ ଟୁ ଏୟାର୍ ମିସନ୍) ଜାରି କରାଯାଇ ନାହିଁ ।

Advertisment

ହଠାତ୍ ବନ୍ଦ ହେବା ଦ୍ୱାରା ଏୟାର୍ ଟ୍ରାଫିକ୍ ସେବା ମାର୍ଗ ଜି୪୫୨ ବ୍ୟବହାର କରୁଥିବା ବିମାନଗୁଡ଼ିକ ଉପରେ ତୁରନ୍ତ ପ୍ରଭାବ ପଡ଼ିଥିଲା । ଯାହା ଉତ୍ତର ଓ ପଶ୍ଚିମ ଭାରତରୁ ଇରାନ, ଗଲ୍ଫ, ତୁର୍କୀ ଓ ୟୁରୋପ ଅଭିମୁଖେ ଉଡ଼ାଣ କରୁଥିବା ବିମାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାୟୁପଥ ଥିଲା । ପରେ ଇରାନ ଏହାର ବାୟୁସୀମା ପୁନଃ ଖୋଲିଥିଲା ଏବଂ ଏକ ନୋଟାମ୍ ଦ୍ବାରା ନିଶ୍ଚିତ କରିଥିଲା ଯେ ତେହେରାନ ଏଫ୍‌ଆଇଆର୍‌ରେ ସାଧାରଣ ବିମାନ ଚଳାଚଳ ସକାଳ ୭:୦୩ରେ ଆରମ୍ଭ ହୋଇାଛି । 

ଅଧିକ ପଢ଼ନ୍ତୁ---ଇରାନରେ ହିଂସାତ୍ମକ ଆନ୍ଦୋଳନ: ସରକାରୀ ଦମନରେ ମୃତ୍ୟୁ ସଂଖ୍ୟା ୩,୫୦୦ରୁ ଅଧିକ

ଅନ୍ୟପକ୍ଷରେ ଏୟାର୍ ଇଣ୍ଡିଆ ସକାଳ ୫.୩୦ରେ ଏକ୍ସରେ ଏକ ପୋଷ୍ଟରେ ବାୟୁସୀମା ବନ୍ଦ ହେବାର ପ୍ରଭାବକୁ ସ୍ୱୀକାର କରିଛି । ଇରାନରେ ଉପୁଜିଥିବା ପରିସ୍ଥିତି, ପରବର୍ତ୍ତୀ ସମୟରେ ଏହାର ବାୟୁସୀମା ବନ୍ଦ ହେବା ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏୟାର୍ ଇଣ୍ଡିଆ ବିମାନ ବର୍ତ୍ତମାନ ଏକ ବିକଳ୍ପ ମାର୍ଗ ବ୍ୟବହାର କରୁଛି, ଯାହା ବିଳମ୍ବର କାରଣ ହୋଇପାରେ । ଏୟାର୍ ଇଣ୍ଡିଆର କେତେକ ବିମାନ ବାତିଲ କରାଯାଉଛି ଯେଉଁଠାରେ ବର୍ତ୍ତମାନ ରିରୁଟିଂ ସମ୍ଭବ ନୁହେଁ । ଏହି ଅପ୍ରତ୍ୟାଶିତ ବ୍ୟାଘାତ ଯୋଗୁଁ ଯାତ୍ରୀମାନଙ୍କ ଅସୁବିଧା ପାଇଁ ଏୟାର ଇଣ୍ଡିଆ ଦୁଃଖ ପ୍ରକାଶ କରିଛି । ଆମର ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ବୋଲି ପୋଷ୍ଟରେ କୁହାଯାଇଛି ।